ଲାଲ୍ଗଡ ଏବେ ନିରବ

Get real time updates directly on you device, subscribe now.

ପଡିଆ, (ବି.ବି.ନ୍ୟୁଜ୍): ମାଲକାନଗିରି ଜିଲ୍ଲାର ଲାଲ୍ଗଡ ଭାବେ ପରିଚିତ କାଲିମେଳା, ପଡିଆର ଦୁର୍ଗମ ଅଞ୍ଚଳରେ ଆଉ ଶୁଭୁନି ମାଓବାଦୀଙ୍କ ନାଚଗୀତର ସ୍ୱର । କାଲିମେଳା ବ୍ଲକ ବଡିଗେଟା ପଞ୍ଚାୟତ ମାରିଗେଟା, ଟେକଗୁଡା କଲୋନୀ ଅଞ୍ଚଳରେ ଥିବା ସହିଦସ୍ତମ୍ଭ ପରିତ୍ୟକ୍ତ ହୋଇଯାଇଛି । ସହିଦ ସପ୍ତାହର ୬ଦିନ ବିତିଯାଇଥିଲେ ମଧ୍ୟ ଅଞ୍ଚଳରେ କୌଣସି ପ୍ରଭାବ ପଡ଼ିନାହିଁ । ଏହି ସମୟରେ ଲାଲବାହିନୀ ଏକପ୍ରକାର ହିଂସ୍ର ହୋଇ ଉଠିଥାନ୍ତି । ପ୍ରଜାକୋର୍ଟରେ ଭୁଲ କରିଥିବା ଲୋକଙ୍କୁ ଦଣ୍ଡ ଦେଇଥାନ୍ତି । ନୂତନ ସଦସ୍ୟ ସଦସ୍ୟାଙ୍କୁ ଦଳରେ ସାମିଲ କରିଥାନ୍ତି । କିନ୍ତୁ ଚଳିତବର୍ଷ ସେଭଳି କୌଣସି ଘଟଣା ପଡିଆ ଓ କାଲିମେଳା ଅଞ୍ଚଳରେ ଘଟିଥିବା ପରିଲକ୍ଷିତ ହୋଇ ନଥିବାରୁ ଅଞ୍ଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।
ଅଞ୍ଚଳବାସୀଙ୍କ କହିବା ପ୍ରକାରେ ଜୁଲାଇ ୨୮ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଯାଇଛି । କିନ୍ତୁ ଚଳିତବର୍ଷ ସରକାରୀ ଗାଡିକୁ ବାଦ ଦେଲେ ସମସ୍ତ ଘରୋଇ ଗାଡି ଚଳାଚଳ କରୁଛି । ସବୁ ସ୍ଥାନରେ ବିଏସଏଫ୍ କ୍ୟାମ୍ପ କରାଯାଇ ଯବାନ ଓ ପୁଲିସ ପକ୍ଷରୁ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ମାଓବାଦୀଙ୍କ ଉପଦ୍ରବ ବନ୍ଦ ହୋଇଛି । ପୁଲିସର ଆକ୍ରମଣରେ ବହୁ ମାଓବାଦୀ କ୍ୟାଡରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଦଳ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଫଳରେ ଅଞ୍ଚଳରେ ମାଓ ସଂଗଠନ ଦୁର୍ବଳ ହୋଇପଡିଛି । ସାତଦିନ ଧରି ମୃତ ସହିଦଙ୍କୁ ଶ୍ରଦ୍ଧାଜ୍ଞଳି ଦେବା ସହ ନାଚଗୀତରେ ଅଞ୍ଚଳ ଫାଟି ପଡୁଥିଲା । ଏବେ ଦୋକାନ, ବଜାର ସହ ସମସ୍ତ ଅନୁଷ୍ଠାନ ଖୋଲା ରହିଛି । ପୁଲିସର କାର୍ଯ୍ୟାନୁଷ୍ଠାନ ଯୋଗୁ ଅଞ୍ଚଳବାସୀ ଶାନ୍ତିରେ ନିଶ୍ୱାସ ନେଇପାରୁଛନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons