ବ୍ରହ୍ମପୁର,(ବି.ବି.ନୁ୍ୟଜ): କ୍ରାଇମ୍ବ୍ରାଞ୍ଚ ଶନିବାର ବ୍ରହ୍ମପୁରରେ ଟାଟା ନିଯୁକ୍ତି ଠକେଇ ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ଜେରା ଜାରି ରଖିଛି । ଶନିବାର ବୋରିଗାଁ ସରପଞ୍ଚ ବସନ୍ତ କୁମାର ସାହୁ, ସିଟି କଲେଜ ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣି ସାହୁଙ୍କ ସମେତ ପ୍ରାୟ ୬ ଜଣଙ୍କୁ ଜେରା କରିଥିବା ଜଣାଯାଇଛି । ବସନ୍ତ ଓ କମ୍ବୁପାଣିଙ୍କୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଗୁଡାଇ ତୁଡାଇ ବିଭିନ୍ନ ପ୍ରଶ୍ନ କରିଥିଲେ କ୍ରାଇମ୍ବ୍ରାଞ୍ଚ ତଦନ୍ତକାରୀ । ତେବେ ଟାଟା ମୋଟର୍ସ ନିଯୁକ୍ତି ଠକେଇ ଲିଙ୍କ୍ରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀଙ୍କ ନାମକୁ ପ୍ରକାଶ କରିଛନ୍ତି ବୋରିଗାଁ ସରପଞ୍ଚ । ଦିଲ୍ଲୀପ ଟାଟା ମୋଟର୍ସରେ ଚାକିରୀ କରାଇଦେବାକୁ କହି ମୋ ପୁତୁରାର ବାୟୋଡାଟା ମଗାଇଥିଲେ । ଦିଲ୍ଲୀପଙ୍କ ଫୋନ୍ ପାଇବା ପରେ ମୋ କହିବା ପ୍ରକାରେ ଅନ୍ଲାଇନ୍ରେ ବାୟୋଡାଟା ପୁତୁରା ପଠାଇଥିଲା ବୋଲି କହିଛନ୍ତି ବସନ୍ତ ସାହୁ । ତେବେ କୌଣସି ଟଙ୍କା ଦେଣନେଣ କଥାକୁ ସେ ଅସ୍ୱୀକାର କରିଛନ୍ତି । ଅପରପକ୍ଷରେ ଜେରା ପରେ କମ୍ବୁପାଣି ସାହୁ କୌଣସି ପ୍ରତିକ୍ରିୟା ନରଖି ଚୁପ୍ଚାପ୍ ଚାଲି ଯାଇଥିଲେ । ଉଲ୍ଲେଖଯୋଗ୍ୟ ଯେ- ସରପଞ୍ଚ ସାହୁ ଗୋପାଳପୁର ବିଧାୟକଙ୍କ ପାାଖଲୋକ ଥିଲେ ଏବଂ ବିଧାୟକଙ୍କ ପରାମର୍ଶଦାତା ସର୍ବେଶ୍ୱର ରାଓ ତଥା ଭାଇ ଦିଲ୍ଲୀପଙ୍କ ସମ୍ପୃକ୍ତିରେ ରହି ଆସିଛନ୍ତି । ସେପଟେ ପୂର୍ବତନ ଅଧ୍ୟକ୍ଷ ସାହୁ ୨୦ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟ୍କୁ ପଠାଇଥିବା କ୍ରାଇମ୍ବ୍ରାଞ୍ଚ ବ୍ୟାଙ୍କ୍ ଖାତାର ଷ୍ଟେଟ୍ମେଣ୍ଟରୁ ଜଣାପଡିଛି । ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷ ହୋଇ ଏତେ ଟଙ୍କା ଆଣିଲେ କେଉଁଠୁ ଏବଂ ସେ କ’ଣ ପାଇଁ ଏତେ ଟଙ୍କା ବିଧାୟକଙ୍କୁ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଦେଇଥିଲେ ସେ ନେଇ କ୍ରାଇମ୍ବ୍ରାଞ୍ଚ ଶନିବାର ତାଙ୍କୁ ପଚରାଉଚୁରା କରିଥିବା ଅନୁମାନ କରାଯାଉଛି । ତେବେ ସେ କଣ ଉତ୍ତର ରଖିଛନ୍ତି ତାହା ସ୍ପଷ୍ଟ ହୋଇପାରିନି ।
ବସନ୍ତ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ- ମୋତ ପୁଲିସ ଶୁକ୍ରବାର ଡକାଇଥିଲା ଯେ ଶନିବାର କ୍ରାଇମ୍ବ୍ରାଞ୍ଚ ଆସିବ, ଆପଣଙ୍କୁ ଜେରା କରାଯିବ । ସେହି ପ୍ରକାରେ ମୁଁ ଆଜି ସକାଳୁ ଆସିଥିଲି, କ୍ରାଇମ୍ବ୍ରାଞ୍ଚ ଟିମ୍ ମଧ୍ୟ ଆସିଥିଲା । ସେମାନେ ମୋତେ ଗୋପାଳପୁର ବିଧାୟକଙ୍କ ଲିଙ୍କ୍ରେ ଜେରା କଲେ । ପଚାରିଥିଲେ ଯେ ପଇସାପତ୍ର କଣ ଦେଇଛ କି, କାହା କାହାର ବାୟୋଡାଟା ଦେଇଛ, କିଏ ବାୟୋଡାଟା ମଗାଇଥିଲା । ମୁଁ କହିଥିଲି ଯେ ପଇସାପତ୍ର କାରବାର କିଛି ନାହିଁ । ମୁଁ ପୁତୁରାର ବାୟୋଡାଟା ପ୍ରାୟ ଦେଢରୁ ଦୁଇ ମାସ ତଳେ ଦେଇଥିଲି ଚାକିରୀ ପାଇଁ, ମାତ୍ର ପଇସା କିଛି ଦେଇନି । ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଫୋନ୍ କରିଥିଲେ ଯେ- ପୁତୁରା ଚାକିରୀ କରିବ ପରା ବାୟୋଡାଟା ଦିଅ । ଟାଟା ମୋଟର୍ସରେ ଚାକିରି କଥା କହିଥିଲେ । ମୁଁ ପୁତୁରାକୁ ଫୋନ୍ କରି କହିବା ପରେ ସେ ଅନ୍ଲାଇନ୍ରେ ବାୟୋଡାଟା ପଠାଇଥିଲା । ତେବେ ସେ ପଇସା କଥା କିଛି କହିନାହାନ୍ତି କିମ୍ବା ମୁଁ କିଛି ଦେଇନି ବୋଲି ସଫେଇ ଦେଇଛନ୍ତି ବୋରିଗାଁ ସରପଞ୍ଚ । ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବା ପରେ ସରପଞ୍ଚ ବସନ୍ତ ଆହୁରି କହିଥିଲେ ଯେ- ସର୍ବେଶ୍ୱର ରାଓଙ୍କ ସେମିତି କିଛି ଲିଙ୍କ୍ ନଥିଲା । ବିଧାୟକଙ୍କ ସହ ଦେଖା ହୋଇନି କିମ୍ବା ଫୋନ୍ରେ ବି କଥା ହୋଇନି । ପୁତୁରା ଗଣେଶ ଏମ୍ବିଏ କରିଛି । ଏଣୁ ଚାକିରୀ ହୋଇଯିବ ଏହି ବିଶ୍ୱାସରେ ଦେଇଥିଲି । ବିଧାୟକଙ୍କ ଭାଇ ହିଁ ଫୋନ୍ କରିଥିଲେ ବୋଲି କହି କଥା ଏଡାଇବାକୁ ଚେଷ୍ଟା କରିଥିଲେ ବସନ୍ତ ସାହୁ । ତେବେ ବସନ୍ତଙ୍କ ବୟାନରୁ ନିଯୁକ୍ତି କାରବାରରେ ଦିଲ୍ଲୀପଙ୍କ ଲିଙ୍କ୍ ସ୍ପଷ୍ଟ ହୋଇଯାଇଛି ।
ଉଲ୍ଲେଖଯୋଗ୍ୟ ଯେ- ଟାଟା କମ୍ପାନିରେ ଚାକିରି ଦେବାକୁ କହି ଗୋପାଳପୁର ଅଞ୍ଚଳର ପ୍ରାୟ ୬୮ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ମିଥ୍ୟା ଅଫଲ୍ ଲେଟର୍ ଦିଆଯାଇଥିଲା । ଏଥିରେ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ସମେତ ଗୋପାଳପୁର ବିଧାୟକଙ୍କ ସମ୍ପୃକ୍ତି ନେଇ ଶୁକ୍ରବାରରୁ ଦ୍ୱିତୀୟ ପର୍ଯ୍ୟାୟରେ ବ୍ରହ୍ମପୁର ଆସି ତନାଘନା ଚଳାଇଛି କ୍ରାଇମ୍ବ୍ରାଞ୍ଚ ଦଳ । ନିଯୁକ୍ତି ଲିଙ୍କ୍ରେ ଗୋପାଳପୁର ବିଧାୟକଙ୍କ ଭାଇ ଦିଲ୍ଲୀପ, ପରାମର୍ଶଦାତା ତଥା ସିଟି କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ସର୍ବେଶ୍ୱର ରାଓଙ୍କ ସମ୍ପୃକ୍ତି ମଧ୍ୟ ଲୋକଲୋଚନକୁ ଆସିଛି । ସିଟି କଲେଜ ଅନ୍ୟତମ ପୂର୍ବତନ ଅଧ୍ୟକ୍ଷ ବିଧାୟକଙ୍କ ଆକାଉଣ୍ଟ୍କୁ ବିପୁଳ ଟଙ୍କା ପଠାଇ ସନେ୍ଦହଘେରକୁ ଆସିଛନ୍ତି । ତେବେ ଦିଲ୍ଲୀପ କିମ୍ବା ସର୍ବେଶ୍ୱରଙ୍କ ଏଯାବତ୍ ଦେଖା ମିଳୁନି । ପ୍ରଥମ ପର୍ଯ୍ୟାୟରେ କ୍ରାଇମ୍ବ୍ରାଞ୍ଚ୍ ବ୍ରହ୍ମପୁରରେ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ୧୦ ଜଣ ଚାକିରି ଆଶାୟୀ ଓ ୮ ଜଣ ପ୍ରଦୀପ ଅନୁଗତଙ୍କୁ ଜେରା କରିଥିଲା ।


Comments are closed, but trackbacks and pingbacks are open.