ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ଇଞ୍ଜନିୟରିଂ ସ୍କୁଲ ରୋଡ଼ ଆଇଆଇଏଫ୍ଏଲ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରେ ଆଜି ଲୁଟ୍ ଉଦ୍ୟମ କରିଛନ୍ତି ଲୁଟେରା । ମାଉଜର ଦେଖାଇ ଲକର ଚାବି ମାଗିଲେ । ଚାବି ନଦେବାରୁ ୩ଜଣ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଫେରାର୍ ହୋଇଯାଇଛନ୍ତି । ଲୁଟେରାଙ୍କ ଆକ୍ରମଣରେ ସଂସ୍ଥାର କର୍ମଚାରୀ ମୃତ୍ୟୁଞ୍ଜୟ ନାୟକ, ଡି.ଶ୍ରୀଧର ଆଚାରୀ ଓ ମିହିର ପ୍ରଧାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ବ୍ୟାଙ୍କ ଲୁଟ୍ ଉଦ୍ୟମ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ଅପରାଧୀ । ବାରମ୍ବାର ଲୁଟ୍ରେ ସଫଳ ହେଉଥିବା ଲୁଟେରାଙ୍କୁ ପୁଲିସ ଧରିବାରେ ବିଫଳ ହେବା ପରେ ଏଭଳି ବଡ଼ ଧରଣର ଲୁଟ୍ ପାଇଁ ଟାର୍ଗେଟ୍ ହୋଇଥିବା ଚର୍ଚ୍ଚିତ ହେଉଛି । ସେପଟେ ବ୍ରହ୍ମପୁର ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଦିନ ତମାମ୍ ସହରରେ ବ୍ଲକିଂ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ବୈଦ୍ୟନାଥପୁର ଥାନା କେସ୍ ନମ୍ବର ୧୪୭/୨୦୧୯ରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଆଇଆଇସି ଶାରଦା ପ୍ରସାଦ ଦାଶ ।
ଆଇଆଇଏଫ୍ଏଲ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟ କର୍ମଚାରୀଙ୍କ ଅଭିଯୋଗ ପ୍ରକାରେ ଆଜି ପୂର୍ବାହ୍ନ ୧୦ଟାରେ ଅଫିସ୍ ଖୋଲାଯାଇଥିଲା । ଜଣେ ମହିଳା କର୍ମଚାରୀ ଓ ସେମାନେ ୩ ଜଣ ଉପସ୍ଥ୍ିତ ଥିଲେ । ହଠାତ୍ ୪ଜଣ ଯୁବକ କାର୍ଯ୍ୟାଳୟ ଭିତରକୁ ପଶି ଆସିଥିଲେ । ସେମାନେ ସମସ୍ତେ ହିନ୍ଦୀରେ କଥା ହେଉଥିଲେ । ବନ୍ଧୁକ ଦେଖାଇ ମହିଳା କର୍ମଚାରୀଙ୍କୁ ଚୁପ୍ ରହିବାକୁ କହିଥିଲେ ଏବଂ ଅନ୍ୟ କର୍ମଚାରୀ ମୃତ୍ୟୁଞ୍ଜୟ, ଶ୍ରୀଧର ଓ ମିହିରଙ୍କୁ ବନ୍ଧୁକ ଦେଖାଇ ବାଥ୍ରୁମ୍ ଭିତରକୁ ନେଇଥିଲେ । ସେଠାରେ ସମସ୍ତଙ୍କୁ ଭୟଭୀତ କରିବା ସହ ଲକ୍କର ଚାବି ମାଗିଥିଲେ । ତେବେ ସେମାନେ ଲକ୍କରର ଚାବି ନାହିଁ, ଓଟିପି ଆସିବା ପରେ ହିଁ ଖୋଲିବ ବୋଲି କହିଥିଲେ । ତେବେ ଲକ୍କର ଚାବି ନ ଦେବାରୁ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପ୍ରାୟ ୧୧ଟା ପର୍ଯ୍ୟନ୍ତ ବାଥ୍ରୁମ୍ ଭିତରେ ମାଡ଼ ମାରିବା ପରେ ସେମାନେ ଫେରାର୍ ହୋଇଯାଇଥିଲେ । ତେବେ ଲୁଟ୍ ଉଦ୍ୟମ ଖବର ପାଇବା ପରେ ବୈଦ୍ୟନାଥପୁର ଥାନା ଆଇଆଇସି ଦାଶଙ୍କ ସହ ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ଏଏସ୍ଆଇ ନାରାୟଣ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆଇଆଇସି ଦାଶଙ୍କ ଠାରୁ ସୂଚନା ପାଇବା ପରେ ସହରରେ ବ୍ଲକିଂ ଆରମ୍ଭ ହୋଇଯାଇଥିଲା । କିଛି ସମୟ ପରେ ଏଏସ୍ପି ପ୍ରଭାତ କୁମାର ରାଉତରାୟ, ଇନ୍ସପେକ୍ଟର ସୁରେଶ ତ୍ରିପାଠୀ ଓ ଏସ୍ଆଇ କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପରେ ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି କିଛି ଫିଙ୍ଗର ପ୍ରିଣ୍ଟ ଏବଂ ଅନ୍ୟ ତଥ୍ୟ ସଂଗ୍ରହ କରିଛି । ତେବେ କେଉଁ ମାନେ ଲୁଟ୍ ଉଦ୍ୟମ କରିଥିଲେ ତଦନ୍ତ କରାଯାଉଛି ଏବଂ ଖୁବ୍ଶୀଘ୍ର ଧରାପଡ଼ିବେ ବୋଲି ଏଏସ୍ପି ରାଉତରାୟ କହିଛନ୍ତି ।
Comments are closed, but trackbacks and pingbacks are open.