ମୟୂରଭଞ୍ଜ: ଲୁହାପଥର ବୋଝେଇ ଟ୍ରକ ଧକ୍କାରେ କକା, ପୁତୁରାଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ୨୨୦ ନଂ ଜାତୀୟ ରାଜପଥ ବଡଡାଳିମାରେ । ଘର ସାମ୍ନାରେ କକା ପୁତୁରାକୁ ଧକ୍କା ଦେଲା ଟ୍ରକ । ଜଣେ ବହଳଦା ଓ ଜଣେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ୨୬ ବର୍ଷ ବୟସ୍କ ତାରିଣୀ ବିହାରୀ ଓ ୧୭ ବର୍ଷ ବୟସ୍କ ସିପୁ ବିହାରୀ । ଉଭୟ ଗୋଟିଏ ପରିବାରର ସମ୍ପର୍କରେ କକା, ପୁତୁରା । ଜଣେ ରାସ୍ତା କଡକୁ ଲାଗିଥିବା ଘର ଦୁଆର ନିକଟରେ ବସିଥିବାବେଳେ ପୁତୁରା ଖାଇସାରି ହାତ ଧୋଇବାକୁ ବାହାରକୁ ଆସିଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ଉକ୍ତ ଗାଡିଟି ଫେରାର ହେବା ବେଳେ ତିରିଂ ବର୍ଡର ନିକଟସ୍ଥ ଝାଡଖଣ୍ଡ ସୀମାରେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ଟ୍ରକ୍ ଟି ଓଲଟି ପଡିଥିଲା । ଟ୍ରକ୍ ଧକ୍କାରେ ସ୍କୁଟି ଚାଳକ ମଧ୍ୟ ଗୁରୁତର ଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ହସ୍ତଗତ ହୋଇଛି । ଉକ୍ତ ସ୍କୁଟି ଚାଳକ ଜଣକ ବହଳଦା ନିକଟସ୍ଥ ବାନାଡୁଙ୍ଗୁରୀ ଗ୍ରାମର ବାଏରା ନାଏକ ବୋଲି ଜଣାପଡିଛି ।
ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ ତିରିଂ ଥାନା ପୁଲିସ୍ ଅଟକ ରଖିଛି । ଟ୍ରକ୍ ନଂ ଓଡ଼ି୧୬ସି୯୪୭୨କୁ ପୁଲିସ ଜବତ କରିଛି । ତେବେ ଗତକାଲି ରାତି ପ୍ରାୟ ୧୦ ଘଟିକା ସମୟରେ ଦୁର୍ଘଟଣା ଘଟିଥିବାବେଳେ ରାତିରୁ ଚାପା ଉତ୍ତେଜନା ଲାଗି ରହିଥିଲା । ଗତକାଲି ରାତି ୧୦ଟା ରୁ ଆଜି ସଂଧ୍ୟା ୬ଟା ପର୍ଯ୍ୟନ୍ତ ୨୨୦ ନଂ ଜାତୀୟ ରାଜପଥ ଅବରୋଧ ରହିଥିଲା । ଉଭୟ ପଟୁ ଶତାଧିକ ଗାଡି ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ସେପଟେ ଉତ୍ତ୍ୟକ୍ତ ଲୋକେ ୨୨୦ ନଂ ଜାତୀୟ ରାଜପଥରେ ପଥର ଚିପ୍ସ ପକାଇ ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ କ୍ଷତିପୂରଣ ଦାବି ନେଇ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନ,ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ ଏବଂ ତିରିଂ ତହସିଲଦାର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଚଲାଇଥିଲେ । ସେପଟେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ତିରିଂ ଥାନା ପୁଲିସ ଓ ବହଳଦା ଥାନା ପୁଲିସ ସମେତ ବାରିପଦାରୁ ଓଡିଶା ଷ୍ଟେଟ୍ ଏrନ ଫାର୍ସ ର ୧ ପ୍ଲାଟୁନ୍ ଜବାନ ମୁତୟନ କରାଯାଇଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ ଆସିଥିବା ଶବ ଦୁଇଟିକୁ ରାସ୍ତା ଉପରେ ରଖି ଉତ୍ତ୍ୟକ୍ତ ଲାକେ ରାସ୍ତାରୋକ ଜାରି ରଖିଥିଲେ । ତେବେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଘର ଓ ଗାଡି ସମେତ ମୃତ ବ୍ୟକ୍ତିଙ୍କ ବାବଦରେ ସମ୍ପୃକ୍ତ ପରିବାରକୁ ଉଚିତ୍ କ୍ଷତିପୂରଣ ସହିତ ବସତି ଅଞ୍ଚଳରେ ବେପରୁଆ ଗାଡି ଗୁଡିକର ଗତି ଉପରେ ଅଙ୍କୁଶ ଲଗାଇବା ସହିତ ସଂଧ୍ୟା ଆଠ ଘଟିକା ସମୟରୁ ରାତି ୧୧ଘଟିକା ସମୟ ପର୍ଯ୍ୟନ୍ତ ଭାରିଯାନ ସବୁକୁ ନୋ ଏଣ୍ଟ୍ରି ଲଗାଯିବାକୁ ଦାବି କରାଯାଇ ରାସ୍ତାରୋକ ଜାରି ରହିଥିଲା । ପୁଲିସ୍ ଓ ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଚାଲିଥିବାବେଳେ ରାଇରଙ୍ଗପୁର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଉଚିତ୍ କ୍ଷତିପୂରଣ ସହିତ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେବାପରେ ସଂଧ୍ୟା ୬ଟା ସମୟରେ ରାସ୍ତାରୋକ ହଟିଥିଲା ।
ରିପୋର୍ଟ : ଘାଷିରାମ ବେହେରା
Comments are closed, but trackbacks and pingbacks are open.