ଭୁବନେଶ୍ବର: ଆପଣ ଅନେକ ଚୋର, ଡକାୟତ ଏବଂ ଠକଙ୍କୁ ଜାଣିଥିଲେ । ଭିନ୍ନ ଭିନ୍ନ ଭାବରେ ଏମାନେ ଅପରାଧ କରିଥାନ୍ତି । ଆଜି ଆମେ ଏପରି ଏକ ଠକ ବିଷୟରେ ଜଣାଇବୁ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହୋଇଯିବେ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅଂଚଳର ଏହି ଠକର ନାମ ହେଉଛି ପଞ୍ଚୁ ସାହୁ । ଏ ମହାଶୟଙ୍କ ଠକାମୀ ଟିକେ ଭିନ୍ନ ଧରଣର ।
ମହାଶୟ ଯଦି କେଉଁଠି ନୂଆ ଘର ହେବା ଦେଖନ୍ତି ତେବେ ତାଙ୍କର କରାମତି ଆରମ୍ଭ କରିଦିଅନ୍ତି । ମହାଶୟ ଭାରି ଭଦ୍ର ଭାବରେ ଯାଇ ଘର କରୁଥିବା ବ୍ୟକ୍ତିଙ୍କୁ ଭେଟନ୍ତି। କିପରି ଘର ହେଉଛି, ବ୍ୟାଙ୍କ ଲୋନ୍ ନା ବ୍ୟାଙ୍କ ବାଲାନ୍ସ ରେ ଘର ହେଉଛି ସବୁ ବୁଝନ୍ତି । ତାପରେ ମହାଶୟ ଆରମ୍ଭ କରନ୍ତି ତାଙ୍କର ଜାଲ ବିଛାଇବା । ମହାଶୟ କୁହନ୍ତି ଯେ ତାଙ୍କ ପାଖରେ ୨୦ ରୁ ୫୦ ବସ୍ତା ସିମେଣ୍ଟ ଅଛି । ଶହେରୁ ଦୁଇଶହ ଟଙ୍କାରେ ସେ ସିମେଣ୍ଟ ବିକ୍ରି କରିବେ ବୋଲି କୁହନ୍ତି । ଆଉ ଯେଉଁମାନେ ଘର ତିଆରି କରୁଛନ୍ତି ଏ ସୁଯୋଗ କୁ ହାତଛଡା କରିବାକୁ ଚାହିଁବେ ନାହିଁ ।
ମହାଶୟ ଘରକର୍ତ୍ତାଙ୍କ ଠାରୁ ଦୁଇ ହଜାର ରୁ ୫ ହଜାର ଟଙ୍କା ନେଇ ଫେରାର ହୋଇଯାଆନ୍ତି । ଏପରିକି ଘରକର୍ତାଙ୍କ ଗାଡି ମାଗି ନିଅନ୍ତି ସିମେଂଟ (ଚରିଚକିଆ) ଗାଡିରେ ପଠାଇବା ପାଇଁ । ବେଳେବେଳେ ଚାଳଘର ଦେଖିଲେ ପାଲ ବା ଦରି ଖୁବ୍ କମ୍ ଦାମ୍ ରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ମଧ୍ୟ ଲୋକଙ୍କୁ ଭୁଆଁ ବୁଲାଇ ଠକି ନିଅନ୍ତି ଟଙ୍କା । ତାଙ୍କ ପାଖରେ ନା ଅଛି ସିମେଂଟ ନା ଅଛି ପାଲ ବା ଦରି । ବାସ ଦୁଇ ରୁ ପାଂଚ ହଜାର ଟଙ୍କା ଲୋକଙ୍କଠାରୁ ଠକି ନିଅନ୍ତି ।
ଘରକର୍ତ୍ତାଙ୍କ ଠାରୁ ନେଇଥିବା ଦୁଇଚକିଆ ଗାଡିରୁ ପେଟ୍ରୋଲ ସରିଲେ ସେହି ରାସ୍ତାରେ ହିଁ ଗାଡି ରଖି ଚାଲି ଯାଆନ୍ତି ଠକ ମହାଶୟ । କଙ୍କଡାହାଡ ଅଂଚଳରେ ଏଭଳି କିଛି ଦୌରାତ୍ମ କରୁଛି ଠକ ପଂଚୁ ସାହୁ । ନିକଟରେ ପାଖାପାଖି ୫ଟି ଏଭଳି ଘଟଣା ଘଟାଇ ଲୋକଙ୍କ ଠାରୁ ଛେଚା ଖାଇଲାଣି ପଂଚୁ । ମାତ୍ର ମଣିଷ ପ୍ରକୃତି ତ ମଲେ ତୁଟେ । ମାଡ ଖାଇ ମଧ୍ୟ ନିଜର ପୁରୁଣା ଅଭ୍ୟାସ ଛାଡିପାରୁନି ପଂଚୁ । ନିକଟରେ ଜଣେ ଗୃହକର୍ତାଙ୍କ ଠାରୁ ୩୫୦୦ଟଙ୍କା ଠକି ନେଇଥିବା ବେଳେ ଅନ୍ୟ ଜଣେ ଗୃହକର୍ତାଙ୍କ ଠାରୁ ୨୦୦୦ଟଙ୍କା ଠକିନେଇଛି । ସ୍ଥାନୀୟ ଲୋକ ପଂଚୁକୁ କାବୁ କରି ପୋଲିସ କୁ ହସ୍ତାନ୍ତର କରିଛନ୍ତି ।
Comments are closed, but trackbacks and pingbacks are open.