କୋରାପୁଟ:ହାଇୱା ଧକ୍କାରେ ଲକ୍ଷ୍ମୀପୁର ବ୍ଲକ ସାନ ନେର୍କା ଗାଁର ଲଳିତ କମାରଙ୍କ ମୃତୁ୍ୟକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଲୋକେ କରିଥିବା ରାସ୍ତା ଅବରୋଧ ଦୀର୍ଘ ୧୨ ଘଣ୍ଟା ପରେ ହଟିଛି । ଏଥିପାଇଁ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଛି । ମୃତକଙ୍କ ପରିବାର ଓ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ କୌଣସି ସୁଫଳ ନମିଳିବାରୁ ପୁଲିସ ଏଭଳି କାର୍ଯ୍ୟାନୁÂାନ ଗ୍ରହଣ କରିଛି । ଏହି ମାମଲାକୁ ନେଇ କାକିରିଗୁମ୍ମା ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇଛି । ଏ ପର୍ଯ୍ୟନ୍ତ ଏହି ମାମଲାରେ ପୁଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ, ଗତ ଶୁକ୍ରବାର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ବେଳେ ଦୁଇଜଣ ପୁଲିସ ଅଧିକାରୀ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି । କାକିରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତ ଓ ଏଏସଆଇ କିଶୋର ଚନ୍ଦ୍ର ଚୌଧୁରୀ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ଥାନା ପକ୍ଷରୁ କୁହାଯାଇଛି ।
ଶନିବାର ମୃତ ବାଇକ୍ ଆରୋହୀଙ୍କ ଶବ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ଆଗାମୀ ଦିନରେ ଅନ୍ୟ କେତେଜଣଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଅଶ୍ୱିନୀ କୁମାର ନାୟକ କହିଛନ୍ତି । ଦୁର୍ଘଟଣାକୁ ନେଇ ୬୦/୨୦୨୧ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସକୁ ଆକ୍ରମଣ କରିବା ନେଇ ଅନ୍ୟ ଏକ ମାମଲା(୬୧/୨୦୨୧) ରୁଜୁ କରାଯାଇଛି । ରାସ୍ତା ଅବରୋଧ ନେଇ ଆଉ ଏକ ମାମଲା(୬୨/୨୦୨୧) ରୁଜୁ ହୋଇଥିବା କାକିରିଗୁମ୍ମା ଥାନା ଅଧିକାରୀ ଶ୍ରୀ ରାଉତ କହିଛନ୍ତି । ଗିରଫ ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ସାନନେର୍କା ଗ୍ରାମର ପୁରୁଷୋତ୍ତମ କମାର, ବାସୁଦେବ କମାର, ବୁଟି ଓରଫ ସରୋଜ ଦାମୀ, ପରଜାଅଳଚି ଗାଁର ଲିଙ୍ଗରାଜ ମୁଦୁଲି, ଗୌଡ଼ଗୁଡ଼ା ଗ୍ରାମର କ୍ଷେତ୍ର ମୋହନ କମାର, କୋରାପୁଟ ସଦର ଥାନା ଡ଼ଙ୍ଗାୟତପୁଟ ଗାଁର ପିଣ୍ଟୁ ନାୟକ ଓ ଈଶ୍ୱର ନାୟକ ଅଛନ୍ତି ।
ଗତ ଶୁକ୍ରବାର ସନ୍ଧ୍ୟାରେ କାକିରିଗୁମ୍ମା ଦାମନଯୋଡି ରାସ୍ତାର ବାରିଗୁଡା ଛକରେ ଉକ୍ତ ହାଇୱା ଧକ୍କାରେ ଲଳିତଙ୍କର ମୃତୁ୍ୟ ହୋଇଥିଲା । ଲଳିତ ଏକ ବାଇକ୍ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଗୌଡ଼ଗୁଡ଼ା ଗାଁ ନିକଟରେ ଗତ ରାତିସାରା କାକିରିଗୁମ୍ମା-ଦାମନଯୋଡ଼ି ରାସ୍ତା ଅବରୋଧ କରିଥିଲେ । ପୁଲିସ ପହଞ୍ଚି ଶବକୁ ତୁରନ୍ତ ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା । ତେବେ ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇ ନଥିଲା । ଏହାର ପ୍ରତିବାଦ କରି ଗ୍ରାମବାସୀ ନିଜ ଜିଦ୍ରେ ଅଟଳ ରହି ରାସ୍ତାରୁ ହଟି ନଥିଲେ । ଏହାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା । ରାସ୍ତା ଅବରୋଧ ଯୋଗୁ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । କାକିରିଗୁମ୍ମା ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ କିଛି ସୁଫଳ ମିଳି ନଥିଲା । ଲୋକଙ୍କ ସହ ପୁଲିସର ଆଲୋଚନା ବେଳେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଥିଲା । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ ଥାନା ଅଧିକାରୀ ଶ୍ରୀ ରାଉତ ଓ ଏଏସଆଇ ଶ୍ରୀ ଚୌଧୁରୀ । ପରେ ପୁଲିସ ଘଟଣାସ୍ଥଳରୁ ଫେରି ଯାଇଥିଲେ । ଶନିବାର ସକାଳେ ଉତ୍ତ୍ୟକ୍ତ ଲୋକଙ୍କୁ ହଟାଇବାକୁ ପୁଣି ଉଦ୍ୟମ ଆରମ୍ଭ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ହେଁ ଲୋକେ ସେମାନଙ୍କ ଜିଦ୍ରେ ଅଟଳ ରହିଥିଲେ । କୋରାପୁଟରୁ ୨ ପ୍ଲାଟୁନ ପୁଲିସ ଫୋର୍ସ ସହିତ କାକିରିଗୁମ୍ମା ଓ ଲକ୍ଷ୍ମୀପୁର ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅନ୍ୟ କୌଣସି ଉପାୟ ନଥିବାରୁ ପୁଲିସ ବାଧ୍ୟ ହୋଇ ମୃଦୁ ଲାଠି ଚାଳନା କରିଥିଲା । ଲୋକେ ଛତ୍ରଭଙ୍ଗ ଦେବାରୁ ରାସ୍ତା ଅବରୋଧ ହଟିଥିଲା । ଏଥିରେ ୧୫ ରୁ ଅଧିକ ମହିଳା ଓ ୫୦ ରୁ ଅଧିକ ପୁରୁଷ ସାମିଲ ଥିବା ପୁଲିସ କହିଛି । ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରି ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.