ଗୋଷାଣି,(ବି.ବି.ନୁ୍ୟଜ୍): ସପ୍ତାହେ ହେଲା ଗୋଷାଣି ବ୍ଲକ୍ରେ ହାତୀପଲଙ୍କ ଆତଙ୍କରାଜ ଲାଗିରହିଛି । ଫଳରେ ଭୟରେ ବ୍ଲକ୍ବାସୀଙ୍କ ଆଖିରୁ ନିଦ ହଜିଯାଇଛି । ବିଶେଷ କରି ଚାଷୀକୁଳ ଅଧିକ ହନ୍ତସନ୍ତ ହେଉଛନ୍ତି । ସେପଟେ ବନବିଭାଗ ହାତୀ ଘଉଡ଼ାଇବାରେ ଏକ ପ୍ରକାର ବିଫଳ ହୋଇଛି । ଏଭଳି ସ୍ଥିତିରେ ଲୋକଙ୍କୁ କେବେ ନିସ୍ତାର ମିଳିବ ତାହା ସନେ୍ଦହ ମଧ୍ୟରେ ରହିଛି ।
କିଛିଦିନ ହେଲା ଗୋଷାଣୀ ବ୍ଲକ୍କୁ ପଶିଆସିଛି ଏକ ୬ଜଣିଆ ହାତୀପଲ । ହାତୀପଲ ବ୍ଲକ୍ର ବିଭିନ୍ନ ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି । ଏହି ହାତୀପଲ ଗତ ଦୁଇଦିନ ହେଲା ଭୂଷୁକୁଡ଼ି ଗ୍ରାମ ନିକଟରେ ଅଟକି ରହିଛନ୍ତି । ଏଠାରେ ଏକ ଜଳାଶୟ ଥିବାରୁ ହାତୀମାନେ ଏହି ସ୍ଥାନ ଛାଡ଼ିବା ମୁଡ୍ରେ ନାହାନ୍ତି । ରାତି ହେଲେ ହାତୀପଲ ଗାଁରେ ପଶି ଲୋକଙ୍କ ଜିନିଷପତ୍ର ନଷ୍ଟ କରୁଛନ୍ତି । ବର୍ତ୍ତମାନ ଚାଷୀମାନେ ଧାନ ଅମଳ ସାରିଥିବା ବେଳେ ମଣ୍ଡିରେ ଏହାକୁ ବିକ୍ରି କରିପାରୁନାହାନ୍ତି । ସେପଟେ ଏହାକୁ ରଖିବା ପାଇଁ ମଧ୍ୟ ସେମାନଙ୍କ ନିକଟରେ କୌଣସି ବ୍ୟବସ୍ଥା ନଥିବାରୁ ଖୋଲା ଆକାଶ ତଳେ ହିଁ ବସ୍ତାରେ ଭର୍ତ୍ତି କରି ରଖିଛନ୍ତି । ଏଭଲି ସ୍ଥିତିରେ ହାତୀମାନେ ଏହାକୁ ନଷ୍ଟ କରୁଛନ୍ତି । କେବଳ ସେତିକି ନୁହେଁ, ରାତିରେ ଗାଁରେ ପଶି ଘରଦ୍ୱାର ମଧ୍ୟ ନଷ୍ଟ କରିବା ସମ୍ଭବନା ରହିଛି । ତେଣୁ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଲୋକେ ସନ୍ଧ୍ୟା ହେଲେ ହାତୀ ଜଗିବା କାମରେ ଲାଗିପଡୁଛନ୍ତି । ରାତି ତମାମ ଅନିଦ୍ରା ରହି ସେମାନେ ମେଳି ହୋଇ ଜଗୁଛନ୍ତି । କିନ୍ତୁ ବନ ବିଭାଗ ହାତୀପଲକୁ ଘଉଡ଼ାଇବା ଦିଗରେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ତେବେ ଫରେଷ୍ଟର ଅମୃତ ଜେନା କହିଛନ୍ତି, ହାତୀପଲ ଉପରେ ବନବିଭାଗ ତୀକ୍ଷ୍ଣ ନଜର ରଖିଛି । ସେମାନେ ଯେଭଳି ତାଙ୍କ ରାସ୍ତାରେ ଚାଲିଯିବେ ସେହି ପ୍ରୟାସ ଜାରି ରହିଥିବା ସେ କହିଛନ୍ତି ।


Comments are closed, but trackbacks and pingbacks are open.