ଲୋକଙ୍କ ସେବାରେ ଥିଲେ ଅତିରିକ୍ତ ଜିଲ୍ଲାପାଳ କରୁଣାକର

Get real time updates directly on you device, subscribe now.

ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ୍):ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) କରୁଣାକର ରାଇକା ମଙ୍ଗଳବାର ଭୋର ସମୟରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତରେ ଅସୁସ୍ଥ ରହିଥିଲେ । ତେବେ ସୋମବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିାଧୀନ ଅବସ୍ଥାରେ ମଙ୍ଗଳବାର ଭୋର ସମୟରେ ସେ ଆଖି ବୁଝିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସାରା ଗଜପତି ଜିଲ୍ଲା ସମେତ ଦକ୍ଷିଣ ଓଡିଶାରେ ଶୋକର ଛାୟା ଖେଳିଯାଇଛି ।
କରୁଣାକର ରାଇକା ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅତରସିଂ ଗାଁରେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜ ଉଦ୍ୟମ ବଳରେ ଭଲ ପାଠ ପଢି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ଚାକିରି ଜୀବନ ଆରମ୍ଭ କରିଥିଲେ । ଗଜପତି ଜିଲ୍ଲାରେ ଅନେକ ଦିନ ଧରି ଅତିରିକ୍ତ ତହସିଲଦାର, ବିଡିଓ ଏବଂ ଓଟିଇଏଲପି କାର୍ଯ୍ୟ କରିଥିଲେ । ଏହାପରେ ସେ ରାୟଗଡ ଏବଂ ନବରଙ୍ଗପୁର ଜିଲ୍ଲାକୁ ବଦଳି ହୋଇ ସେଠାରେ ମଧ୍ୟ ବିଭିନ୍ନ ପ୍ରଶାସନିକ ପଦପଦବୀରେ ରହି ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଥିଲେ । ଗତ ମାର୍ଚ୍ଚ ମାସରେ ସେ ପୁଣି ଗଜପତି ଜିଲ୍ଲାକୁ ଫେରିଥିଲେ । ତେବେ ତାଙ୍କ ଅଭିଜ୍ଞତା ଏବଂ ଲୋକ ସଂପର୍କକୁ ଦୃଷ୍ଟିରେ ରଖି ଜିଲ୍ଲାର କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଂଟରର ଦାୟିତ୍ୱ ଦିଆଯାଇଥିଲା । ଏହା ନିର୍ମାଣ ଠାରୁ ଆରମ୍ଭ କରି ସେ ଶେଷ ନିଶ୍ୱାସ ତ୍ୟାଗ ଯାଏଁ ଏହାର ସୁପରିଚାଳନା ପାଇଁ ଦିନରାତି ପରିଶ୍ରମ କରି ଲୋକଙ୍କ ସେବା କରିଥିଲେ । ତେବେ ଗତ କିଛି ଦିନ ହେଲା ସେ ସାମାନ୍ୟ ଅସୁସ୍ଥ ହୋଇପଡିଥିଲେ । ତେବେ ସୋମବାର ଦିନ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଥିବା ବେଳେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା । ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ୱେ ସେ ମଙ୍ଗଳବାର ଭୋର ସମୟରେ ଆଖି ବୁଜିଥିଲେ । ତେବେ ରିପୋର୍ଟ ଆସିବା ପରେ ଜିଲ୍ଲାପାଳ ଆଜି ଘୋଷଣା କଲେ ତାଙ୍କ ମୃତୁ୍ୟ କରୋନା ଜନିତ ହୋଇଛି । ଗଜପତି ଜିଲ୍ଲା ତାର ଜଣେ ସୁଯୋଗ୍ୟ ସନ୍ତାନ ଏବଂ ଜଣେ ସଚ୍ଚ୍ା କରୋନା ଯୋଦ୍ଧାଙ୍କୁ ହରାଇଛି । ଏହି ଖବର ପ୍ରଚାରିତ ହେବା ପରେ କେବଳ ଗଜପତି ଜିଲ୍ଲା ନୁହେଁ, ରାୟଗଡ ଏବଂ ନବରଙ୍ଗପୁର ଆଦି ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ,ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ.ଲିଙ୍ଗରାଜ, ବିଜେଡି ନେତା ପଲ୍ଲବ ଲିମ୍ମା, ଯୁବନେତା କେ.ରାମସ୍ୱାମୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବିଭିନ୍ନ ବର୍ଗର ଲୋକେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons