ନୂଆପଡ଼ା,(ବି.ବି.ନୁ୍ୟଜ୍): ସଦର ବ୍ଲକ୍ ଧରମବନ୍ଧା ନିକଟ ଲୋଡ୍ରାପାଟ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ । ଗତକାଲି ଅପରାହ୍ନରେ ଦୁଇଟି କଲରାପତରିଆ ଗୋଠରୁ ଏକ ଗାଈକୁ ଟେକି ନେଇ ଖାଇ ଦେଇଛନ୍ତି । ଗାଈ ଚରାଳି ବାଘଙ୍କ କାରନାମା ଦେଖୁଥିଲେ ହେଲେ ନିରବ ରହିବାକୁ ବାଧ୍ୟ ହୋଇଥିଲେ । ଗାଈ ମାଂସ ଖାଇ କଲରାପତରିଆ ଦୁଇଟି ଆଜି ଦିନତମାମ ଲୋଡ୍ରା ଜଙ୍ଗଲରେ ଘୂରି ବୁଲୁଥିଲେ । ଅପରାହ୍ନରେ ମୃତ ଗାଈକୁ ଘଞ୍ଚ ଜଙ୍ଗଲ ଭିତରକୁ ଘୋଷାରି ନେଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।
ଗତକାଲି ଧରମବନ୍ଧା ଗାଁର ଗାଈ ଚରାଳି ପୁନଉରାମ ରାଉତ ୩୦ରୁ ଅଧିକ ଗାଈ ବଳଦ ବାଛୁରୀକୁ ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଲୋଡ୍ରାପାଟ ସଂରକ୍ଷିତ ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ଅପରାହ୍ନ ୪ଟାରେ ଜଙ୍ଗଲ ଭିତରୁ ୨ଟି କଲରାପତରିଆ ଗାଈ ଗୋଠ ଆଡ଼କୁ ଆସିଥିଲେ । ବାଘକୁ ଦେଖି ଗାଈ ଚରାଳି ଲୁଚି ପଡ଼ିଥିଲେ । ଧରମବନ୍ଧା ସରପଞ୍ଚ ଓମପ୍ରକାଶ କଲାରଙ୍କ ଗାଈକୁ ଧରି ବାଘ ଦୁଇଟି ରକ୍ତ ଶୋଷି ଦେଇଥିଲେ । ପରେ ମୃତ ଗାଈକୁ ଘୋଷାରି ଜଙ୍ଗଲ ଭିତରକୁ ନେଇ ଯାଇଥିଲେ । ବାଘ ଭୟରେ ଅନ୍ୟ ଗୋରୁମାନେ ଛତ୍ରଭଙ୍ଗ ଦେଇଥିଲେ । ଗାଈ ଚରାଳି ମଧ୍ୟ ବାଘ ଆଗରେ ଅସହାୟ ହୋଇ ପଡ଼ିଥିଲେ । ବାଘ ଭୟରେ ପୁନଉରାମ ଗାଈଗୋରୁ ଧରି ଫେରି ଆସିଥିଲେ । ଆଜି ସକାଳେ ଧରମବନ୍ଧା ସରପଞ୍ଚ ଶ୍ରୀ କଲାର ଘଟଣାସ୍ଥଳକୁ ଯାଇ ଗାଈର ମୃତଦେହ ପଡ଼ିଥିବା ସ୍ଥାନରୁ ଫଟୋ ଉଠାଇ ଆଣିଥିଲେ । ପରେ ବନ ବିଭାଗ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସରପଞ୍ଚ ଘଟଣାସ୍ଥଳ ବୁଲି ଦେଖିଥିଲେ । ଗାଈଟିକୁ ୨୦ ମିଟର ଦୂର ଯାଏଁ ଘୋଷାରି ନେଇଥିଲେ ବାଘ । ଜଙ୍ଗଲ ଭିତରୁ ବାଘର ଗର୍ଜନ ଶୁଭୁଥିବାବେଳେ ପଶୁପକ୍ଷୀଙ୍କ ରାବରୁ ବାଘ ନିକଟରେ ଥିବା ଜଣାପଡ଼ିଥିଲା ।
ବାଘ ଭୟରେ ଲୋଡ୍ରା, ଧରମବନ୍ଧା, ଧରସପଡ଼ା, ଡୋଙ୍ଗରୀପଡ଼ା ଭଳି ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସନ୍ଧ୍ୟା ହେଲେ ଲୋକେ ବାଘ ଭୟରେ ଘରୁ ବାହାରୁ ନାହାନ୍ତି । ସନ୍ଧ୍ୟା ପୂର୍ବରୁ ତାଟି କବାଟ ବନ୍ଦ । ଛୁଆ ପିଲା ଶୋଇ ଯାଉଛନ୍ତି । ବାଘ ଆତଙ୍କରେ ଲୋକେ ଦିନରେ ଚାଷଜମିକୁ ଯାଉନାହାନ୍ତି । ଧାନ ଫସଲ ଅମଳ ପ୍ରଭାବିତ ହେଉଛି । ଏପଟେ ଫସଲ ଚିନ୍ତା ସେପଟେ ଜୀବନ ଭୟରେ ଚାଷୀ ଏବେ ହରଡ଼ଘଣାରେ ପଡ଼ିଛି । ଆଜି ମଧ୍ୟାହ୍ନରେ ଧରମବନ୍ଧା ବନ୍ୟପ୍ରାଣୀ ବିଭାଗ ଫରେଷ୍ଟର ନୂଆରାମ ମାଝି, ଗାର୍ଡ ଫେଣ୍ଟମ କୁଲଦୀପ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ଛୁଆପିଲାଙ୍କୁ ଜଙ୍ଗଲ ପଟେ ନ ଛାଡ଼ିବା ଏବଂ ଗୋÂୀବଦ୍ଧ ଭାବେ ଯା’ଆସ କରିବାକୁ କହିଥିଲେ । ଏନେଇ ଫରେଷ୍ଟର ଶ୍ରୀ ମାଝିଙ୍କୁ ପଚାରିବାରୁ କହିଛନ୍ତି, ଗାଈକୁ ବାଘ ଖାଇଥିବା ଅନୁମାନ କରୁଛୁ । ଗାଈ ମାଲିକ ବନ୍ୟପ୍ରାଣୀ ବିଭାଗ ନିକଟରେ ଲିଖିତ ଆବେଦନ କଲେ ସରକାରୀ ସହାୟତା ଯୋଗାଇ ଦିଆଯିବ । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛୁ ।


Comments are closed, but trackbacks and pingbacks are open.