ଶତାଧିକ ଏକ ଜମିରେ ଧାନ ଫସଲ ନଷ୍ଟ ଆଶଙ୍କା

Get real time updates directly on you device, subscribe now.

ଛତ୍ରପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଞ୍ଚଳର ଚାଷୀ ହଟହଟା ହୋଇଛି । ଘରୋଇ ଡିଲରଠାରୁ କିଣିଥିବା ପ୍ରିମିୟମ୍ ସୋନା ଧାନ ବିହନ ଗଛ ହେବା ପରେ ନଷ୍ଟ ହୋଇ ଯାଉଥିବା ଅଭିଯୋଗ ହୋଇଛି । ପାଗ ଅନୁକୂଳ ହେବା ପରେ ଧାନ ତଳ ପକାଇଥିଲେ ଚାଷୀ । ତଳି ଠିକ୍ ସମୟରେ ରୁଆ ହୋଇଥିଲା । ବିଲରେ ତଳି ରୋଇବା ପରେ ଧାନ ଗଛରୁ କେଣ୍ଡା ବାହାରି ନଷ୍ଟ ହୋଇଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଶହଶହ ଏକର ଚାଷ ଜମିରେ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହୋଇଛି । ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର, ମୟୂରପଦା ସମେତ ବହୁ ଗ୍ରାମରେ ଚାଷୀମାନେ ସଅଳ ଧାନ ବିହନ ତଳି ପକାଇଥିଲେ । ତଳି ପକାଇବାର ୨ ମାସ ଭିତରେ ଧାନ କେଣ୍ଡା ବାହାରିବ । ତେବେ ପୂର୍ବରୁ ସବୁ ଠିକ୍ଡାକ୍ ଥିଲା । ବିହନ ପଡ଼ିଲା, ତଳି ଉପାଡ଼ି ରୁଆ ହେଲା । ନିର୍ଦ୍ଧାରିତ ସମୟରେ କେଣ୍ଡା ବାହାରିଲା । କିନ୍ତୁ କେଣ୍ଡାରେ ଧାନ ହେଲାନି । ବରଂ ଧାନ କେଣ୍ଡା ହଳଦିଆ ପଡ଼ି ପାଚିଗଲା । ଧାନ ତଳି ରୋଇବାର ୧୫ଦିନ ମଧ୍ୟରେ ଧାନକେଣ୍ଡା ବାହାରି ଧାନଗଛ ଗୁଡିକ ନଷ୍ଟ ହେଉଯାଇଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏପରି ପରିସ୍ଥିତି ହୋଇଛି ଯେ ଆଉ ବିହନ ନାହିଁ । ତଳି ପକାଇବା ସମୟ ମଧ୍ୟ ଅତିକ୍ରାନ୍ତ ହୋଇଛି । ଏପରି ପରିସ୍ଥିତିରେ ବହୁ ଚାଷ ଜମିରେ ଚଳିତ ବର୍ଷ ଧାନ ହେବ ନାହିଁ । ଗଞ୍ଜାମ ସହରର କୃଷି ବିଭାଗ ଲାଇସେନ୍ସ ପ୍ରାପ୍ତ ଘରୋଇ ବିହନ କେନ୍ଦ୍ରରୁ ପ୍ରିମିୟମ୍ ସୋନା ବିହନ କିଣିଥିଲେ ବୋଲି କହିଛନ୍ତି ଚାଷୀ । କୃଷି ବିଭାଗ ତଦନ୍ତ କରି ପଦକ୍ଷେପ ନେବା ପାଇଁ ଚାଷୀମାନେ ଅନୁରୋଧ କରିଛନ୍ତି । ଅଭିଯୋଗ ପାଇବା ପରେ ବିହନ ଯୋଗାଣ କରୁଥିବା କମ୍ପାନିର ଏକ ଟିମ୍ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି । କୃଷି ଉପନିଦେ୍ର୍ଧଶକ (ଡିଡିଏ) କାଶୀନାଥ ଖୁଣ୍ଟିଆ ଏନେଇ ପ୍ରତିକ୍ରିୟା ପ୍ରକାଶ କରି କହିଲେ ଯେ ଘରୋଇ ବିହନ ଡିଲର ଠକିଥିବା ଜଣାପଡ଼ିଲେ ଏତଲା ଦିଆଯିବ । ଘଟଣାର ତଦନ୍ତ କରାଯିବ ଓ ସମ୍ପୃକ୍ତ ଡିଲରଙ୍କ ଲାଇସେନ୍ସ ରଦ୍ଧ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons