ଶବକୁ ମିଳିଲାନି ସମ୍ମାନ

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କେହି ଆପଣାର ନ ଥିବାରୁ ପଚାରିଲାନି ପ୍ରଶାସନ । ଆଡେ଼ଇହୋଇ ରହିଲା ମାନବିକତା । କରୋନା ସଂକ୍ରମିତ ସନେ୍ଦହ କରି ମୃତଦେହକୁ ଶ୍ମଶାନ କଡ଼ରେ ଫୋପାଡ଼ି ଦିଆଗଲା । ଜଣା ନ ପଡ଼ିବା ଲାଗି ଶବ ଉପରେ ଘୋଡ଼ାଇ ଦିଆଗଲା ଗଛର ପତ୍ର । ପରେ ମୃତଦେହ ପଡ଼ିଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଦେଖାଦେଇଥିଲା ଚାପା ଉତ୍ତେଜନା । ଯାହା ପୁଲିସ ଓ ପୌର କର୍ମଚାରୀଙ୍କ ଅବହେଳାକୁ ପଦାରେ ପକାଇ ଦେଇଛି । ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶେଷରେ ସଦର ପୁଲିସ ପହଞ୍ଚି ପୌର କର୍ମଚାରୀଙ୍କ ସହାୟତାରେ ମୃତଦେହର ଅନ୍ତିମ ସକ୍ରାର କରିଛି । ଏଭଳି ଅମାନବୀୟ ଘଟଣା ଘଟିଛି ପୌରାଞ୍ଚଳରେ ।
ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଓ ଅସହାୟ ଅବସ୍ଥାରେ ପଡ଼ିଥିବା ବେଳେ କେହି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ । ତାଙ୍କ ପରିଚୟ ଜଣାପଡ଼ି ନ ଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତୁ୍ୟ ହୋଇଥିଲା । ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାକୁ ସୂଚନା ଦେଇଥିଲେ । ଅଜଣା ବ୍ୟକ୍ତି ହୋଇଥିବାରୁ ଥାନାର ଜଣେ ଅଧିକାରୀ କୁଆଡେ଼ କେତେକ ଲୋକଙ୍କୁ ଡାକି ମୃତଦେହ ପୋତିଦେବାକୁ ନିଦେ୍ର୍ଧଶ ଦେଇଥିଲେ । ପିପିଇ କିଟ୍ ପିନ୍ଧି ମହାପ୍ରୟାଣ ଗାଡ଼ିରେ ଶବ ନିଆଯାଇଥିଲା ଚମ୍ପାକୁପୁଲି ଶ୍ମଶାନ ପାଖରେ ଥିବା କେନାଲ ଅଞ୍ଚଳକୁ । ମୃତଦେହ ଛାଡ଼ି ଗାଡ଼ି ଚାଲି ଆସିଥିଲା । ଶବ ସକ୍ରାର ଲାଗି ଯାଇଥିବା ବ୍ୟକ୍ତିମାନେ ମୃତଦେହକୁ ନ ପୋତି ପିଙ୍ଗି ଦେଇଥିଲେ । ଜଣା ନ ପଡ଼ିବା ଲାଗି ଉପରେ ଗଛର ପତ୍ର ଘୋଡ଼ାଇ ଦେଇଥିଲେ । ପତ୍ର ଖସିପଡ଼ିବା ପରେ ମୃତଦେହ ବାହାରକୁ ଦେଖାଯାଇଥିଲା । ଏ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ପ୍ରଶାସନର ଏଭଳି ଖାମ୍ଖିଆଲି କାମର ତୀବ୍ର ବିରୋଧ କରିଥିଲେ । ଖବରପାଇ ସଦର ଥାନାର ଜଣେ ଅଫିସର ଶ୍ମଶାନରେ ପହଞ୍ଚିଥିଲେ । ପୌର କର୍ମଚାରୀଙ୍କୁ ଖବର ଦେବା ପରେ ମେସିନ୍ରେ ଗାତ ଖୋଳା ଯାଇଥିଲା । ଅପରାହ୍ନରେ ମୃତଦେହ ସକ୍ରାର କରାଯାଇଥିଲା । ପ୍ରଶ୍ନ ଉଠୁଛି, ଜଣେ ଅଜଣା ବ୍ୟକ୍ତିଙ୍କ ଶବ ହୋଇଥିବାରୁ ପୁଲିସ କିମ୍ବା ପୌର କର୍ମଚାରୀ ଶ୍ମଶାନକୁ ଗଲେ ନାହିଁ କି? ଡାକିଥିବା ବ୍ୟକ୍ତିଙ୍କ ହାତରେ ଦାୟିତ୍ୱ ଦେଇ କାହିଁକି ନିଶ୍ଚିନ୍ତରେ ବସିଗଲେ । ଶବ ସକ୍ରାର ସରିବା ପର୍ଯ୍ୟନ୍ତ ପୁଲିସ ଉପସ୍ଥିତ ରହିବା କଥା । କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ କରାଗଲା କାହିଁକି?
କେବଳ ଏହି ଘଟଣା ନୁହେଁ । କିଛିଦିନ ପୂର୍ବେ ସ୍ଥାନୀୟ କୋଭିଡ୍ ହସ୍ପିଟାଲ୍ରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିଲା । ନିୟମ ଅନୁଯାୟୀ, ଟାଉନ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ କୋଭିଡ୍ ଶ୍ମଶାନରେ ଉପସ୍ଥିତ ରହିବା କଥା । ଶବ ଶ୍ମଶାନରେ ପହଞ୍ଚିବା ପରେ ଅଧିକାରୀମାନେ ଚାଲି ଆସିଥିଲେ । ସକ୍ରାର ଚାଲିଥିବା ବେଳେ ସେଠାକାର କେତେକ ଯୁବକ ପହଞ୍ଚି ପାଟିତୁଣ୍ଡ କରିଥିଲେ । ପ୍ରଶାସନ ପକ୍ଷରୁ ଶବ ସକ୍ରାର ଲାଗି ନିଯୁକ୍ତ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରିଥିଲେ । ଶବଦାହର ଭିଡିଓ ଉତ୍ତୋଳନ କରିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ଟାଉନ ପୁଲିସ ପହଞ୍ଚି ଯୁବକଙ୍କ ଭିତରୁ ଜଣଙ୍କୁ କାବୁ କରି ଚେତାବନୀ ଦେଇ ଛାଡ଼ିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons