ବୈପାରିଗୁଡା,(ବି.ବି.ନୁ୍ୟଜ୍): କାର୍ତ୍ତିକ ଶେଷ ସୋମବାରରେ ଅଘଟଣ । ନଦୀରେ ଭାସି ଯାଇ ଜଣେ ଛାତ୍ରଙ୍କର ମୃତୁ୍ୟ ହୋଇଛି । କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱରଙ୍କ ପୀଠସ୍ଥିତ ଶାବରୀ ନଦୀରେ ଏହି ଦୁର୍ଘଟଣା ଘଟିଛି । ମୃତ ଛାତ୍ର ହେଲେ ବୈପାରିଗୁଡାର କେ. ରତନ କୁମାର ଆଚାରୀଙ୍କ ବଡପୁଅ ଡି. ରିତିକ୍ । ସେ ସ୍ଥାନୀୟ ଡିଗ୍ରୀ କଲେଜର ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ସନ୍ଧ୍ୟା ହୋଇଯିବାରୁ ତାଙ୍କ ଶବ ଉଦ୍ଧାର କରାଯାଇପାରି ନାହିଁ ।
ସୂଚନା ଅନୁସାରେ, କାର୍ତ୍ତିକ ଶେଷ ସୋମବାର ଯୋଗୁ ପୀଠକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରିତିକ୍ ନଦୀକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା । ଅସାବଧାନତାରୁ ତାଙ୍କ ଗୋଡ ଖସି ଯାଇଥିଲା । ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ । ଏଥିରେ ତାଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ରାମଗିରୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ନଦୀରୁ ଶବକୁ ବାହାର କରିବାକୁ ଦମକଳ ବାହିନୀର ସାହାଯ୍ୟ ନିଆଯାଇଥିଲା । ତେବେ ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା । ଆସନ୍ତା କାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ପୁଲିସ କହିଛି । ରିତିକ୍ର ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ବିପଦସଙ୍କୁଳ ଶାବରୀ ନଦୀ କୂଳରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।


Comments are closed, but trackbacks and pingbacks are open.