ହାଟଡ଼ିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରୈଗାଁ ପଞ୍ଚାୟତର ଜଗନ୍ନାଥପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କଥାକୁ ନେଇ ଶାଶୂ ଓ ବୋହୂଙ୍କ ଭିତରେ ଝଗଡ଼ା ଲାଗିବା ପରେ ବୋହୂ ନିଜର ମାନସିକ ଭାରସାମ୍ୟ ହରାଇ ୩ ବର୍ଷର ପୁଅକୁ ଶ୍ୱାସରୁଦ୍ଧ କରି ମାରିଦେଇଛି । ଏହାପରେ ନିଜେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଜଗନ୍ନାଥପୁର ଗ୍ରାମର କୃଷ୍ଣ ପ୍ରଧାନଙ୍କ ପୁଅ ବିଶ୍ୱଜିତ ପ୍ରଧାନ ବଡ଼ପିଞ୍ଜରା ଗ୍ରାମର ମୋନାଲିସାଙ୍କୁ ୪ ବର୍ଷ ତଳେ ଭଲ ପାଇ ବିବାହ କରିଥିଲେ । ବିବାହ ପରେ ସେମାନେ ବାହାରେ ଥିବାବେଳେ ଗତ ଦେଢ଼ବର୍ଷ ହେଲା ଘରକୁ ଫେରି ଥିଲେ । କିନ୍ତୁ ଶାଶୂ ଓ ବୋହୂ ବହୁ ସମୟରେ ଝଗଡ଼ା ଝାଟି ଲାଗିଥାନ୍ତି । ଆଜି ସକାଳେ ମଧ୍ୟ କୌଣସି କାରଣକୁ ନେଇ ଶାଶୂ ଓ ବୋହୂଙ୍କ ଭିତରେ ଝଗଡ଼ା ହୋଇଥିଲା । ଏଥିରେ ବୋହୂ ମୋନାଲିସା ମାନସିକ ଭାରସାମ୍ୟ ହରାଇ ନିଜର ୩ ବର୍ଷର ପୁଅ ଦ୍ୱୀପାଶୁଂକୁ ଧରି ଘର ଭିତରେ ପଶିଯାଇ ଆଉ କବାଟ ଖୋଲି ନଥିଲା । ଏହା ଜାଣିବା ପରେ ଗାଁର କିଛି ବ୍ୟକ୍ତି କବାଟ ଭାଙ୍ଗି ମା’ ଓ ପୁଅକୁ ଉଦ୍ଧାର କରିଥିଲେ । ସେତେବେଳକୁ ପୁଅର ମୃତୁ୍ୟ ହୋଇ ସାରିଥିବାବେଳେ ମା’କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତୁରନ୍ତ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ୩ ବର୍ଷର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ମୋନାଲିସାର ଚିକିତ୍ସା କରୁଥିବା ଜଣାଯାଇଛି । ମୋନାଲିସା ପୁଅକୁ ଶ୍ୱାସରୁଦ୍ଧ କରି ମାରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.