
ନୀଳଗିରି,(ବି.ବି.ନୁ୍ୟଜ): ନୀଳଗିରି ଉପଖଣ୍ଡସ୍ଥ କୁଲଡିହା ଅଭୟାରଣ୍ୟରୁ ସୋମବାର ଭୋର ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ୩ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଶିକାରୀ ପାଖରୁ ମାରଣାସ୍ତ୍ର ଜବତ ହୋଇଛି ।
ଘଟଣାରୁ ପ୍ରକାଶ, ଏବେ ଅଭୟାରଣ୍ୟରେ ଅଖଣ୍ଡ ଶିକାର ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିଛି । ନୀଳଗିରି ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପଞ୍ଚଲିଙ୍ଗେଶ୍ୱର ବିଟ୍ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ, ଫରେଷ୍ଟ ଗାର୍ଡ ରାମେଶ୍ୱର ମୁର୍ମୁ, ସିଙ୍ଗରାଇ ହେମ୍ବ୍ରମ ଓ ସବୁଜ ବାହିନୀ ଗତ ରବିବାର ରାତିରେ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । କେତେକ ଶିକାରୀ କୁଲଡିହା ଅଭୟାରଣ୍ୟରେ ପ୍ରବେଶ କରିଥିବା ସୂଚନା ପାଇ ଚଢ଼ଉ କରିଥିଲେ । ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ଢୋଲପୁର ଗ୍ରାମର ଶିକାରୀ ଗଣପତି ସିଂ (୫୦)କୁ କାବୁ କରିବା ସହ ତା’ ପାଖରୁ କଟୁରି, ବନ୍ଧୁକ ରଡ଼, ଟର୍ଚ୍ଚ ଆଦି ଜବତ କରିଥିଲେ । ଅନ୍ୟ ୩ ଶିକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । କୁଲଡିହା ବନ ବିଭାଗ ମାମଲା ରୁଜୁ କରି ଗିରଫ ଶିକାରୀକୁ କୋର୍ଟ ଚାଲାଣ କରିଛି ।


Comments are closed, but trackbacks and pingbacks are open.