କୋକସରା,(ବି.ବି.ନୁ୍ୟଜ): ବନ୍ଧୁମାନଙ୍କ ସହ ଶିକାର ପାଇଁ ଯାଇଥିଲେ । ହେଲେ ନିଜେ ଶିକାର ହୋଇଗଲେ । ପୁଲିସ ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଜଙ୍ଗଲ ଭିତରୁ ଠାବ କରିବା ପରେ ତାଙ୍କ ମୃତୁ୍ୟକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଯୁବକ ଜଣକ ନିଜ ବନ୍ଧୁକ ଦ୍ୱାରା ଶିକାର ହେଲେ ନା ବନ୍ଧୁମାନଙ୍କ ଗୁଳିରୁ ପ୍ରାଣ ହରାଇଛନ୍ତି, ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏଭଳି ଘଟଣାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମୃତ ଯୁବକ ହେଲେ ବଡ଼ପୁଝାରିଗୁଡା ସବିଗୁଡା ଗାଁର ଯୁଗେଶ୍ୱର ରାଉତଙ୍କ ପୁଅ ସୁରେନ୍ଦ୍ର ରାଉତ (୨୫) । ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ପାଖରେ ଏକ ଦେଶୀ ବନ୍ଧୁକ ମଧ୍ୟ ପୁଲିସ ଠାବ କରିଛି । ଜୟପାଟଣା ଥାନା ବେଳକର ଜଙ୍ଗଲ ଭିତରେ ଆଜି ଏକ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଜୟପାଟଣା ଥାନା ପୁଲିସ ଅଧିକାରୀ ରଶ୍ମିତା ପ୍ରଧାନ, ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ନାରାୟଣ ନାୟକ ପହଞ୍ଚି ସାଇଫିଣ୍ଟିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ଛାନ୍ଭିନ୍ ପରେ ଜଣାପଡ଼ିଥିଲା ଯେ, ବଡ଼ପୁଝାରିଗୁଡା ସବିଗୁଡା ଗାଁର ସୁରେନ୍ଦ୍ର ଓ ତାର ୪ ସାଙ୍ଗ ମହେତ ପୁଝାରୀ, ଯୁବରାଜ ପୁଝାରୀ, ଶିଶିର ରାଉତ ଓ ଅନ୍ୟ ଜଣେ ସୁପାଡ଼ ଗ୍ରାମର ଭୁର୍ଲ୍ଲୀ ମଙ୍ଗଳବାର ବେଳକର ଜଙ୍ଗଲକୁ ଜଙ୍ଗଲୀ କୁକୁଡ଼ା ଶିକାର କରିବାକୁ ଯାଇଥିଲେ । ସନ୍ଧ୍ୟା ଯାଏ ସୁରେନ୍ଦ୍ର ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ ପାଇ ନଥିଲେ । ପୁଅର ଗୁଳିବିଦ୍ଧ ମୃତଦେହ ବେଳକର ଜଙ୍ଗଲ ନିକଟରେ ପଡିଥିବା ଖବର ପାଇଥିଲେ । ଏହାପରେ ସେମାନେ ସୁରେନ୍ଦ୍ରଙ୍କ ବନ୍ଧୁମାନଙ୍କ ଉପରେ ସନେ୍ଦହ ପ୍ରକାଶ କରିଥିଲେ । ତାର ସାଙ୍ଗମାନେ ହିଁ ସୁରେନ୍ଦ୍ରକୁ ଗୁଳି କରି ହତ୍ୟା କରିଥିବା ବାପା ଯୁଗେଶ୍ୱର ଅଭିଯୋଗ ଆଣିଛନ୍ତି । ସୁରେନ୍ଦ୍ରକୁ ହତ୍ୟା କରାଯାଇଛି ନା ଶିକାରୀ ଗୁଳି ଲାଗିଛି ନା ନିଜ ପଟୁ ଗୁଳି ବାଜିଛି ତାହା ଏବେ ପୁଲିସ ଯାଞ୍ଚ କରୁଛି । ଘଟଣା ପରେ ସୁରେନ୍ଦ୍ରଙ୍କ ୪ ସାଙ୍ଗ ମଧ୍ୟରୁ ୨ ଜଣ ଫେରାର ହୋଇ ଯାଇଛନ୍ତି । ଆଉ ୨ ଜଣଙ୍କୁ ପୁଲିସ ଅଟକ ରଖି ଜେରା କରୁଛି ।
Comments are closed, but trackbacks and pingbacks are open.