
ସୋନପୁର,(ବି.ବି.ନୁ୍ୟଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପଥରଘାଟ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଘରେ ଚଢ଼ଉ କରିଛି । ଭିଜିଲାନ୍ସ ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ଉ କରି ଶିକ୍ଷକ ଶ୍ରୀ ସାହୁଙ୍କ ସମୁଦାୟ ୨କୋଟି ୧୦ଲକ୍ଷ ୫୨ହଜାର ଟଙ୍କାର ସମ୍ପତ୍ତି ଥିବା ଠାବ କରିଛି । ଏହାବାଦ ୪ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ବିଭିନ୍ନ ଇନସୁ୍ୟରାନ୍ସ କମ୍ପାନିରେ ଡିପୋଜିଟ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ବୀରମହାରାଜପୁର ବ୍ଲକ ପଥରଘାଟ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ସାହୁଙ୍କ ବୀରମହାରାଜପୁର ସଦର ନିକଟ ବାଘମାରିସ୍ଥିତ ବାସଭବନ ଏବଂ କେନଝରିଆପାଲିସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗ ଏକକାଳୀନ ଚଢ଼ଉ କରିଥିଲା । ଶିକ୍ଷକଙ୍କ ଉଭୟ ବାସଭବନରେ ୨ମହଳା କୋଠା, ବୀରମହାରାଜପୁର ବାସଭବନରେ ୧୫ଟି ଷ୍ଟଲ୍, ୧୮ଟି ପ୍ଲଟ୍ ଏବଂ ୧୦ରୁ ଊଦ୍ଧ୍ୱର୍ ଘର ଭଡ଼ାସୂତ୍ରରେ ଲାଗିଛି । ଏଥିସହ ଗୋଟିଏ ଚାରିଚକିଆ ଯାନ, ଗୋଟିଏ ବାଇକ୍, ଘରର ବିଭିନ୍ନ ଆସବାବପତ୍ର, ବୈଦୁ୍ୟତିକ ଉପରକଣ, ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଜମାରାଶି ଏବଂ ୨ଲକ୍ଷ ୯୬ହଜାର ଟଙ୍କା ନଗଦ ଥିବା ଠାବ କରିଛି । ସନ୍ତୋଷ ଲୋକଙ୍କ ଠାରୁ ସୁନା ବନ୍ଧକ ସୂତ୍ରରେ ରଖୁଥିବା ବେଳେ ମହାଜନୀ କାରବାରରେ ମଧ୍ୟ ସଂପୃକ୍ତ ଥିବା ଭିଜଲାନ୍ସ ଡିଏସ୍ପି ଦାଶରଥି ସେଠୀ ସୂଚନା ଦେଇଛନ୍ତି । ବଲାଙ୍ଗିର ଭିଜିଲାନ୍ସ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ସୁବର୍ଣ୍ଣପୁର ଓ ସମ୍ବଲପୁର ଭିଜିଲାନ୍ସ କର୍ମଚାରୀ ଚଢ଼ଉରେ ସାମିଲ ଥିଲେ । ପ୍ରକାଶ ଯେ ଶିକ୍ଷକ ସନ୍ତୋଷ ସାହୁ ନିଜ ଗାଁ କେନଝରିଆପାଲି ନିକଟସ୍ଥ ବାଘରତଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବାବେଳେ ଗତ କିଛିଦିନ ପୂର୍ବରୁ ବୀରମହାରାଜପୁର ନିକଟ ପଥରଘାଟକୁ ଡେପୁଟେସନରେ ଯାଇଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.