ଶିକ୍ଷୟିତ୍ରୀ ପତ୍ନୀ ସହ ଧାନ କାଟିଲେ ବିଧାୟକ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ହାତରେ ଥିଲା ଦା’ । ହାଫ୍ପ୍ୟାଣ୍ଟ ସାଙ୍ଗକୁ ଅଣ୍ଟାରେ ଭିଡ଼ାଯାଇଥିଲା ଗାମୁଛା । ଧାନ କାଟିବାରେ ଲାଗି ପଡ଼ିଥିଲେ ସେ । ହଁ, ସେ କୌଣସି କୃଷି ଶ୍ରମିକ ନଥିଲେ । ଥିଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ତାଙ୍କ ସହ ହାତକୁ ହାତ ମିଶାଇ ଶିକ୍ଷୟିତ୍ରୀ ପତ୍ନୀ ଚଇତି ଗଣ୍ଡ ମଧ୍ୟ ଧାନ କାଟିଥିଲେ । ଇଏ ହେଉଛି ବିଧାୟକ ନିତ୍ୟାନନ୍ଦଙ୍କ ନିଜ ଗାଁ ରାଇଘର ବ୍ଲକ ଚିତ୍ରକୋଟରେ ଥିବା ଚାଷଜମିର ଦୃଶ୍ୟ ।
ନିତ୍ୟାନନ୍ଦ କହିଛନ୍ତି, ବିଧାୟକ ହେବା ଆଗରୁ ସେ ଜଣେ ଚାଷୀ ପରିବାରର ପୁଅ । ଚାଷ ତାଙ୍କ କୌଳିକ ବୃତ୍ତି । ପିଲା ବେଳରୁ ଚାଷକାମ ପ୍ରତି ଅହେତୁକ ଦୁର୍ବଳତା ରହିଛି । ଏହି କାମକୁ ସେ କେବେ ଛାଡିପାରିବେ ନାହିଁ । ଅନ୍ୟପକ୍ଷରେ କୃଷି ଶ୍ରମିକଙ୍କ ସହ ମିଶି କାମ କଲେ ସେମାନଙ୍କ ମନୋବଳ ବଢିବ । ତାଙ୍କର ୩୦ ଏକର ଜମି ରହିଛି । ଏଥିରେ ଧାନ, ମକା, କଦଳୀ ଚାଷ ସହିତ ୩ଟି ପୋଖରୀରେ ମାଛ ଚାଷ କରୁଛନ୍ତି । ଫୁରସତ ମିଳିଲେ ଚାଷ କାମ କରିବାକୁ ପୈତୃକ ଗାଁରେ ପହଞ୍ଚୁଛନ୍ତି । ସବୁକିଛି ବୁଝାସୁଝା କରୁଛନ୍ତି । ପତ୍ନୀ ଚଇତିଙ୍କ ସ୍କୁଲ ଛୁଟି ଥିବାରୁ ସେ ବି ଧାନକଟା କାମରେ ତାଙ୍କୁ ହାତ ବଟାଉଛନ୍ତି । ଚାଷ ବିନା ଜୀବିକା ନାହିଁ । ତେଣୁ ଆଗାମୀ ଦିନରେ ସମସ୍ତଙ୍କୁ କୃଷି କ୍ଷେତ୍ରକୁ ଆପଣାଇବାକୁ ପଡିବ । ଦିନ ଆସିବ, ଶିକ୍ଷିତ ଯୁବକ ଯୁବତୀମାନେ କୃଷି କାମକୁ ସବୁଠୁ ଅଧିକ ଆପଣାଇବେ ବୋଲି ସେ କହିଛନ୍ତି । ବିଧାୟକ ଏକଥା ବି କହିଛନ୍ତି ଯେ, ଧାନକଟା କାମକୁ ଅଧାରେ ରଖି ଉପନିର୍ବାଚନ ପ୍ରଚାରରେ ବାଲେଶ୍ୱର ଯିବା କାର୍ଯ୍ୟକ୍ରମ ରହିଛି ।
ସୂଚନାଥାଉକି, ଏହାପୂର୍ବରୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ଜମିରେ ଧାନ ରୋଇ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । ନିର୍ବାଚିତ ବିଧାୟକମାନେ କୃଷିକୁ ଗୁରୁତ୍ୱ ଦେଉଥିବାରୁ ଏହା ଶିକ୍ଷିତ ବେକାର ଯୁବକଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons