ଶିବସେନାର ଜିଦ୍ ୫୦:୫୦

Get real time updates directly on you device, subscribe now.

ନୂଆଦିଲ୍ଲୀ/ମୁମ୍ବାଇ: ହରିଆଣାରେ ବିଜେପି ସରକାର ଗଢ଼ିବା ନେଇ ରାସ୍ତା ସଫା ହୋଇଯାଇଛି । କିନ୍ତୁ ମହାରାଷ୍ଟ୍ରକୁ ନେଇ ଏ ପର୍ଯ୍ୟନ୍ତ ଗଣିତ ଛିଡ଼ିନାହିଁ । ବିଜେପିର ମେଣ୍ଟ ସହଯୋଗୀ ଶିବସେନା ୫୦:୫୦ ଜିଦ୍ରେ ଅଟଳ ରହିଛି । ଅର୍ଥାତ ମହାରାଷ୍ଟ୍ରକୁ ଅଢେ଼ଇ ବର୍ଷ ଶାସନ କରିବା ନିଷ୍ପତ୍ତିରେ ଦଳ ଅଟଳ ରହିବାରୁ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଶିବସେନା ଅଢେ଼ଇ ବର୍ଷ ଧରି ଶାସନ କଲେ ରାଜ୍ୟରେ ବିଜେପିର ଭୋଟ୍ ସନ୍ତୁଳନ ବିଗିଡିଯିବାର ସମ୍ଭାବନା ରହିଛି ।
ନିର୍ବାଚନ ଫଳାଫଳ ପ୍ରକାଶ ଦିନ ବିଜେପିକୁ ୫୦:୫୦ ଫର୍ମୁଲା ସ୍ମରଣ କରାଇଥିଲା ଶିବସେନା । ଶନିବାର ଏଥିପାଇଁ ଦଳ ନିଜ ସ୍ୱରକୁ ଆହୁରି ଶାଣିତ କରିଛି । ଅଢେ଼ଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦରକାର ଏବଂ ବିଜେପି ନେତୃବୃନ୍ଦ ଏଥିଲାଗି ଲିଖିତ ପ୍ରତିଶ୍ରୁତି ଦେବା ଆବଶ୍ୟକ ବୋଲି ଦଳ ଦାବି କରିଛି ।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମୁମ୍ବାଇସ୍ଥିତ ବାସଭବନ ମାତୋଶ୍ରୀରେ ଶନିବାର ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ନିର୍ବାଚନ ଫଳାଫଳ ବାବଦରେ ବ୍ୟାପକ ଆଲୋଚନା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ଦଳୀୟ ନେତା ପ୍ରତାପ ସରନାୟକ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ୫୦:୫୦ ଫର୍ମୁଲା ସଂକ୍ରାନ୍ତରେ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମେଣ୍ଟ ଚୂଡ଼ାନ୍ତ ହୋଇଥିଲା । ସେହି ଦୃଷ୍ଟିରୁ ଦୁଇ ଦଳକୁ ଏବେ ମହାରାଷ୍ଟ୍ରରେ ୨.୫-୨.୫ ବର୍ଷ ସରକାର ଗଠନ କରିବାକୁ ସୁଯୋଗ ମିଳିବା ଉଚିତ । ଶିବସେନା ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ହକ୍ଦାର । ଏଥିନିମନ୍ତେ ଶିବସେନାକୁ ବିଜେପି ଲିଖିତ ପ୍ରତିଶ୍ରୁତି ଦେବା ଉଚିତ ।
ରାଜ୍ୟରେ ସରକାର ଗଠନ ନେଇ ବିଜେପି ଓ ଶିବସେନା ମଧ୍ୟରେ ଏଭଳି ଅଡୁଆ ପରିସ୍ଥିତି ଦେଖାଦେଇଥିବା ବେଳେ ଶିବସେନାକୁ ମହାରାଷ୍ଟ୍ର କଂଗ୍ରେସ ସବୁଜ ସଂକେତ ଦେଇଛି । ଶିବସେନା ନେତୃତ୍ୱ ସରକାରକୁ ଏହା ଦୃଢ଼ ସମର୍ଥନ ଦେଇପାରିବ ବୋଲି କଂଗ୍ରେସ କହିଛି । ଦଳର ବରିÂ ନେତା ତଥା ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ବିଜୟ ୱାଡେ଼ତିୱାର କହିଛନ୍ତି, ‘‘ବଲ୍ ଏବେ ବିଜେପି କୋର୍ଟରେ ରହିଛି । ତେଣୁ ବର୍ତ୍ତମାନ ମହାରାଷ୍ଟ୍ରରେ ଶିବସେନା ୫ ବର୍ଷ କିମ୍ବା ୨.୫ ବର୍ଷ ଶାସନ କରିବ, ତାହା ଦଳ ଉପରେ ନିର୍ଭର କରେ । ତେବେ ମୁଖ୍ୟମନ୍ତ୍ରୀ ପଦ ଭାଗବଣ୍ଟା ନେଇ ଏବେ ବିଜେପିର ପ୍ରତିକ୍ରିୟାକୁ ଅପେକ୍ଷା କରିବାକୁ ହେବ । ଯଦି ଶିବସେନା ଆମକୁ କୌଣସି ପ୍ରସ୍ତାବ ଦିଏ, ଆମେ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ପ୍ରସ୍ତୁତ ।’’
ୱାଡେ଼ତିୱାରଙ୍କ ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ବରିÂ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଛଗନ ଭୁଜବଳ ଏବଂ କଂଗ୍ରେସ ସାଂସଦ ହୁସେନ୍ ଦଲବୀ ମଧ୍ୟ ସମାନ ପ୍ରସ୍ତାବ ଦେଇଥିଲେ । ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରାଟ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଶିବସେନା ସହିତ ଆମର କୌଣସି କଥାବାର୍ତ୍ତା ହୋଇନାହିଁ । ଯଦି ଶିବସେନା ପକ୍ଷରୁ କୌଣସି ପ୍ରସ୍ତାବ ଆସେ, ଆମେ ତାହା ଉପରେ ବିଚାର କରିବୁ ।
ଉଲ୍ଲେଖଯୋଗ୍ୟ, ଚଳିତମାସ ୨୧ ତାରିଖରେ ମହାରାଷ୍ଟ୍ରର ମୋଟ ୨୮୮ ବିଧାନସଭା ଆସନରେ ନିର୍ବାଚନ ହୋଇଥିଲା । ବିଜେପିକୁ ୧୦୫ ଆସନ ମିଳିଥିବା ବେଳେ ସହଯୋଗୀ ଶିବସେନାକୁ ୫୬ ମିଳିଥିଲା । ସେହିଭଳି ଏନ୍ସିପିକୁ ୫୪ ଓ ସହଯୋଗୀ କଂଗ୍ରେସକୁ ୪୪ ଆସନ ମିଳିଥିଲା । ସରକାର ଗଠନ ଲାଗି ୧୪୫ ଆସନ ଆବଶ୍ୟକ ରହିଛି । କଂଗ୍ରେସ, ଏନ୍ସିପି ଏବଂ ଏମାନଙ୍କର ସହଯୋଗୀ ଦଳମାନେ ମୋଟ ୧୧୭ ଆସନ ପାଇଛନ୍ତି । ଯଦି ଏମାନେ ଶିବସେନାର ସାଥ୍ ଦିଅନ୍ତି, ତେବେ ରାଜ୍ୟରେ ଅଣବିଜେପି ସରକାର ଗଠନ ନେଇ କୌଣସି ଅସୁବିଧା ହେବନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons