ଶିମିଳିପାଳର ଆଉ ୯୦ ଜାଗାରେ ଲାଗିଲା ନିଆଁ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): ନିଆଁ ମାଡ଼ି ଚାଲିଛି ଏ ଜଙ୍ଗଲରୁ ସେ ଜଙ୍ଗଲକୁ । ଗୋଟିଏ ପଟୁ ଲିଭାଇଲାବେଳକୁ ଅନ୍ୟ ପଟୁ ଉଠୁଛି ନିଆଁ । ଶିମିଳିପାଳ ସ୍ଥିତି ଚିନ୍ତାଜନକ । ଆଜି ଆହୁରି ୯୦ଟି ନୂଆ ଜାଗାରେ ନିଆଁ ଉଠିଛି । ଅଗ୍ନିଶମ, ଓଡ୍ରାଫ୍ ଯେତେ ଯାହା ନିୟୋଜିତ କଲେ ବି ରାଜ୍ୟରେ ଅଣାୟତ୍ତ ଜଙ୍ଗଲ ନିଆଁ । ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଏବେ ଏକମାତ୍ର ଭରସା-ବର୍ଷା । କେବେ କାଳବୈଶାଖୀ ବର୍ଷା ଢାଳିବ, ସେଇ ଆଶାରେ ଉପରକୁ ଅନେଇ ବସିଛି ଜଙ୍ଗଲ ବିଭାଗ ।ଜଙ୍ଗଲ ବିଭାଗ ଯୁକ୍ତି ରଖିଛି, ଓଡ଼ିଶାରେ ଜଙ୍ଗଲ ନିଆଁ କିଛି ନୂଆ କଥା ନୁହେଁ । ପ୍ରତିବର୍ଷ ଏମିତି ନିଅାଁ ଲାଗେ । ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ‘ଅଗ୍ନି ଋତୁ’ କୁହାଯାଏ । ଗତ କିଛିଦିନ ହେବ ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଗତ ୩୦ ଦିନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ୧୪୨୮ଟି ଜାଗାରେ ନିଆଁ ଲାଗିଥିଲା । ବିଭାଗ ସଫେଇ ଦେଇଛି, ଶିମିଳିପାଳ ନିଆଁ ଏବେ ନିୟନ୍ତ୍ରଣରେ ଅଛି । କାରଣ ଦର୍ଶାଇବାକୁ ଯାଇ ବନ ବିଭାଗ କହିଛି, ଚଳିତବର୍ଷ ରାଜ୍ୟରେ ତାପମାତ୍ରା ଅଧିକ ରହୁଛି । ଢେର ଦିନ ହେବ ରାଜ୍ୟରେ ବର୍ଷା ମଧ୍ୟ ହୋଇନି । ଯେଉଁଥିପାଇଁ ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଇଛି ।
ଏଥିରୁ ସ୍ପଷ୍ଟ ଯେ ବର୍ଷା ହେଲେ ହିଁ ନିଆଁକୁ ଆୟତ୍ତ କରିହେବ । ଯଦିଓ ସରକାର କହୁଛି, ଜଙ୍ଗଲ ନିଆଁ ରୋକିବାକୁ ଅଗ୍ନିଶମ ଟିମ୍ ଲାଗିଛି । ବନ ବିଭାଗର ଶହଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶିମିଳିପାଳରେ ଓଡ୍ରାଫକୁ ବି ବ୍ୟବହାର କରାଯାଉଛି । କିନ୍ତୁ, ମୁଖ୍ୟତଃ ବ୍ଲୋଅର ସହାୟତାରେ ଅଗ୍ନି ନିରୋଧକ ରେଖା ଟାଣି ନିଆଁ ବ୍ୟାପିବାକୁ ରୋକାଯାଉଛି । ଏହାବାଦ୍ ଯେଉଁଠି ପାଣି ନେଇ ହେବ, ସେଥିପାଇଁ ଦମକଳ ଟିମ୍ ପାଇପରେ ପାଣି ପକାଉଛନ୍ତି । ଛୋଟ ଛୋଟ ନିଆଁରେ ବନ କର୍ମଚାରୀ ଡାଳ ବା ଝାଟିରେ ବାଡେ଼ଇ ନିଆଁ ଲିଭାଉଥିବା ଦେଖିବାକୁ ମିଳିଛି । ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ କହୁଛନ୍ତି, ଜଙ୍ଗଲର ତଳେ ତଳେ ନିଆଁ ମାଡ଼ୁଥିବାରୁ ବଡ଼ ଗଛ କିମ୍ବା ବନ୍ୟପ୍ରାଣୀଙ୍କ କ୍ଷତି ହୋଇନି । କେବଳ ଶୁଖିଲା ପତ୍ର, ଛୋଟ ଗଛଲତା ଓ ବୁଦା ଜଳିଛି । ବଡ଼ କ୍ଷୟକ୍ଷତି ହୋଇନି ।
ଏବେ ପ୍ରଶ୍ନ ଉଠୁଛି, ଯଦି ଏ ନିଆଁ ଉପରକୁ ଉଠେ କିମ୍ବା ବଡ଼ ଗଛକୁ ବ୍ୟାପିଯାଏ, ତେବେ କ’ଣ ହେବ? ବର୍ଷା ନ ହେଲେ ଦମକଳ ବାହିନୀର ଚିରାଚରିତ ବ୍ୟବସ୍ଥା ଓ ଯନ୍ତ୍ରପାତିରେ ଜଙ୍ଗଲ ବିଭାଗ ଜଙ୍ଗଲ ନିଆଁକୁ ରୋକିପାରିବ ତ?
ବିଶେଷଜ୍ଞଙ୍କ କହିବା କଥା ହେଲା, ପ୍ରତିବର୍ଷ ଓଡ଼ିଶାରେ ବ୍ୟାପକ ଜଙ୍ଗଲ ଜଳୁଛି । ତଥାପି କିଛି ବ୍ୟବସ୍ଥା ନାହିଁ । ଜଙ୍ଗଲ ନିଆଁରେ ଓଡ଼ିଶା ଶୀର୍ଷରେ ରହୁଛି କ’ଣ ପାଇଁ? କାହିଁକି ସ୍ଥାୟୀ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଯାଉନି?ଓଡ଼ିଶା ପରିବେଶ ସମିତି ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଅତ୍ୟାଧୁନିକ ବ୍ୟବସ୍ଥାରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ହେଲିକପ୍ଟର ବ୍ୟବହାର କରାଯାଇପାରିବ । ମାତ୍ର ଏ ବ୍ୟବସ୍ଥା ଆମ ପାଖରେ ନାହିଁ । ଏଭଳି ସ୍ଥିତିରେ ସବୁଠୁ ବଡ଼ ବ୍ୟବସ୍ଥା ହେଲା, ସ୍ଥାନୀୟ ନେଟୱର୍କିଂ । ଯେତେ ଅଧିକରୁ ଅଧିକ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ନିଆଁ ଲିଭା ଓ ଜଙ୍ଗଲ ରକ୍ଷା ମିଶନରେ ସାମିଲ କରିପାରିବ, ତାହା ବଡ଼ ଉପଯୋଗୀ ହେବ । ଅତ୍ୟାଧୁନିକ ଜିପିଏସ ଓ ଜିଏସଆଇର ବହୁଳ ବ୍ୟବହାର ଆବଶ୍ୟକ ।ଜଙ୍ଗଲ ବିଭାଗ ସଫେଇ ଦେଉଛି, ରାଜ୍ୟରେ ଜଙ୍ଗଲ ନିଆଁ ପୂର୍ବାପେକ୍ଷା କମିଛି । ୨୦୧୭ରେ ରାଜ୍ୟର ବିଭିନ୍ନ ଜଙ୍ଗଲର ୩୬,୮୨୭ଟି ଜାଗାରେ ନିଆଁ ଲାଗିଥିଲା । ୨୦୧୮ରେ ୧୯,୭୮୭ଟି ଓ ୨୦୨୦ରେ ୧୧,୦୮୮ଟି ସଂଖ୍ୟକ ବନାଗ୍ନି ଘଟିଛି । କିନ୍ତୁ, ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟରୁ ଜଣାପଡ଼ିଛି, ଜଙ୍ଗଲ ନିଆଁରେ ଓଡ଼ିଶା ଦେଶରେ ସବୁଠୁ ଆଗରେ । ଏହି ତଥ୍ୟ କହୁଛି, ଆଜି ଦିନକରେ ଭାରତରେ ୧୨୭୯ଟି ବନାଗ୍ନି ଘଟିଛି । ଏଥିରୁ ଓଡ଼ିଶାରେ ସର୍ବାଧିକ ୬୯୭, ଝାଡ଼ଖଣ୍ଡରେ ୧୭୧, ଛତିଶଗଡ଼ରେ ୮୧, ମଧ୍ୟପ୍ରଦେଶରେ ୯୧, ତେଲେଙ୍ଗାନାରେ ୭୭ । ସବୁଠୁ ଚିନ୍ତାର ବିଷୟ ହେଲା, ସୋମବାର ଶିମିଳିପାଳର ପ୍ରାୟ ୯୦ଟି ଜାଗାରେ ବଡ଼ ଧରଣର ନୂଆ ଅଗ୍ନିକାଣ୍ଡ ଘଟିଛି ।
ବିଶୋଇ ରେଞ୍ଜରେ ୧୧ଟି, ଗୁଡ଼ଗୁଡ଼ିଆରେ ୯ଟି, ଦୁଧିଆଣି ରେଞ୍ଜରେ ୮ଟି, ମନାଡ଼ାର ୮ଟି ଜାଗାରେ ନିଆଁ ଲାଗିଛି । ପିଠାବଟା ରେଞ୍ଜରେ ୬ଟି, ରାଇରଙ୍ଗପୁରରେ ୫ଟି, ଉଦଳାରେ ୬ଟି, ବାଙ୍ଗିରିପୋଷିରେ ୫ଟି, ଚହଳାରେ ୪ଟି, କୁଲଡିହାରେ ୩ଟି, ଡୁକୁରାରେ ୩ଟି, ନୱାନାରେ ୨ଟି, କପ୍ତିପଦାରେ ୩ଟି, ନ୍ୟାସନାଲ ପାର୍କରେ ୩ଟି, ଠାକୁରମୁଣ୍ଡାରେ ୨ଟି, ବାଦାମପାହାଡ଼ରେ ୨ଟି, କେନ୍ଦୁମୁଣ୍ଡିରେ ୩ଟି, ବହଳଦାରେ ୩ଟି, କରଞ୍ଜିଆରେ ୨ଟି ଓ ହଦଗଡ଼ ରେଞ୍ଜର ଗୋଟିଏ ଜାଗାରେ ଆଜି ନିଆଁ ଲାଗିଛି । ଏଥିରୁ ସ୍ପଷ୍ଟ, ଶିମିଳିପାଳରେ ପ୍ରତିଦିନ ନୂଆ ନୂଆ ଜାଗାରେ ଲାଗୁଛି ନିଆଁ । ଏକଥା ନୁହେଁ ଯେ, କେବଳ ଶିମିଳିପାଳ ଜଳୁଛି । ପ୍ରତିବର୍ଷ ରାଜ୍ୟରେ ବ୍ୟାପକ ଜଙ୍ଗଲ ଜଳୁଛି । ୨୦୨୦-୨୧ରେ ଓଡ଼ିଶାରେ ବନାଗ୍ନି ସଂଖ୍ୟା ୨୭,୯୫୧, ଯାହାକି ଦେଶରେ ସର୍ବାଧିକ । ଦ୍ୱିତୀୟରେ ଥିବା ମଧ୍ୟପ୍ରଦେଶ (୯୨୫୬) ଠାରୁ ୩ ଗୁଣା ଅଧିକ ନିଆଁ ଲାଗିଛି ଓଡ଼ିଶାର ଜଙ୍ଗଲରେ । ମହାରାଷ୍ଟ୍ରରେ ୮୨୭୮, ତେଲେଙ୍ଗାନାରେ ୭୭୪୨, ଝାଡ଼ଖଣ୍ଡରେ ୬୧୯୪ ଜଙ୍ଗଲ ନିଆଁ ଘଟିଛି ।
ଗତ ୭ ଦିନ ଭିତରେ ମହାରାଷ୍ଟ୍ରରେ ୩୭୫୮ଟି ବନାଗ୍ନି ଘଟିଥିବାବେଳେ ମଧ୍ୟପ୍ରଦେଶରେ ୪୫୫୫, ତେଲେଙ୍ଗାନାରେ ୫୨୭୧ ଓ ଝାଡ଼ଖଣ୍ଡରେ ୫୨୭୩ଟି ଜାଗାରେ ଜଙ୍ଗଲରେ ନିଆଁ ଲାଗିଛି । ଚିନ୍ତାର ବିଷୟ ହେଲା, ଓଡ଼ିଶାରେ ଏଇ ସପ୍ତାହକ ମଧ୍ୟରେ ୨୩ ହଜାର ୩୨୫ଟି ସ୍ଥାନରେ ଜଙ୍ଗଲ ଜଳିଛି । ଦ୍ୱିତୀୟରେ ଥିବା ଝାଡ଼ଖଣ୍ଡଠାରୁ ଓଡ଼ିଶାରେ ଜଙ୍ଗଲ ନିଆଁ ଘଟଣା ୪ ଗୁଣା ଅଧିକ । ଗତ ଦୁଇଦିନରେ ସାରା ଦେଶରେ ମୋଟ ୧୯୦୯ଟି ଜଙ୍ଗଲ ନିଆଁ ଘଟଣା ହୋଇଛି । ଏଥିରୁ ଅନୁମାନ କରାଯାଇପାରେ, ଓଡ଼ିଶାରେ ଜଙ୍ଗଲ ନିଅାଁ ଉପରେ ରୋକ୍ ଲାଗିପାରୁନି । ବେଳକୁ ବେଳ ବଢ଼ି ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons