ଖମାର,(ବି.ବି.ନୁ୍ୟଜ୍): ପାଳଲହଡ଼ା ଉପଖଣ୍ଡର ଖମାର ଥାନା ବାଲିପଶି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ମଦ୍ୟପ ପୁଅର ଶିଳପୁଆ ଆକ୍ରମଣରେ ଗୁରୁତର ଆହତ ବାପା ଡାକ୍ତରଖାନାରେ ଆଖି ବୁଜିଛନ୍ତି । ଏ ଲୋମଟାଙ୍କୁରା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟ୍ଚାଲାଣ କରାଯିବ ବୋଲି ଖମାର ଥାନା ଅଧିକାରୀ ଜ୍ଞାନରଂଜନ ସାମଲ ପ୍ରକାଶ କରିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ସୋମବାର ରାତିରେ ବାଲିପଶି ହୋ-ସାହିର ବିଦେଶୀ ମୁଣ୍ଡାଙ୍କ ପୁଅ ତ୍ରିପୁର ମୁଣ୍ଡା କୌଣସି କାରଣରୁ ପରିବାର ଲୋକଙ୍କ ସହ ଝଗଡ଼ା କରିଥିଲା । ନିଶାସକ୍ତ ହୋଇ ତ୍ରିପୁର ଘରେ ପାଟିତୁଣ୍ଡ କରୁଥିବାରୁ ବାପା ବାରଣ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ତ୍ରିପୁର ପାଖରେ ଥିବା ଶିଳପୁଆ ଉଠାଇ ବାପା ବିଦେଶୀଙ୍କ ମୁଣ୍ଡକୁ ପିଟି ଦେଇଥିଲା । ଶିଳପୁଆ ମାଡ଼ରେ ବିଦେଶୀଙ୍କ ମୁଣ୍ଡ ଫାଟିଯିବା ସହ ସେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକ ତୁରନ୍ତ ବିଦେଶୀଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତ ରାତିରେ ସେ ଆଖି ବୁଜିଥିବା ଜଣାଯାଇଛି ।
ବାପାର ମୃତୁ୍ୟ ଖବର ପାଇ ପୁଅ ତ୍ରିପୁର ଘରୁ ଫେରାର ହୋଇ ଯାଇଥିଲା । ବିଦେଶୀଙ୍କ ମୃତଦେହ ଘରେ ପହଞ୍ଚିବା ପରେ ତାଙ୍କ ସ୍ତ୍ରୀ ଘଟଣା ସମ୍ପର୍କରେ ଖମାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଖମାର ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଚଳାଇଥିଲେ । ପାଳଲହଡ଼ା ଥାନା ବତିସୁଅାଁ ଗ୍ରାମ ନିକଟରୁ ତ୍ରିପୁରକୁ ଆଜି ପୁଲିସ କାବୁ କରିଥିଲା ।


Comments are closed, but trackbacks and pingbacks are open.