ଶିଶୁକନ୍ୟା ମୃତ, ୩ ଗୁରୁତର

Get real time updates directly on you device, subscribe now.

ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବାସୀ ବିରିଆନି ଖାଇ ଜଣେ ୫ ବର୍ଷର ଶିଶୁକନ୍ୟାର ମୃତୁ୍ୟ ହୋଇଛି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ୮ ନମ୍ବର ୱାର୍ଡରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଶିଶୁ ଜଣଙ୍କ ଲଛମନ ହରିଜନଙ୍କ ୫ ବର୍ଷର ଝିଅ କୟେ ହରିଜନ । ଅନ୍ୟ ୩ ଶିଶୁ ରାଇତ ହରିଜନଙ୍କ ପୁଅ ରାହୁଲ(୨ ବର୍ଷ), ଲଛମନଙ୍କ ଅନ୍ୟ ଦୁଇ ପିଲା ଘସନି(୮) ଓ ଦାଉଦ୍ ଉମରକୋଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନେ ଏବେ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ଗତକାଲି ରାତିରେ ସଞ୍ଜୁ ହରିଜନଙ୍କ ଘରେ ବିରିଆନି ରନ୍ଧା ହୋଇଥିଲା । ଆଜି ସକାଳେ ଲଛମନ ହରିଜନଙ୍କ ଦୁଇ ଝିଅ ଓ ପୁଅ ଏବଂ ରଇତଙ୍କ ପୁଅ ରାହୁଲ ପାଣି ଆଣିବାକୁ ସଞ୍ଜୁଙ୍କ ଘର ପାଖକୁ ଯାଇଥିଲେ । ତେବେ ସଞ୍ଜୁଙ୍କ ଘରେ ଗତକାଲି ବିରିଆନି ରନ୍ଧା ହୋଇଥିବା ଜାଣିପାରି ଏହି ପିଲାମାନେ ଖାଇବାକୁ ମାଗିଥିଲେ । ସଞ୍ଜୁଙ୍କଠାରୁ ବିରିଆନି ଖାଇ ପିଲାମାନେ ଘରକୁ ଫେରିଥିଲେ । ଅପରାହ୍ନ ପ୍ରାୟ ୨ଟା ସମୟରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଉମରକୋଟ ମେଡିକାଲରେ ସେମାନେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ସନ୍ଧ୍ୟା ପ୍ରାୟ ୭ଟାରେ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ପୁଣି ଡାକ୍ତରଖାନା ନିଆଯାଉଥିଲା । ନେବା ବାଟରେ କୟେର ମୃତୁ୍ୟ ହୋଇଥିଲା । ଘସନି, ଦାଉଦ୍ ଓ ରାହୁଲ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନେ ସୁସ୍ଥ ଥିବା ବରିÂ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା କହିଛନ୍ତି । ବାସୀ ଖାଦ୍ୟ ଖାଇବା ପରେ ବିଷକ୍ରିୟା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲଛମନ ଓ ରଇତ ସମ୍ପର୍କରେ ଭାଇ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons