ମାଲକାନଗିରି,(ବି.ବି.ନୁ୍ୟଜ): ୭ ପ୍ରାଣୀ କୁଟୁମ୍ବର ପେଟ ପୋଷିବାକୁ ଅସମର୍ଥ ହୋଇପଡ଼ିଲେ ପରିବାରର ମୁଖିଆ । ଶେଷରେ ଅନ୍ୟ ବାଟ ନପାଇ ନିଜ ୪ ମାସର ଶିଶୁପୁତ୍ରକୁ ବିକ୍ରି କରିଦେଲେ । ଘଟଣାର ୨ ମାସ ପରେ ପୁତ୍ର ଶୋକ ଅସହ୍ୟ ହେବା ଏବଂ ଅଭାବ ଅନଟନ ଯୋଗୁ ବାକି ପିଲାଙ୍କ ପେଟକୁ ଭଲକରି ଭାତ ଦି ମୁଠା ନମିଳିବା ଯୋଗୁ ନିଜେ ଆତ୍ମହତ୍ୟା କରିଦେଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୋବିନ୍ଦପାଲ୍ଲୀ ପଞ୍ଚାୟତର ସପ୍ତଧାରା ଗାଁରେ । ଗୁରୁବାର ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗାଁର ସୋମନାଥ ଖିଲ । ତାଙ୍କ ମୃତୁ୍ୟରେ ଏବେ ପରିବାର ଏବଂ ଗାଁରେ ଶୋକର ଛାୟା । ବଞ୍ଚିବାର ବାଟ ଖୋଜିପାଉ ନାହାନ୍ତି ସ୍ତ୍ରୀ କୁନି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ସୋମନାଥଙ୍କ ମୃତୁ୍ୟ ପରେ କୁନି କୁନି ୪ ପୁଅଝିଅ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ତଥାପି ସରକାରଙ୍କ କୃପାଦୃଷ୍ଟି ପଡ଼ିନି ଏହି ପରିବାର ଉପରେ । ସବୁଠୁ ବଡ଼ କଥା ହେଲା, ସୋମନାଥ କାହାକୁ ତାଙ୍କ ଶିଶୁପୁତ୍ରକୁ ବିକ୍ରି କରିଥିଲେ, ତାହା ଏଯାଏଁ ଜଣାପଡିନି । ଗୋବିନ୍ଦପାଲ୍ଲୀ ଫାଣ୍ଡୀ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି । ସୋମନାଥଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି ।
କୁଲି ମଜୁରୀ କରି ବହୁ କଷ୍ଟରେ ପରିବାର ଚଳାଉଥିଲେ ସୋମନାଥ । ସ୍ତ୍ରୀ ଏବଂ ୫ଟି କୁନି କୁନି ଶିଶୁଙ୍କୁ ଧରି ଜୀବନ ଯୁଦ୍ଧରେ ସଂଘର୍ଷ କରିଆସୁଥିଲେ । ସେମାନଙ୍କ ପେଟକୁ ଦାନା ମୁଠାଏ ଯୋଗାଡ଼ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ସୋମନାଥ ନିଜ ୪ ମାସର ଶିଶୁପୁତ୍ର ରାଜାକୁ ମାତ୍ର ହଜାରେ ଟଙ୍କାରେ ବିକ୍ରି କରିଦେଇଥିଲେ ୨ ମାସ ତଳେ । ଗୋଟିଏ ପଟେ ଦାରିଦ୍ର୍ୟ, ଅନ୍ୟପଟେ ପୁଅ ବିକ୍ରି । ମାନସିକ ବିଷାଦରେ କଟୁଥିଲା ଦିନରାତି । ଗୁରୁବାର କୁନି ପାଖ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ସୋମନାଥ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଦେଇଥିଲେ । ଏବେ କୁନି କୁନି ୪ ପିଲାଙ୍କ ସହ ବେସାହାରା ହୋଇପଡିଛନ୍ତି ବିଧବା କୁନି । କେମିତି ବଞ୍ଚିବେ, ଥଳକୂଳ ପାଉ ନାହାନ୍ତି ।
କୁନି କହିଛନ୍ତି, ୪ ମାସର ପୁଅକୁ ତାଙ୍କ ସ୍ୱାମୀ ମାତ୍ର ହଜାରେ ଟଙ୍କାରେ ବିକି ଦେଇଥିଲେ । କିନ୍ତୁ କାହାକୁ ବିକିଥିଲେ, କିଛି କହିନଥିଲେ । ସେହି ପଇସାରେ କିଛିଦିନ ପରିବାର ଚଳିଥିଲା । କିନ୍ତୁ ପୁଅ ଗଲା ଦିନଠୁ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏକପ୍ରକାର ମାନସିକ ଭାରସାମ୍ୟ ହରାଇ ବସିଥିଲେ ସୋମନାଥ । ଏଣେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ଭଙ୍ଗାଦଦରା କୁଡ଼ିଆରେ ସେମାନେ ଦୟନୀୟ ଜୀବନ ଜିଉଁଛନ୍ତି । ଜମିବାଡ଼ି କିଛି ନାହିଁ । ସରକାରଙ୍କ ତରଫରୁ କେବଳ ଚାଉଳ ମିଳୁଛି । ସେତିକିରେ ୫ ପ୍ରାଣୀ କୁଟୁମ୍ବ ଚଳିବା ଅସମ୍ଭବ ।
ସୋମନାଥ ତାଙ୍କ ଶିଶୁପୁତ୍ରକୁ ବାହାକୁ ବିକିଥିଲେ । ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ । ଜିଲ୍ଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାରକୁ ନେବା ଦରକାର । ସୋମନାଥଙ୍କ ପରିବାରକୁ ସବୁ ପ୍ରକାର ସହାୟତା ସାଙ୍ଗକୁ ସେମାନଙ୍କ ଥଇଥାନ ଦିଗରେ ପଦକ୍ଷେପ ନେବା ଆବଶ୍ୟକ । ଏଥିସହ ଶିଶୁପୁତ୍ରକୁ କିଏ କିଣଥିଲା, ତାହାର ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଆଦିବାସୀ ଅଧୁ୍ୟଷିତ ଅଞ୍ଚଳରେ ଆର୍ଥିକ ଅନଟନ ଯୋଗୁ ଶିଶୁ ବିକି ବାପା ଆତ୍ମହତ୍ୟା କରିବା ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.