ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଉଥିବାର ଆଉ ଏକ ସଙ୍କେତ । ଗୁରୁବାର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୨୭୯ ପଜିଟିଭ୍ । ଦୀର୍ଘ ଦିନ ପରେ ରାଜ୍ୟର କୌଣସି ଜିଲ୍ଲା ଠାରୁ ଗଞ୍ଜାମରେ କମ୍ ସଂଖ୍ୟକ କରୋନା ସଂକ୍ରମିତ ଠାବ ହୋଇଛନ୍ତି । କାରଣ ଗୁରୁବାର ଖୋର୍ଦ୍ଧା ଜିଲ୍ଲା ଗଞ୍ଜାମକୁ ଟପି ଯାଇଛି ଯେଉଁଠି ଚିହ୍ନଟ ହୋଇଛନ୍ତି ୨୯୮ ସଂକ୍ରମିତ । ଏଥିସହ ଜିଲ୍ଲାରେ ମୋଟ ପଜିଟିଭ୍ଙ୍କ ସଂଖ୍ୟା ୧୨,୩୫୯ ହୋଇଛି । ସେପଟେ ଆଉ ୩ କରୋନା ସଂକ୍ରମିତଙ୍କ ମୃତୁ୍ୟ ସହ ଏହି ସଂଖ୍ୟା ୧୩୧ରେ ପହଞ୍ଚିଛି । ସେପଟେ ସବୁଠାରୁ ଆଶ୍ୱସ୍ତିକର ବିଷୟ ଭାବେ ଜିଲ୍ଲାରେ ଶୁକ୍ରବାର ରେକର୍ଡ ସଂଖ୍ୟକ ୭୦୦ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ଲାଭ କରିଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ୯୬୧୧ ହୋଇଛି । ଜିଲ୍ଲାରେ ତଥା ରାଜ୍ୟରେ ଏହା ହେଉଛି କୌଣସି ଗୋଟିଏ ଦିନରେ ଆରୋଗ୍ୟ ଲାଭ କରିିଥିବା ବ୍ୟକ୍ତି ସଂଖ୍ୟାରେ ସର୍ବାଧିକ । ପୂର୍ବରୁ ୨୩ ଜୁଲାଇରେ ୫୩୦ ଜଣ ସୁସ୍ଥ ହୋଇଥିଲେ ।
ଗତ କିଛି ଦିନ ହେଲା ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ପାଖାପାଖି ସମାନ ସଂଖ୍ୟକ ପଜିଟିଭ୍ ବାହାରୁଥିଲେ । ବୁଧବାର ଗଞ୍ଜାମରେ ୨୬୮ ଓ ଖୋର୍ଦ୍ଧାରେ ୨୨୦, ମଙ୍ଗଳବାର ଗଞ୍ଜାମରେ ୨୦୧ ଓ ଖୋର୍ଦ୍ଧାରେ ୧୯୬, ସୋମବାର ଯଥାକ୍ରମେ ୨୮୮ ଓ ୨୦୧ ଜଣ ଠାବ ହୋଇଥିବା ବେଳେ ଗୁରୁବାର ଖୋର୍ଦ୍ଧା ଠାରୁ ତଳକୁ ଖସି ଆସିଛି ଗଞ୍ଜାମ । ତେବେ ମୋଟ ସଂକ୍ରମିତ ତାଲିକାରେ ଗଞ୍ଜାମ ଏବେବି ଶୀର୍ଷ ସ୍ଥାନରେ ରହିଛି । ଖୋର୍ଦ୍ଧା (୫୮୨୯) ଠାରୁ ୨ ଗୁଣରୁ ମଧ୍ୟ ଅଧିକ ସଂଖ୍ୟକ କରୋନା ପଜିଟିଭ୍ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସୋମବାରରୁ ଏଯାବତ୍ ଚତୁର୍ଥ ଦିନ ପାଇଁ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ତଳକୁ ରହିଛି । ଜିଲ୍ଲାରେ ଚିହ୍ନଟ ନୂଆ ୨୭୯ ପଜିଟିଭ୍ଙ୍କ ମଧ୍ୟରେ ୨୫୧ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ କେସ୍ ଥିବା ବେଳେ ୨୭ ଜଣ ଯୋଦ୍ଧା ଓ ଜଣେ ପ୍ରବାସୀ ସଂକ୍ରମିତ ହୋଇଛନ୍ତି । ସେହିପରି ବ୍ରହ୍ମପୁରରୁ ୩୮, ବେଲଗୁଣ୍ଠାରୁ ୨୯ ଜଣ ପଜିଟିଭ୍ ଠାବ ହୋଇଛନ୍ତି ।
ସେହିପରି ଆଉ ୩ କରୋନା ରୋଗୀଙ୍କ ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୫୦ ବର୍ଷୀୟ ପୁରୁଷ ଯେକି ମଧୁମେହ ରୋଗାକ୍ରାନ୍ତ ଥିଲେ ଓ ଆଉ ଜଣେ ୬୨ ବର୍ଷ ବୟସ୍କ ବୃଦ୍ଧ ଯେକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଜିଲ୍ଲାରେ ଏଯାବତ୍ ୧୨୩ ଜଣ ସିଧାସଳଖ କରୋନାରେ ଓ ଅବଶିଷ୍ଟ ୮ ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ୨୨ ମହିଳା (୭ ବୃଦ୍ଧା) ଓ ୧୦୮ ପୁରୁଷ (୩୮ ବୃଦ୍ଧ) ଏବଂ ଅନ୍ୟ ଜଣେ ସଂକ୍ରମିତ । ଅଗଷ୍ଟ ମାସରେ ଏଯାବତ୍ ୧୬୮୭ ଜଣ ସଂକ୍ରମିତ ଠାବ ହୋଇଥିବା ବେଳେ ୨୬ ଜଣଙ୍କ ଜୀବନ ଗଲାଣି । ସେହିପରି ୨୧୩୦ ଜଣ ଆରୋଗ୍ୟ ଲାଭ କଲେଣି । ଅର୍ଥାତ୍ ରୋଗୀଙ୍କ ସଂଖ୍ୟାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ବେଶ୍ ଅଧିକ ହୋଇଛି । ଏଣୁ ଜିଲ୍ଲାରେ ସଂକ୍ରମିତ ସଂଖ୍ୟାକୁ ତୁଳନା କଲେ ସୁସ୍ଥ ହେଉଥିବା କରୋନା ପଜିଟିଭ୍ଙ୍କ ସଂଖ୍ୟା ମଧ୍ୟ ସନ୍ତୋଷଜନକ ରହିଛି ବୋଲି କୁହାଯାଇପାରେ ।
ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଶୁକ୍ରବାର ଆଉ ୨ କରୋନା ପଜିଟିଭ୍ ରୋଗୀଙ୍କ ଠାରେ ପ୍ଲାଜ୍ମା ଥେରାପି ଚିକିତ୍ସା ପ୍ରୟୋଗ କରାଯାଇଛି । ଏଯାବତ୍ ଜିଲ୍ଲାରେ ମୋଟ ୮ ଜଣଙ୍କ ଠାରେ ଏହି ଚିକିତ୍ସା ପଦ୍ଧତି ପ୍ରୟୋଗ କରାଯାଇଛି । ଗତ ୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୩ ଜଣଙ୍କୁ ପ୍ଲାଜ୍ମା ଥେରାପି ଚିକିତ୍ସା କରାଯାଇଛି । ଜୁଲାଇ ୨୧ ତାରିଖରେ ପ୍ରଥମ ଦଫାରେ ୨ ମହିଳା ଓ ଜଣେ ପୁରୁଷଙ୍କୁ ପ୍ଲାଜ୍ମା ଥେରାପିରେ ଚିକିତ୍ସା କରାଯାଇଥିଲା ଯେଉଁମାନେ ସପ୍ତାହକ ପରେ ଅର୍ଥାତ୍ ୨୮ ତାରିଖରେ ସୁସ୍ଥ ହୋଇ କୋଭିଡ୍ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଥିଲେ । ଅନ୍ୟ ୫ ଚିକିତ୍ସାଧୀନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖାଦେଉଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ଶୀଘ୍ର ସେମାନେ ଆରୋଗ୍ୟ ଲାଭ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି କୋଭିଡ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ।
Comments are closed, but trackbacks and pingbacks are open.