ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଆଜି ପରଲୋକ ଘଟିଛି । ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଅବସ୍ଥା ଗୁରୁତର ହୋଇପଡିବାରୁ ଆଜି ପୂର୍ବାହ୍ନ ୧୦ଟା ୩୦ରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିଲା ବେଳେ ଅପରାହ୍ନ ୩ଟା ୧୫ରେ ହୃଦ୍ଘାତର ଶିକାର ହୋଇଥିଲେ । ୩ଟା ୫୫ରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଶୀଲାଙ୍କ ଅକାଳ ବିୟୋଗରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଦିଲ୍ଲୀ ସରକାର ଦୁଇଦିନିଆ ରାଜ୍ୟସ୍ତରୀୟ ଶୋକ ଘୋଷଣା କରିଛନ୍ତି । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ହସ୍ପିଟାଲରୁ ମୃତଦେହକୁ ନିଜାମୁଦ୍ଦିନସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଛି । ସେଠାରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଆସନ୍ତାକାଲି ପୂର୍ବାହନ୍ନ ୧୧ଟା ୩୦ ପର୍ଯ୍ୟନ୍ତ ରଖାଯିବ । ସେଠାରୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯିବ । ଅପରାହ୍ନ ୨ଟା ୩୦ରେ ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ବହୁ ନେତା ଶୀଲାଙ୍କ ବାସଭବନରେ ପହଞ୍ôଚ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଦିଲ୍ଲୀ କଂଗ୍ରେସର ସେ ଥିଲେ ସବୁଠାରୁ ବରିଷ୍ଠତମ ନେତ୍ରୀ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ଘନିଷ୍ଠ ସହଯୋଗୀଙ୍କ ମଧ୍ୟରୁ ସେ ଥିଲେ ଅନ୍ୟତମ । ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସେ ସଭାପତି ମଧ୍ୟ ରହିଥିଲେ । ୧୫ ବର୍ଷ ଧରି ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଦିଲ୍ଲୀର ଯଥେଷ୍ଟ ବିକାଶ ଘଟିଥିଲା । ଭିତ୍ତିିଭୂମିଠାରୁ ଆରମ୍ଭ କରି ମେଟ୍ରୋ ରେଲ୍ ପର୍ଯ୍ୟନ୍ତ ଏବଂ ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦିଲ୍ଲୀର ପ୍ରଗତି ପ୍ରତି ସେ ବିଶେଷ ଭାବେ ଧ୍ୟାନ ଦେଇଥିଲେ । କିନ୍ତୁ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ ତାଙ୍କ ସରକାର ବିବାଦୀୟ ହୋଇପଡିଥିଲା ।
Comments are closed, but trackbacks and pingbacks are open.