ଶେଷବର୍ଷ ପରୀକ୍ଷା ବାଧ୍ୟତାମୂଳକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ଶେଷ ବର୍ଷ କିମ୍ବା ଶେଷ ସେମିଷ୍ଟର୍ ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି । ଶେଷ ବର୍ଷ ପରୀକ୍ଷା ଦେଇନଥିଲେ କାହାକୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି ।
ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଶେଷ ବର୍ଷ କିମ୍ବା ଶେଷ ସେମିଷ୍ଟର୍ ପରୀକ୍ଷା କରାଯିବ କି ନାହିଁ ତାହା ରାଜ୍ୟ ସରକାରମାନେ ସ୍ଥିର କରିପାରିବେ ନାହିଁ । କାରଣ ସେମାନଙ୍କ ନିକଟରେ ଏହି କ୍ଷମତା ନାହିଁ । ଏହି କ୍ଷମତା କେବଳ ବିଶ୍ୱିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିର ରହିଛି । ଅବଶ୍ୟ ରାଜ୍ୟ ସରକାରମାନେ ଚାହିଁଲେ କରୋନା ସଂକ୍ରମଣକୁ ଦେଖି ପରୀକ୍ଷାର ତାରିଖକୁ କିଛି ଦିନ ପାଇଁ ଘୁଞ୍ଚାଇ ଦେଇପାରିବେ । ତେବେ ସେଥିପାଇଁ ସେମାନଙ୍କୁ ୟୁଜିସି ଠାରୁ ମଞ୍ଜୁରୀ ନେବାକୁ ପଡ଼ିବ । ସେପ୍ଟେମ୍ବର ୩୦ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟରେ ଶେଷ ବର୍ଷ ପରୀକ୍ଷା ଆୟୋଜନ କରିବା ପାଇଁ ୟୁଜିସି ପୂର୍ବରୁ ଯେଉଁ ନିଷ୍ପତ୍ତି ଜାରି କରିଥିଲା, ଏବେ ସମସ୍ତ ରାଜ୍ୟ ସରକାରଙ୍କୁ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଯଦି ସେପ୍ଟେମ୍ବର ୩୦ ପରେ ସେମାନେ ପରୀକ୍ଷା କରାଇବାକୁ ଚାହିଁବେ, ତାହାହେଲେ ଏଥିପାଇଁ ୟୁଜିସିର ସ୍ୱୀକୃତି ଆବଶ୍ୟକ ହେବ । ରାଜ୍ୟ ସରକାରମାନେ ଇଣ୍ଟରନାଲ ଆସେସମେଣ୍ଟ୍ କିମ୍ବା ପୂର୍ବ ସେମିଷ୍ଟର୍ଗୁଡିକର ପରୀକ୍ଷା ଆଧାରରେ କାହାକୁ ଉତ୍ତୀର୍ଣ୍ଣ କରାଇପାରିବେ ନାହିଁ ।
ଶିବସେନାର ଯୁବ ଶାଖା ସମେତ ଅନେକ ସଂଗଠନ ଓ କିଛି ବ୍ୟକ୍ତି ୟୁଜିସି ଦ୍ୱାରା ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା କରାଇବା ପାଇଁ ଜାରି ବିଜ୍ଞପ୍ତିକୁ ବିରୋଧ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଅଗଷ୍ଟ ୧୮ରେ ଏହି ମାମଲାଗୁଡିକ ଉପରେ ରାୟ ସଂରକ୍ଷିତ ରଖିଥିଲେ । ୟୁଜିସି ଯୁକ୍ତି ବାଢିଥିଲା ଯେ ବିଶ୍ୱବିଦ୍ୟାଳୟଗୁଡିକରେ ସ୍ନାତକୋତ୍ତର ଶ୍ରେଣୀ ପାଇଁ ନାମଲେଖା ଆରମ୍ଭ ହେବାକୁ ଯାଉଥିବାରୁ ସ୍ନାତକ ଶ୍ରେଣୀର ପରୀକ୍ଷା ଶୀଘ୍ର ଶେଷ କରାଯିବା ଦରକାର । ଶେଷ ବର୍ଷ ପରୀକ୍ଷା କରାଯିବା ପିଲାମାନଙ୍କ କ୍ୟାରିଅର ପାଇଁ ଗୁରୁତ୍ୱପୂର୍ଣ୍ଣ । ତା’ଛଡା ବିଶ୍ୱବିଦ୍ୟାଳୟରେ ପରୀକ୍ଷା କରାଯିବ କି ନାହିଁ, ସେହି ନିଷ୍ପତ୍ତି ନେବା ଅଧିକାର କେବଳ ତା’ ପାଖରେ ଅଛି । ରାଜ୍ୟ ସରକାରମାନେ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ।
ସୁପ୍ରିମକୋର୍ଟଙ୍କ ଆଗରେ ଦୁଇଟି ପ୍ରସଙ୍ଗ ଥିଲା । ପ୍ରଥମଟି ହେଲା- ରାଜ୍ୟ ସରକାରମାନେ ବିପର୍ଯ୍ୟୟ ପରିଚାଳନାର ବାହାନାରେ ୟୁଜିସିକୁ ଅଣଦେଖା କରି ପରୀକ୍ଷା ବାତିଲ କରିପାରିବେ କି? ଦ୍ୱିତୀୟଟି ହେଲା- ୟୁଜିସି ରାଜ୍ୟ ସରକାରମାନଙ୍କୁ ଅଣଦେଖା କରି ବିଶ୍ୱବିଦ୍ୟାଳୟଗୁଡିକରେ ପରୀକ୍ଷା ଆୟୋଜନ କରିବାକୁ ନିଦେ୍ର୍ଧଶ ଦେଇପାରିବ କି?
ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା କି ବିଶ୍ୱବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବା ଅଧିକାର କେବଳ ୟୁଜିସି ନିକଟରେ ରହିଛି । ତା’ଛଡା ଦେଶର ପ୍ରାୟ ୮୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୨୦୯ଟିରେ ଶେଷ ବର୍ଷ ପରୀକ୍ଷା ସରିଥିଲାବେଳେ ଆହୁରି ୩୯୦ଟି ବିଶ୍ୱବିଦ୍ୟାଳୟ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଅନ୍ୟପଟରେ, ଆବେଦନକାରୀମାନେ ଯୁକ୍ତି ବାଢିଥିଲେ ଯେ ସ୍ୱାଭାବିକ ସମୟରେ ପରୀକ୍ଷା ଆୟୋଜନ କରାଯିବାକୁ ସେମାନେ ବିରୋଧ କରନ୍ତି ନାହିଁ । କିନ୍ତୁ କରୋନା ମହାମାରୀ ସଂକ୍ରମଣ ସମୟରେ ପରୀକ୍ଷା ଆୟୋଜନ କରାଯିବା ଯଥାର୍ଥ ନୁହେଁ ।
ଏହି ରାୟ ସମ୍ପର୍କରେ ଜାଣିବା ପରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ, ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା କରିବାକୁ ସୁପ୍ରିମ୍କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ମିଳିଲେ, ଆମେ ବିଚାର ବିମର୍ଶ କରି ଆବଶ୍ୟକ ପଦକ୍ଷେପ ନେବୁ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ ଭଳି ୬ଟି ରାଜ୍ୟ ୟୁଜି ଓ ପିଜି ଶେଷ ସେମିଷ୍ଟର୍ ପରୀକ୍ଷା ବାତିଲ କରିବାକୁ ଦାବି କରିଥିଲେ । ସେହିପରି ଦେଶର ବିଭିନ୍ନ ଅଞ୍ଚଳରୁ ୩୦ରୁ ଅଧିକ ଛାତ୍ରଛାତ୍ରୀ ଶେଷ ସେମିଷ୍ଟର୍ ପରୀକ୍ଷା ବାତିଲ କରିବା ନେଇ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons