ମୁମ୍ବାଇ: କରୋନା ଦ୍ୱାରା ଭୟଙ୍କର ଭାବେ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଏହି ଭାଇରସର ପ୍ରକୋପ ଆଗାମୀ ଦିନରେ ଆହୁରି ବଢ଼ିବ । ତେବେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସମସ୍ତଙ୍କୁ ଏହି ଲଢେ଼ଇ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ଏଥିପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପ୍ରକାଶ କରିଛନ୍ତି ।
ରବିବାର ରାଜ୍ୟର ଜନତାଙ୍କୁ ସମ୍ୱୋଧନ କରି ସେ କହିଛନ୍ତି ଯେ, ଏବେ ବି ସବୁ ଲୋକ ଲକ୍ଡାଉନ୍ ନିୟମ ପାଳନ କରୁନାହାନ୍ତି । ପୂର୍ବରୁ ମେ ମାସର ଶେଷ ମଧ୍ୟରେ ମହାରାଷ୍ଟ୍ରରେ ଦେଢ଼ ଲକ୍ଷ ପର୍ଯ୍ୟନ୍ତ କରୋନା ରୋଗୀ ହୋଇପାରନ୍ତି ବୋଲି ଚେତାବନୀ ଦିଆଯାଇଥିଲା । ହେଲେ ଆମେ ଏହାକୁ ନିୟନ୍ତ୍ରଣ କରିପାରିଛୁ ଏବଂ ରୋଗକୁ ସେତେ ବଢ଼ିବାକୁ ଦେଇନାହୁଁ । ସମସ୍ତେ କରୋନାର ଦୃଢ଼ ଭାବେ ମୁକାବିଲା କରୁଛନ୍ତି । ଆଗାମୀ ଦିନରେ କରୋନା ରୋଗୀଙ୍କ ସଂଖ୍ୟା ଆହୁରି ବଢ଼ିବ, କିନ୍ତୁ ଭୟ କରିବା ଆବଶ୍ୟକତା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
ସେହିପରି ଲକ୍ଡାଉନ୍ ଉଠାଇବା ପ୍ରସଙ୍ଗରେ ଉଦ୍ଧବ କହିଛନ୍ତି ଯେ, ଆଗାମୀ ୧୫ ଦିନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମେ ଏବେ ଲକ୍ଡାଉନ୍ ହଟାଇ ପାରିବୁ ନାହିଁ । ବିମାନ ସେବା ମଧ୍ୟ ଜରୁରି । କିନ୍ତୁ ଏବେ ସେଥିପାଇଁ ଆମକୁ ସମୟ ଆବଶ୍ୟକ । ସେଥିପାଇଁ ମୁଁ ଆଜି ସକାଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ କଥା ହୋଇଛି । ବିମାନ ସେବା ଆରମ୍ଭ ପୂର୍ବରୁ ପ୍ରସ୍ତୁତି ପାଇଁ କିଛି ସମୟ ଆମକୁ ଦେବାକୁ ମୁଁ ତାଙ୍କୁ ଅନୁରୋଧ କରିଛି ବୋଲି ଠାକ୍ରେ କହିଛନ୍ତି । ସୂଚନାଥାଉକି, ମହାରାଷ୍ଟ୍ରରେ ଏବେ ଯାଏ ୪୭ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୧୩ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି ।
Comments are closed, but trackbacks and pingbacks are open.