ଶୋଇଥିଲା ଏୟାର୍ଇଣ୍ଡିଆ:କାର୍ଯ୍ୟରେ ନ ଥିବା ଅଧିକାରୀଙ୍କୁ ଦେଇ ଚାଲିଥିଲା ଦରମା

Get real time updates directly on you device, subscribe now.

ମୁମ୍ବାଇ:କାର୍ଯ୍ୟରେ ନ ଥାଇ ବି ମାସକୁ ମାସ ଖାତାରେ ଦରମା ଆସୁଥିଲା । ଏଭଳି ଭାବେ ଜଣେ ଅଧିକାରୀଙ୍କୁ କିଛି ବର୍ଷ ହେବ ଭୁଲବଶତଃ ଦରମା ଦେଇ ଚାଲିଥିଲା ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ଏୟାର୍ ଇଣ୍ଡିଆ । ଉକ୍ତ ଅଧିକାରୀଙ୍କ ଖାତାକୁ ଏୟାର ଇଣ୍ଡିଆରୁ ମୋଟ ୨.୮ କୋଟି ଟଙ୍କା ସ୍ଥାନାନ୍ତର ହୋଇଛି । ଏପଟେ ସଙ୍କଟଜନକ ପରିସ୍ଥିତିରୁ ମୁକୁଳିବା ପାଇଁ କମ୍ପାନି ସରକାରୀ ପାଣ୍ଠି ଲୋଡୁଛି । ସେପଟେ କାର୍ଯ୍ୟ କରୁ ନ ଥିବା ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦରମା ପକାଇ ଆର୍ଥିକ ସ୍ଥିତିକୁ ଖରାପ କରିଚାଲିଛି ।
ସୂତ୍ରରୁ ଜଣାଯାଇଛି ଯେ, କମ୍ପାନି ଏହାର ଜଣେ ଯୁଗ୍ମ ମହାପ୍ରବନ୍ଧକଙ୍କୁ ଭୁଲବଶତଃ ଦରମା ଦେଇ ଆସୁଥିଲା, ଯେଉଁ ସମୟରେ ଅଧିକାରୀଜଣକ ଏୟାର୍ ଇଣ୍ଡିଆରେ କାର୍ଯ୍ୟ କରୁ ନ ଥିଲେ । ଏଭଳି ଭାବେ କମ୍ପାନି ଆକାଉଣ୍ଟରୁ ଅଧିକାରୀଙ୍କ ଆକାଉଣ୍ଟକୁ ଭୁଲବଶତଃ ୨.୮ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି । ଏହି ଅଧିକାରୀଜଣକ ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ମୁଖ୍ୟ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟର(ସିଏଫ୍ଓଆଇ) ଅଛନ୍ତି । କମ୍ପାନିରେ ନ ଥାଇ ସେ ଏୟାର୍ ଇଣ୍ଡିଆରୁ ଭୁଲବଶତଃ ଆସୁଥିବା ଦରମା ବିଷୟରେ କାହିଁକି ଜଣାଇଲେ ନାହିଁ ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ରିପୋର୍ଟ ଅନୁସାରେ କ୍ୟାପ୍ଟେନ ଅତୁଲ ଚନ୍ଦ୍ରା ୨୦୧୭ ଜାନୁଆରୀ ପର୍ଯ୍ୟନ୍ତ ଏୟାର୍ ଇଣ୍ଡିଆର ଯୁଗ୍ମ ମହାପ୍ରବନ୍ଧକ ଥିଲେ । ଏହା ପରେ ତାଙ୍କୁ ଡିଜିସିଏକୁ ଡେପୁଟେସନରେ ପଠାଯାଇଥିଲା । ଡେପୁଟେସନରେ ଥିବାବେଳେ ସେ କେବଳ ଡିଜିସିଏରୁ ଦରମା ପାଇବା କଥା, ଏୟାର୍ ଇଣ୍ଡିଆରୁ ନୁହେଁ । କିନ୍ତୁ ସେ ଉଭୟ ସଂସ୍ଥାରୁ ଦରମା ପାଇ ଆସୁଥିଲେ । ତେବେ ରିପୋର୍ଟ ପଦାକୁ ଆସିବା ପରେ ଚନ୍ଦ୍ରା ଏୟାର୍ ଇଣ୍ଡିଆରୁ ପାଇଥିବା ଦରମାରାଶିରୁ କିଛି ଭାଗ ଫେରାଇ ଦେଇଛନ୍ତି ।
ଏୟାର୍ ଇଣ୍ଡିଆ ସୂତ୍ରରୁ ଜଣାଯାଇଛି ଯେ, କ୍ୟାପ୍ଟେନ ଚନ୍ଦ୍ରାଙ୍କଠାରୁ ଏହା ଦୁଇଟି ପେମେଣ୍ଟ ପାଇଛି । ଜାନୁଆରୀ ୧୧ରେ ଏବଂ ୧୪ରେ ଏହି ଦୁଇଟି ପେମେଣ୍ଟରୁ ଚନ୍ଦ୍ରାଙ୍କଠାରୁ ମୋଟ ୮୦ ଲକ୍ଷ ଟଙ୍କା ଏହା ପାଇଥିବା ପ୍ରକାଶ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons