ଶୌଚାଳୟ କଡ଼ରେ ଗଡୁଛି ଭଙ୍ଗା ପ୍ରତିମୂର୍ତ୍ତି

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଘୋର ଅସମ୍ମାନ । କେଉଁଠି ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ତ ଆଉ କେଉଁଠି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଏହାକୁ ନେଇ ସହିଦ ଲକ୍ଷ୍ମଣ ନାୟକ ଯୁବ ସେନା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯୁବସେନା ସଭାପତି କାମାକ୍ଷା ପ୍ରସାଦ ମାଝୀ କହିଛନ୍ତି, ଦେଶ ସ୍ୱାଧୀନତାରେ ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅବିସ୍ମରଣୀୟ । କୋଟପାଡ଼ କଲେଜ ପରିସରରେ ଥିବା ସହିଦଙ୍କ ପ୍ରତିମୂର୍ତ୍ତିକୁ ପୂର୍ବରୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ । ଏହି ଭଙ୍ଗା ପ୍ରତିମୂର୍ତ୍ତି କଲେଜ ପରିସର ମହିଳା ଶୌଚାଳୟ କଡ଼ରେ ଦୀର୍ଘଦିନ ଧରି ପଡ଼ି ରହିଛି । ଦୁଃଖର ବିଷୟ, କଲେଜ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀ କେହିହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ ପଦକ୍ଷେପ ନେଇନାହାନ୍ତି । ସେହିପରି ନନ୍ଦପୁର ବଜାର ଛକରେ ନାଳ କଡ଼ରେ ଖୋଲାମେଲାରେ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଏହି ସହିଦଙ୍କ ପ୍ରତିମୂର୍ତ୍ତି । କୋରାପୁଟ ବସ୍ଷ୍ଟାଣ୍ଡରେ ମଧ୍ୟ ଦୀର୍ଘଦିନ ହେବ ସହିଦଙ୍କ ପ୍ରତିମୂର୍ତ୍ତି ଅସୁରକ୍ଷିତଭାବେ ରହିଛି । ପ୍ରତିମୂର୍ତ୍ତି ରହିଥିବା ସ୍ଥାନର ଫାଟକ ବହୁଦିନ ହେବ ଭାଙ୍ଗି ଯାଇଛି । ଫଳରେ ମଦୁଆ ଓ ଅସାମାଜିକମାନେ ପ୍ରତିମୂର୍ତ୍ତି ପରିସରକୁ ଅପରିସ୍କାର କରି ଚାଲିଛନ୍ତି । ପୂର୍ବରୁ ଏହି ପ୍ରତିମୂର୍ତ୍ତିର ନାକକୁ କେହି ଭାଙ୍ଗି ଦେଇଥିଲେ । ନିକଟରେ ପୌରାଞ୍ଚଳ ପକ୍ଷରୁ ନାକ ମରାପତି କାର୍ଯ୍ୟ କରାଯାଇଥିଲା । କିନ୍ତୁ ଫାଟକ ମରାମତି ହୋଇନଥିବାରେ ଏବେବି ସହିଦଙ୍କ ପ୍ରତିମୂର୍ତ୍ତି ଅସୁରକ୍ଷିତ ଅବସ୍ଥାରେ ରହିଛି ।
ଏସବୁକୁ ଆଖିରେ ରଖି କୋରାପୁଟରେ ଏକ ସ୍ୱତନ୍ତ୍ର ପାର୍କ ନିର୍ମାଣ କରାଯାଇ ସହିଦଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ସ୍ଥାପନ କରିବାକୁ ଦାବି କରିଛି ଲକ୍ଷ୍ମଣ ନାୟକ ଯୁବ ସେନା । ସଂଗ୍ରାମୀଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାର ବିକାଶ ଦିଗରେ ସରକାର ଯେଉଁଭଳି ଧ୍ୟାନ ଦେବା କଥା, ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି । ସହିଦଙ୍କ ଜନ୍ମମାଟିର ବିକାଶ ପାଇଁ ରାଜ୍ୟ ସରକାର କୋଟିଆ ଭଳି ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ।
ସୂଚନାଥାଉକି, କୋରାପୁଟ ବସଷ୍ଟାଣ୍ଡରୁ ସହିଦଙ୍କ ପ୍ରତିମୂର୍ତ୍ତିକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଜିଲ୍ଲା ସ୍ମାରକୀ କମିଟି ପୂର୍ବରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ତାହା ଏବେସୁଦ୍ଧା କାର୍ଯ୍ୟକାରୀ କରାଯାଇନି । ଏ ସଂପର୍କରେ କୋରାପୁଟ ପୌର ନିର୍ମାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ କହିଛନ୍ତି, କୋରାପୁଟ ବସଷ୍ଟାଣ୍ଡରେ ଥିବା ସହିଦଙ୍କ ପ୍ରତିମୂର୍ତ୍ତି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ରହିଛି । ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ ମେଡିକାଲ କଲେଜ ହୋଇଥିବାରୁ ମେଡ଼ିକାଲ କଲେଜ ନିକଟରେ ଥିବା ଏକ ତ୍ରିକୋଣରୟ ସ୍ଥାନ ଚୟନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons