ଆସିକା: ନିଶାର୍ଦ୍ଧ ରାତିରେ ଶୂନ୍ଶାନ୍ ଥିଲା ଶ୍ମଶାନ। ଆଉ ଏହି ରାତିର ନୀରବତାକୁ ଭାଙ୍ଗୁଥିଲା ଏକ ଛୋଟ ଶିଶୁର କୁଆଁ କୁଆଁ ରାବ। ଏତିକି ବେଳେ ଜଣେ ମୃତକଙ୍କୁ ଖାଦ୍ୟ ଅର୍ପଣ କରିବା ପାଇଁ ସେହି ଶ୍ମଶାନକୁ ଯାଇଥିଲେ ଜଣେ ବିଧବା ମହିଳା ସୁଚି (ଛଦ୍ମନାମ)। ସେଠାରେ ଶୁଣିବାକୁ ପାଇଲେ ଏକ ଛୋଟ ଶିଶୁର ବିକଳ କାନ୍ଦ। କିଛି ଦୂରରେ ପଡ଼ିଥିଲା ଏକ ମୁହଁ ବନ୍ଧା ଅଖା। ତା’ଭିତରୁ ଉଦ୍ଧାର କରିଥିଲେ କ୍ରନ୍ଦନରତ ଶିଶୁକୁ। ତାହା ହେଲେ ଏତେ ରାତିରେ ନିର୍ଜନ ଶ୍ମଶାନକୁ କେଉଁଠୁ ଆସିଲା ଏ ଶିଶୁ? କିଏ ଛାଡ଼ିଯାଇଥିଲା ତା’ର ନବଜାତକୁ ?
ପୂରା ଘଟଣା ଏମିତି। ଗତକାଲି ରାତିରେ ସୁଚି ‘ଦନି’ (ମୃତଙ୍କ ପାଇଁ ଅର୍ପଣ କରାଯାଉବା ଖାଦ୍ୟ) ଦେବା ପାଇଁ ସୁନାମ୍ୱ ଶ୍ମଶାନକୁ ଯାଇଥିଲେ। ଏହି ସମୟରେ ସେ ଏକ ଛୋଟ ଛୁଆର କାନ୍ଦ ଶୁଣିବାକୁ ପାଇଥିଲେ। ସେ ପ୍ରଥମେ ଡ଼ରି ଯାଇଥିଲେ। ତା’ପରେ ସାହସ ଜୁଟାଇ ନିକଟରେ ରଖାଯାଇଥିବା ମୁହଁ ବନ୍ଧାଥିବା ଅଖା ପାଖକୁ ଯାଇଥିଲେ। ଆଉ ଅଖା ଭିତରୁ ନବଜାତ ଶିଶୁଟିକୁ ଉଦ୍ଧାର କରି ମେଡିକାଲ୍କୁ ନେଇଥିଲେ। ଚିକିତ୍ସା ପରେ ସୁଚି ଶିଶୁଟିକୁ ଧରି ଘରକୁ ଫେରିଥିଲେ। ଦୁର୍ଭାଗ୍ୟକୁ ନିଜ ଝିଅର ପିଲା ନଥିଲେ। ତେଣୁ ସୁଚି କାଳ ବିଳମ୍ୱ ନକରି ଶିଶୁଟିକୁ ନିଜ ଝିଅକୁ ଦେଇଥିଲେ।
ଅନ୍ୟପକ୍ଷରେ ଗତକାଲି ରାତିରେ ଚିକିତ୍ସା କରିଥିବା ଡାକ୍ତର ଶିଶୁ ସମ୍ପର୍କରେ ସିଡିପିଓଙ୍କୁ ଖବର ଦେଇଥିଲେ। ପରେ ସିଡିପିଓ ବ୍ରହ୍ମପୁର ଚାଇଲ୍ ଲାଇନ୍ କର୍ମକର୍ତ୍ତାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଆଜି ସକାଳେ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଶିଶୁକୁ ଉଦ୍ଧାର କରିବା ପାଇଁ ଗାଁରେ ପହଞ୍ଚିଥିଲେ। ମାତ୍ର ସୁଚି ଛୁଆ ଦେବାକୁ ରୋକଠୋକ୍ ମନା କରିଦେଇଥିଲେ। ଯେଉଁଥିପାଇଁ ଚାଇଲ୍ଡ ଲାଇନ୍ କାର୍ୟ୍ୟକର୍ତ୍ତା ଅଡୁଆରେ ପଡ଼ି ଯାଇଥିଲେ। ପରେ ପୁଲିସକୁ ଖବର ଦେଇଥିଲେ। ଶେଷରେ ପୁଲିସ ଶିଶୁଟିକୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ଶିଶୁକୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରାଯାଇଛି।


Comments are closed, but trackbacks and pingbacks are open.