ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଲକ ଶ୍ରୀକୃଷ୍ଣ ଶରଣପୁର ଲୋଙ୍ଘର ଗ୍ରାମରେ ଥିବା ଶ୍ମଶାନ ଜମି କୁ ନେଇ ଆଜି ଉତ୍ତେଜନା ଦେଖାଯାଇଛି । ସୂଚନା ଅନୁଯାୟୀ ଗ୍ରାମ ଉପକଣ୍ଠରେ ଥିବା ଶ୍ମଶାନ ଜମି ରେ କାହିଁ କେଉଁ ଆବାହମାନ କାଳରୁ ଗ୍ରାମବାସୀ ଶବ ସତ୍କାର କରି ଆସୁଛନ୍ତି । ବର୍ତ୍ତମାନ ପଞ୍ଚାୟତକୁ ଅର୍ଥ ଅନୁଦାନ ଆସିବା ପରେ ଶ୍ମଶାନ ଗୃହ ନିର୍ମାଣ ପାଇଁ ଉକ୍ତ ଜମି ର କିସମ ଦେଖିବା ବେଳେ ଏହା କିଛି ବ୍ୟକ୍ତିଙ୍କ ନାମରେ ପଦର ପଟ୍ଟା ହୋଇ ଯାଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଏହାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ପରେ ବ୍ରହ୍ମପୁର ସେଟଲମେଣ୍ଟ ଅଫିସରୁ ୟାଦାସ୍ତର ବିବରଣୀ ବାହାର କରିବାରୁ ଲୋଙ୍ଘର ଶ୍ରୀ କୃଷ୍ଣ ଶରଣ ପୁର ମୌଜାର ଖାତା ନମ୍ବର ୧୮୪ପ୍ଲଟ ନମ୍ବର ୧୯୮୭ ରେ ଏହି ଜମି ଶ୍ମଶାନ ରୂପେ ବ୍ୟବହାର ହେଉଥିବା ଉକ୍ତ ଜମି ସର୍ବସାଧାରଣଙ୍କ ବୋଲି ଉଲ୍ଲେଖ ଥିବା ଜଣାପଡିଥିଲା । କିନ୍ତୁ ଗତ ୦୧.୦୪.୧୯୯୩ ରେ ଅନୁଷ୍ଠିତ ସେଟଲମେଣ୍ଟ ସମୟରେ ଏହା ଜନୈକ ଘରୋଇ ବ୍ୟକ୍ତିଙ୍କ ନାମରେ ପଟ୍ଟା ହୋଇଯାଇଛି । ପରବର୍ତ୍ତୀ ସମୟରେ ସେ କିଛି ବ୍ୟକ୍ତି ଙ୍କୁ ଉକ୍ତ ଜମି ବିକ୍ରି କରି ଦେଇଛନ୍ତି ।
ସୀମା ନିର୍ଦ୍ଧାରଣ ପାଇଁ ଜଣେ ବ୍ୟକ୍ତି ଆବେଦନ କରିଥିବାରୁ ଆଜି ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ, କେଶପୁର ରାଜସ୍ୱ ନିରୀକ୍ଷକ ଏମ୍. ସୁଦାମ କିଛି ରାଜସ୍ୱ କର୍ମଚାରୀଙ୍କ ସହ ସୀମା ନିର୍ଦ୍ଧାରଣ ପାଇଁ ଆସିଥିବା ବେଳେ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ । ଫଳରେ ରାଜସ୍ୱ ଅଧିକାରୀ ଗ୍ରାମବାସୀଙ୍କୁ ବୁଝାସୁଝା କରି ପରବର୍ତ୍ତୀ ସମୟରେ ଉଭୟ ପକ୍ଷଙ୍କୁ ନୋଟିସ କରାଯାଇ ତହସିଲ କୋର୍ଟରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.