ଡୁମୁରିପୁଟ,(ବି.ବି.ନୁ୍ୟଜ୍): କୋଭିଡ ଆଇନକୁ ଖୁଲମଖୁଲ୍ଲା ଉଲ୍ଲଂଘନ କରାଯାଉଛି । ଏଭଳି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଡୁମୁରିପୁଟରେ । ଏଠାରେ ରେଳବିଭାଗର ଡବଲ ଲାଇନ ପ୍ରଶସ୍ତିକରଣ କାମ ଚାଲୁରହିଛି । କାମ ସ୍ଥାନରେ ଶ୍ରମିକଙ୍କ ମୁହଁରେ ମାସ୍କ ନାହିଁ କି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ମଧ୍ୟ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ଦାମନଯୋଡି ଠାରୁ ଡୁମୁରିପୁଟ ପର୍ଯ୍ୟନ୍ତ ଚାଲୁ ରହିଥିବା ରେଳ ଧାରଣା ଉପରେ ଶ୍ରମିକମାନେ କାମ କରୁଛନ୍ତି । ଲିମିକା ରାସ୍ତା ଦେଇ ଯାଇଥିବା ଏହି ରେଳପଥରେ ଉଭୟ ପୁରୁଷ ଓ ମହିଳା ଶ୍ରମିକ କାମ କରୁଛନ୍ତି । ଠିକାଦାର ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନଥିବା ବେଳେ ସେମାନଙ୍କୁ ସଚେତନ ମଧ୍ୟ କରୁ ନଥିବା ଶ୍ରମିକମାନେ କହିଛନ୍ତି । ତେବେ ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରେ ସେ କୌଣସି ପ୍ରତିକ୍ରିୟା ନଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । କାମ କରୁଥିବା ଶ୍ରମିକମାନେ ମଧ୍ୟ ଏଣେତଣେ ଚାଲି ଯାଇଥିଲେ । ଶ୍ରମିକମାନେ କାମ ସାରିବା ପରେ ନିଜ ନିଜ ଗାଁକୁ ଯାଉଛନ୍ତି । ଏଭଳି ସ୍ଥିତିରେ ଜଣେ କାହାର ପଜିଟିଭ୍ ଚିହ୍ନଟ ହେଲେ ଗାଁରେ ସଂକ୍ରମଣ ବଢିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏଦିଗରେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଡୁମୁରିପୁଟ ନିକଟ ପଦ୍ମପୁର, ବାଉଶବାଡି, ପଣସପଦର, ମହନପଡା, ସୁନାବେଡା, ଘାଟଗୁଡା ଅଞ୍ଚଳବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.