ପୁରୀ,(ବି.ବି.ନୁ୍ୟଜ୍): ଦୋଳପୂର୍ଣ୍ଣିମା ଓ ମେଣ୍ଢାପୋଡ଼ି ପର୍ବରେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମୁତାବକ ଶ୍ରୀବିଗ୍ରହଙ୍କ ପହୁଡ଼ ହେବ । ପୁରୀ ଜିଲ୍ଲାପାଳ, ଏସ୍ପି ଏହି ଦୁଇ ଦିନ ଶ୍ରୀମନ୍ଦିରରେ ଉପସ୍ଥିତ ରହି ନୀତିର ତଦାରଖ କରିବେ । ସମସ୍ତ ସେବାୟତ, ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର କର୍ମଚାରୀ ଏଥିରେ ସହଯୋଗ କରିବେ । ଗତ ଦୁଇବର୍ଷ ଧରି ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପହୁଡ଼ ହୋଇପାରି ନ ଥିଲା । ଚଳିତ ବର୍ଷ ଏହାର ପୁନରାବୃତ୍ତି ନ କରିବାକୁ ବୁଧବାର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି ।
ଶ୍ରୀମନ୍ଦିର ଭୋଗମଣ୍ଡପ ନୀତି ସମ୍ପାଦନରେ ଚାରି ନିଯୋଗ ସାମିଲ ଅଛନ୍ତି । ଏହି ଚାରି ନିଯୋଗ ସହ ଆଲୋଚନା ହେବ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ମୁତାବକ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ଭୋଗ ମଣ୍ଡପ ଉଠିବ । ଦୋଳପୂର୍ଣ୍ଣିମା ପର୍ବ ଶୃଙ୍ଖଳାର ସହ ସମ୍ପାଦନ ହେବ । ଏ ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନେଇଛି । ନୀତି ସବ୍କମିଟି ଦ୍ୱାରା ପ୍ରସ୍ତୁତ ମେଣ୍ଢାପୋଡ଼ି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ଆଲୋଚନା ପରେ ଛତିଶା ନିଯୋଗ ମୋହର ଦେଇଥିଲା ।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ଗଣମାଧ୍ୟମକୁ କହିଥିଲେ ଯେ, ଶ୍ରୀମନ୍ଦିରରେ ମକର ଓ ପହିଲି ଭୋଗ ନୀତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ବୈଠକରେ ସମସ୍ତ ସେବାୟତଙ୍କୁ ସାଧୁବାଦ ଦେଇଥିଲେ । ଶ୍ରୀମନ୍ଦିର ଚୌହଦିରେ ଚାଲିଥିବା ଉଚ୍ଛେଦ ବେଳେ ନାଳ ନର୍ଦ୍ଧମାରୁ ମଇଳା ପାଣି ନିର୍ଗତ ହେଉଛି । ଏହି ପାଣି ରାସ୍ତାରେ ଭାସୁଛି । ଏହି ସମସ୍ୟାର ସମାଧାନ କରିବାକୁ ପୂର୍ତ୍ତ ବିଭାଗ ଓ ପୌରସଂସ୍ଥାକୁ ନିଦେ୍ର୍ଧଶ ନିଦେ୍ର୍ଧଶ ଦିଆଯାଇଛି । ଆସନ୍ତା ଏପ୍ରିଲ୍ ପହିଲାରୁ ଶ୍ରୀମନ୍ଦିର ପରିସରରେ ପ୍ଲାଷ୍ଟିକ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ସେବାୟତ, ପ୍ରଶାସନର କର୍ମଚାରୀ ଏବଂ ଭକ୍ତଙ୍କ ଠାରୁ ସହଯୋଗ ଲୋଡ଼ାଯାଇଛି । ଏହି ନିଷ୍ପତ୍ତି ନେଇ ଜନସହଯୋଗ ଓ ସମର୍ଥନ ଉଦ୍ୟମ ଜାରି ରହିବ । ଏପ୍ରିଲ୍ ପହିଲାରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକର ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ କଥାବାର୍ତ୍ତା ଚାଲିଛି ।
ପ୍ରଶାସନ ଗତ ଅଗଷ୍ଟ ପହିଲାରୁ ଶ୍ରୀମନ୍ଦିରରେ ପାନ, ଗୁଟ୍ଖା ଖାଇବା ନିଷିଦ୍ଧ କରିସାରିଛି । ଏହାର ଅନୁପାଳନରେ କେତେକ ବ୍ୟତିକ୍ରମ ହୋଇଥିବାର ପ୍ରମାଣ ମିଳିଛି । ଛତିଶା ନିଯୋଗ ବୈଠକରେ ପାନ୍, ଗୁଟ୍ଖା ଖାଇବା, ଛେପ ପକାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହି ଦୁଇ ଜଣଙ୍କୁ ୫୦୦ ଟଙ୍କା ଜରିମାନା ଆଦେଶ ହୋଇଛି ।
ଶ୍ରୀମନ୍ଦିର ଭିତର ସମସ୍ତ ମାହାଲର ନିଲାମକୁ ବନ୍ଦ କରି ଦିଆଯାଇଛି । ଏହି ଦୋକାନଗୁଡ଼ିକ ଚଳାଇବାକୁ ବିକଳ୍ପ ବ୍ୟବସ୍ଥା ହେଉଛି । ଦୀପ ଦୋକାନଗୁଡ଼ିକୁ ପୁନଃ ସ୍ଥାପନ ପାଇଁ ଜାଗା ଖୋଜା ଚାଲିଛି । ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିରରେ ଭିକାରୀଙ୍କୁ ଥଇଥାନ କରିବା ଏବଂ ବିକଳ୍ପ ଉପାର୍ଜନ ପନ୍ଥା ବ୍ୟବସ୍ଥା କରିବାକୁ ଉଦ୍ୟମ ଚାଲିଛି । ଜିଲ୍ଲାପାଳ ନିଜେ ଭିକାରୀଙ୍କ ଥଇଥାନକୁ ଦେଖୁଛନ୍ତି ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ ଛତିଶା ନିଯୋଗ ବୈଠକରେ ସେବାୟତଙ୍କ ଶାଢ଼ୀବନ୍ଧା ବନ୍ଦ ରହିବାରୁ ଅନେକ ଅସୁବିଧା ଉପୁଜିଥିବାର ଅଭିଯୋଗ ଉଠିଥିଲା । ସେହିଭଳି ଦକ୍ଷିଣ ଏବଂ ପଶ୍ଚିମ ଦ୍ୱାର ଲଜ୍ଗୁଡିକ ଉଚ୍ଛେଦ ହେବା ପରେ ଶ୍ରୀମନ୍ଦିର ଭିତରେ ସେବା କରୁଥିବା ସେବାୟତଙ୍କ ଜରୁରିକାଳିନ ପରିଶ୍ରା ଓ ପାଇଖାନା ସମସ୍ୟା ଏକ ସଙ୍କଟ ହୋଇଛି । ଏହାର ପ୍ରତିକାର ପାଇଁ ଦକ୍ଷିଣ ଏବଂ ପଶ୍ଚିମ ଦ୍ୱାରରେ କେବଳ ପାଳିଆ ସେବାୟତଙ୍କ ପାଇଁ ପାଇଖାନା ନିର୍ମାଣ ଦାବି ଉଠିଥିଲା ।
ଏବେ ସିଂହଦ୍ୱାର ଦେଇ ପ୍ରଶାସନ ଭକ୍ତଙ୍କୁ ପ୍ରବେଶ କରାଉଛି । ଏହି ଦ୍ୱାର ଦେଇ ସେବା କରିବାକୁ ସେବକମାନେ ମଧ୍ୟ ପ୍ରବେଶ କରୁଛନ୍ତି । ଏହା ଦ୍ୱାରା ସେବା ପୂର୍ବରୁ ସେବାୟତ ମାରା ହେଉଛନ୍ତି । ପୁଣି ଥିରେ ଶୁଦ୍ଧ ହେବାକୁ ପଡୁଛି । ଏହାର ପ୍ରତିକାର ପାଇଁ ସେବାୟତଙ୍କ ନିମନ୍ତେ ସିଂହଦ୍ୱାର ଦେଇ ସ୍ୱତନ୍ତ୍ର ପ୍ରବେଶ ବ୍ୟବସ୍ଥା କରାଯାଉ ବୋଲି ସେବାୟତ ପ୍ରତିନିଧିମାନେ ବୈଠକରେ ପ୍ରସ୍ତାବ ଦେଇଥିଲେ । ଏହି ଦାବିକୁ ପୂରଣ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା ।
Comments are closed, but trackbacks and pingbacks are open.