ପୁରୀ : କରୋନା ମହାମାରୀ ରୋକିବାକୁ ଲକ୍ଡାଉନ୍ ଚାଲିଛି । ସବୁ ଧର୍ମପୀଠ ସହ ଶ୍ରୀମନ୍ଦିର ବି ବନ୍ଦ ରହିଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରୁନାହାନ୍ତି । କିନ୍ତୁ ଏହି ସମୟରେ ଜଣେ ପୁଲିସ ଅଧିକାରୀ ସପରିବାର ବଡ଼ଦେଉଳ ଯାଉ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୁଲିସ ବାବୁଙ୍କ ବିରୋଧରେ ସିଂହଦ୍ୱାର ଥାନା ପୁଲିସ ଏତଲା ଦେଇଛି । ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଦର୍ଶନ ପାଇଁ ନେଇଥିବା ସେବାୟତଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ଲକ୍ଡାଉନ୍ ନିୟମ ଉଲ୍ଲଂଘନ କରି ଶ୍ରୀମନ୍ଦିରକୁ ଯାଇଥିବା ପୁଲିସ ଅଧିକାରୀ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନା ।
ସୂଚନା ମୁତାବକ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ କମଳା ରଙ୍ଗର ବତି ଲାଗିଥିବା ଗୋଟିଏ ଧଳା ସ୍କର୍ପିଓ ଗାଡ଼ି ଦକ୍ଷିଣ ଦ୍ୱାରରେ ଲାଗିଥିଲା । ସେଥିରୁ ସାଦାପୋଷାକରେ ଥିବା ଶ୍ରୀ ଜେନା, ତାଙ୍କ ପତ୍ନୀ ଓ ଦୁଇ ଝିଅ ଓହ୍ଲାଇଥିଲେ। ସେମାନେ ଦକ୍ଷିଣ ଦ୍ୱାର ବାଟେ ଶ୍ରୀମନ୍ଦିର ଭିତରକୁ ଯିବାକୁ ଚାହିଁଥିଲେ । ପୁଲିସ ପରିଚୟ ଦେଇ ଯିବାକୁ ଚାହିଁଥିଲେ ମଧ୍ୟ କାର୍ୟ୍ୟରତ ହାବିଲଦାର ଛାଡ଼ିନଥିଲେ । ଏହି ସମୟରେ ଶ୍ୟାମା ପୂଜାପଣ୍ଡା ନାମକ ସେବାୟତ ସେମାନଙ୍କ ହାତ ଧରି ଟାଣି ନେଇଥିଲେ । ହାବିଲଦାର ତୁରନ୍ତ ଏ ନେଇ ଥାନାକୁ ଖବର ଦେଇଥିଲେ ।ପରେ କଥା ପ୍ରଘଟ ହୋଇଯିବାରୁ ଅନେକ ଭକ୍ତ ଶ୍ରୀମନ୍ଦିର ବାହାରେ ହୋହଲ୍ଲା କରିଥିଲେ । ଏକଥା ଜାଣିପାରି ସିଂହଦ୍ୱାର ଥାନା ପୁଲିସ ଘଟଣାରେ ହସ୍ତକ୍ଷେପ କରି ଶ୍ରୀ ଜେନାଙ୍କୁ ହେପାଜତରେ ରଖିଛି । ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ତାଙ୍କୁ ମନ୍ଦିର ଭିତରକୁ ନେଇଥିବା ଶ୍ୟାମା ପୂଜାପଣ୍ଡାଙ୍କ ନାମରେ ମଧ୍ୟ ମାମଲା ହୋଇଥିବା ସିଂହଦ୍ୱାର ପୁଲିସ କହିଛି । ଏନେଇ ପୁଲିସ ୪୦ ନମ୍ବରରେ ମାମଲା ରୁଜୁ କରିଛି । ଆଇପିସିର ୪୪୮ ଦଫା ସହ, ସଂକ୍ରାମକ ରୋଗ ନିୟନ୍ତ୍ରଣ ଆଇନର ଧାରା ୩, ପ୍ରାକୃତିକ ବିପର୍ୟ୍ୟୟ ଆଇନର ୫୧(ବି) ଧାରାରେ ମାମଲା ରୁଜୁ ହୋଇଛି ।
ଲକ୍ଡାଉନ୍ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇଛି । ହେଲେ ଅନେକ ପ୍ରଭାବଶାଳୀ ଓ ଭିଭିଆଇପି ଅଣସେବକ ବେଶରେ ତଥା ପ୍ରଶାସନ ସହାୟତାରେ ବଡ଼ଦେଉଳରେ ପଶି ଠାକୁର ଦର୍ଶନ କରୁଥିବାରୁ ସାଧାରଣ ଭକ୍ତଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବା ବେଳେ ଶ୍ରୀମନ୍ଦିର ହୁଣ୍ଡିରେ ଦାନ ଟଙ୍କା ପଡ଼ୁଛି । ଗତକାଲି ହୁଣ୍ଡି ଦାନ ପରିମାଣ ୪ ହଜାର ୨୪୫ ଟଙ୍କା ଥିବା ବେଳେ ରବିବାର ଏହା ୧ ହଜାର ୬୦୫ ଟଙ୍କା ରହିଛି । ସିସିଟିଭି ଫୁଟେଜ୍ ଯାଞ୍ଚ କରାଗଲେ କେଉଁ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି ତାହା ଜଣାପଡ଼ିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
Comments are closed, but trackbacks and pingbacks are open.