ପୁରୀ,(ବି.ବି.ନୁ୍ୟଜ୍): ରବିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଲୀଳା ଶେଷ ହୋଇଛି । ଏହି ଅବସରରେ ବଡ଼ଦାଣ୍ଡ ପାଲଟିଥିଲା ମଥୁରାନଗର । ଜଗନ୍ନାଥବଲ୍ଲଭ ମଠ ନିକଟରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳରେ ଅନୁÂିତ ହୋଇଥିଲା ଶ୍ରୀକୃଷ୍ଣଙ୍କ ଲୀଳା । ଶ୍ରୀରାମକୃଷ୍ଣ ଲବଣିଖିଆ ମଣ୍ଡପରେ ବିଜେ ହୋଇ ମହାଭୋଇ ପରିବାରର ବୋହୂମାନଙ୍କ ହାତରୁ ସର, ଲବଣୀ ଖାଇଥିଲେ । ଅନ୍ତିମ ପର୍ବରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଶ୍ରୀକୃଷ୍ଣ ରାକ୍ଷସରାଜ କଂସ ମହାରାଜାଙ୍କୁ ବଧ କରିଥିଲେ ।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କୃଷ୍ଣଲୀଳା ନୀତି, ଲବଣିଖିଆ, ମଥୁରାହାଟ ଯୁର ଆଦି ନୀତି ସମ୍ପନ୍ନ ହୋଇଥିଲା । ଅପରାହ୍ନ ୨ଟା୫୦ରେ ମଧ୍ୟାହ୍ନ ଧୂପ ସରିଥିଲା । ପରେ ଭିତରେ ପାଣି ପଡ଼ି ଦକ୍ଷିଣ ଘର ଭୋଗ ସରିଥିଲା । ମହାଜନ ସେବକମାନେ ଶ୍ରୀକୃଷ୍ଣ-ବଳରାମଙ୍କୁ ରତ୍ନ ସିଂହାସନକୁ ବିଜେ କରାଇଥିଲେ । ଶ୍ରୀକୃଷ୍ଣ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଓ ବଳରାମ ବଡ଼ଠାକୁରଙ୍କ ବାଡରେ ବିଜେ ହୋଇଥିଲେ । ଆଜ୍ଞାମାଳ ପାଇ ବଟଦୁଆରେ ଥିବା ପାଲିଙ୍କିରେ ଠାକୁରମାନେ ବିଜେ ହୋଇଥିଲେ । ପଟୁଆରରେ ବିମାନବଡ଼ୁମାନେ ପାଲିଙ୍କି ନେଇ ଶ୍ରୀମନ୍ଦିରରୁ ବାହାରିଥିଲେ ।
ଠାକୁରେ ଲବଣିଖିଆ ମଣ୍ଡପଠାରେ ବିଜେ ହୋଇଥିଲେ । ମହାଭୋଇମାନେ ବାଟବରଣ କରିଥିଲେ । ରୁପା ଥାଳିରେ ମହାଭୋଇମାନେ ଭୋଗ ଆଣିବା ପରେ ବନ୍ଦାପନା ହୋଇଥିଲା । ମହାଭୋଇ ପରିବାରର ବୋହୂମାନେ ଦୁଇ ବିଗ୍ରହଙ୍କୁ ଅର୍ଘ୍ୟ ବନ୍ଦାପନା ପୂର୍ବକ ପାଛୋଟି ନେଇ ଲବଣିଖିଆ ମଣ୍ଡପ ଖଟ ଉପରେ ବିଜେ କରାଇଥିଲେ । ମହାଭୋଇଙ୍କ ପ୍ରଦତ୍ତ ସର, ଲବଣୀ, ମାଖନ ଭୋଗ ଲାଗିଥିଲା । ଭିତରଛୁ ମହାପାତ୍ରେ ବନ୍ଦାପନା କଲା ପରେ ମହାପ୍ରଭୁ ବିମାନକୁ ବିଜେ ହୋଇ ଜଗନ୍ନାଥବଲ୍ଲଭ ସାମ୍ନା ଖଳାକୁ ବିଜେ ହୋଇଥିଲେ ।
ସେଠାରେ ଅକ୍ରୁର ପ୍ରସ୍ତାବ, କିଛି ବାଟପରେ ରଜକ ପ୍ରସ୍ତାବ, ଧନୁଘର ପ୍ରସ୍ତାବ ହୋଇଥିଲା । ମରଚିଠାକୁରାଣୀଙ୍କ ସମ୍ମୁଖରେ ମଲ୍ଲଯୁଦ୍ଧ ପ୍ରସ୍ତାବ ହୋଇଥିଲା । ଏଠାରୁ ଠାକୁରେ ସିଂହଦ୍ୱାର ସମ୍ମୁଖରେ ଲକ୍ଷି ଉଦର ସାମ୍ନା କାଠ ସିଂହାସନ ଉପରେ ପାଲିଙ୍କି ସହିତ ବିଜେ ହୋଇଥିଲେ । ସେଠାରେ କୁବଳୟା ରଜ ପ୍ରସ୍ତାବ ଓ କଂସବଧ ନୀତି ହୋଇଥିଲା । ବାଲିସାହିଆଙ୍କ ପକ୍ଷରୁ କଂସ ମହାରାଜା ଓ ଶ୍ରୀକୃଷ୍ଣ ବଳରାମ ଆସିବା ପରେ ସେଠାରେ ଆଜ୍ଞାମାଳ ପାଇଥିଲେ । ଶ୍ରୀକୃଷ୍ଣ ସେଠାରେ କଂସକୁ ଧରାଶାୟୀ କରି ହତ୍ୟା କରିଥିଲେ । ପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ଠାକୁରେ ବାହୁଡା ବିଜେ କରିଥିଲେ । ଏହି ଦେବନୀତି ଦେଖିବାକୁ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
Comments are closed, but trackbacks and pingbacks are open.