ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ): ରାଜ୍ୟ ଏବଂ ରାଜ୍ୟ ବାହାର ଭକ୍ତମାନଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ । ରବିବାରଠାରୁ ପୁରୀ ଜିଲ୍ଲା ସମେତ ରାଜ୍ୟ, ଦେଶ ବିଦେଶର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ଖୋଲିବ । ଦୀର୍ଘ ୯ମାସ ଧରି କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଏହି ଭକ୍ତମାନେ ଅପେକ୍ଷା କରିଥିଲେ । ସକାଳ ସାଢେ଼ ୭ଟା ପରେ ଶ୍ରୀଦର୍ଶନ ଆରମ୍ଭ ହେବ । ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଖୋଲାରହିବ । ଭକ୍ତଙ୍କ ଦର୍ଶନ ପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ଦର୍ଶନ ଶୃଙ୍ଖଳା, ଦର୍ଶନାର୍ଥୀଙ୍କୁ ଗାଇଡ୍ କରିବା ଏବଂ ସମୁଦ୍ର ସ୍ନାନ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହେଉଛି । ପାଖାପାଖି ୨୦ ପ୍ଳାଟୁନ୍ ଫୋର୍ସ ନିୟୋଜିତ ହେବାର ସୂଚନା ମିଳିଛି ।
ଦର୍ଶନ ମାର୍ଗଦର୍ଶିକାରେ ଜିଲ୍ଲା ଏବଂ ବାହାରୁ ଆସୁଥିବା ଦର୍ଶନାର୍ଥୀ କୋଭିଡ୍ ନେଗେଟିଭ୍ ରିପୋର୍ଟ ସହ ନିଜର ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବେ । ଦର୍ଶନର ୯୬ ଘଣ୍ଟା ପୂର୍ବରୁ ଅର୍ଥାତ ୪ ଦିନ ପୂର୍ବରୁ ଭକ୍ତ ଏହା ସଂଗ୍ରହ କରିଥିବା ଆବଶ୍ୟକ । ପ୍ରଚଳିତ କୋଭିଡ୍ କଟକଣାରେ ମାସ୍କ, ହାତ ସାନିଟାଇଜେସନ, ସାମାଜିକ ଦୂରତା ଆଦିକୁ ଦର୍ଶନ ବେଳେ କଡାକଡି ଭାବେ ଅନୁପାଳନ କରିବେ । ଏହି ସବୁ ବ୍ୟବସ୍ଥାକୁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଅନୁଧ୍ୟାନ କରିଥିଲେ ।
ଏହି ଅନୁଧ୍ୟାନ ତଥ୍ୟ ଆଧାରରେ ଶନିବାର ସନ୍ଧ୍ୟାରେ ସୋମବାର ଦର୍ଶନର ରୂପରେଖ ଉପରେ ଆଲୋଚନା ପାଇଁ ପ୍ରଶାସନିକ ଅଫିସରମାନେ ଶ୍ରୀମନ୍ଦିର ଅଫିସରେ ଏକାଠି ହୋଇଥିଲୋ । ଯାହା ସୂଚନା ମିଳୁଛି ପୂର୍ବରୁ ଜାରି ହୋଇଥିବା କୋଭିଡ୍ ମାର୍ଗଦର୍ଶନ ମୁତାବକ ଭକ୍ତମାନେ ଦର୍ଶନ କରିବେ । ବାହାର ଭକ୍ତ ଆସୁଥିବାରୁ ଟ୍ରାଫିକ୍ ନିୟନ୍ତ୍ରଣ ଏକ ଚ୍ୟାଲେଞ୍ଜ ହେବାର ଆଶଙ୍କା କରାଯାଉଛି । ଦୈନିକ ସର୍ବନିମ୍ନ ୧୫ ହଜାର ଦର୍ଶନାର୍ଥୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ।
ଶ୍ରୀକ୍ଷେତ୍ରବାସୀ କିନ୍ତୁ ଏହି ଦର୍ଶନରେ ସାମିଲ ହୋଇ ପାରିବେ ନାହିଁ । ନିଷ୍ପତ୍ତି ହୋଇଥିଲା ୩ତାରିଖରୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଘଣ୍ଟା ପାଇଁ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ । କିନ୍ତୁ ଏହି ନିଷ୍ପତ୍ତିରୁ ପ୍ରଶାସନ ଓହରି ଯାଇଛି ।ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଥିଲେ । ସହରବାସୀଙ୍କ ସୀମିତ ଦର୍ଶନ ପ୍ରସଙ୍ଗରେ ପରେ ବିଚାର କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ ।
ବାହାର ଭକ୍ତଙ୍କ ଦର୍ଶନ ପାଇଁ ମାକେର୍ଟ ଛକରୁ ସିଂହଦ୍ୱାର ଏବଂ ସିଂହଦ୍ୱାର ଠାରୁ ଶ୍ରୀମନ୍ଦିର ଭିତରେ ଦର୍ଶନ ପ୍ରସ୍ତୁତି ସରିଛି । ମୁଖ୍ୟତଃ ବ୍ୟାରିକେଡରେ ଭକ୍ତମାନେ ଧାଡି ଦର୍ଶନ କରିବେ । ମୁ୍ୟନିସପାଲଟି ମାର୍କେଟ ଛକରୁ ନିଜ ନିଜର ଯାନବାହନ ପାର୍କିଂ କରିବେ । ମାର୍କେଟ ଛକରୁ କାଠ ବ୍ୟାରିକେଡ୍ ଦେଇ ଆସିବେ । ଶ୍ରୀନଅର ସାମ୍ନାରେ ଥର୍ମାଲ ସ୍କ୍ରିନିଂରେ ଉତ୍ତାପ ମପାଯିବ ।ଧାଡ଼ିରେ ସାମାଜିକ ଦୂରତା ରକ୍ଷା କରିବେ । ଶ୍ରୀମନ୍ଦିର ସିଂହଦ୍ୱାର ବ୍ୟାରିକେଡ୍ ପରିସରରେ ରହିଥିବା କିଓସ୍କୋରେ ନିଜ ପରିଚୟ ପତ୍ର ଏବଂ କୋଭିଡ୍ମୁକ୍ତ ପ୍ରମାଣପତ୍ର ଦାଖଲ କରିବାକୁ ହେବ । ଯାଞ୍ଚ ପରେ ହାତ ସାନିଟାଇଜ କରି ଶ୍ରୀମନ୍ଦିରକୁ ଦର୍ଶନ ପ୍ରବେଶ କରିବେ ।
ଭକ୍ତମାନେ ଦର୍ଶନ ବେଳେ ଆରୁଣ ସ୍ତମ୍ଭ, ଗୁରଡ଼ ସ୍ତମ୍ଭ ସହ ଅନ୍ୟ କୌଣସି ମୂର୍ତ୍ତିକୁ ସ୍ପର୍ଶ କରିବେ ନାହିଁ । ସିଂହଦ୍ୱାର, ବାଇଶି ପାହଚ, ବେହରଣ ଦ୍ୱାର, ନାଟମଣ୍ଡପ, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଠାରେ ଭକ୍ତମାନେ ଦର୍ଶନ କରିବେ । ଶ୍ରୀମନ୍ଦିର ନୀତିକୁ ଦେଖି ବାହାର କାଠ ଏବଂ ଭିତର କାଠଠାରେ ପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଆନନ୍ଦବଜାରରୁ ଅବଢ଼ା ନେଇପାରିବେ । ଆନନ୍ଦବଜାର କିମ୍ବା ଦେଉଳ ଭିତରେ ଅବଢ଼ା ଖାଇପାରିବେ ନାହିଁ । ମନ୍ଦିର ଭିତରେ ଏବଂ ବାହାରେ ଦର୍ଶନାର୍ଥୀ ମାସ୍କ ପିନ୍ଧି କୋଭିଡ୍ ଗାଇଡ୍ ଲାଇନକୁ ଭାବେ ଅନୁପାଳନ କରିବେ । ଅନଧିକାର ଶ୍ରୀମନ୍ଦିର ପ୍ରବେଶ ଅଥବା କୋଭିଡ୍ କଟକଣା ଉଲ୍ଳଂଘନ କଲେ ଦଣ୍ଡବିଧାନ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons