ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ରୋଷଘର ଚୁଲିରେ ମଙ୍ଗଳବାର ଦିନ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ରୋଷପାକ ବସିଥିଲା । ଏହି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଦୁଇ ଜଣ କର୍ମଚାରୀ ରୋଷଘର ଭିତରେ ପଶିଥିଲେ । ରୋଷଘର ପ୍ରବେଶ ନିୟମ ଖିଲାପରେ ଭିତରକୁ ପଶିିଥିଲେ । ଏହା ଦ୍ୱାରା ରୋଷପାକ ମାରା ହୋଇଥିଲା । ଖାଲି ସେତିକି ତ ନୁହେଁ ମାରାପାକକୁ ମହାପ୍ରଭୁଙ୍କ ସନ୍ଧ୍ୟାଧୂପରେ ଲାଗି ହୋଇଥିଲା । ହେଲେ ଏଭଳି ଅଭାବନୀୟ ଘଟଣାକୁ ଚପାଇ ଦିଆଯାଇଥିଲା । ଖବର ପଦାକୁ ଆସିଥିଲା, ହେଲେ ସେତେବେଳକୁ ସନ୍ଧ୍ୟାଧୂପ ଉଠି ସାରିଥିଲା । ଏଥିରୁ ସ୍ୱଷ୍ଟ ହୋଇଯାଇଛି ମହାପ୍ରଭୁଙ୍କ ରୋଷପାକ ବି ଅସୁରକ୍ଷିତ ହୋଇଯାଇଛି । ଏହି ଅଘଟଣକୁ ବୁଧବାର ଦିନ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସେବାୟତ ପ୍ରତିନିଧିମାନେ ଉଠାଇଥିଲେ ।
ଏ ଅଘଟଣର ଖବର ପ୍ରଶାସନର ଦୃଷ୍ଟିକୁ ଆସିଛି । ରୋଷଘର ଭିତରେ ରୋଷପାକ ବସିଥିବା ବେଳେ ଅଣସେବକଙ୍କ ପ୍ରବେଶ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କୁହାଯାଇଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର, ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ବଲୱନ୍ତ ସିଂହ, ପୁରୀ ଏସ୍ପି ଉମାଶଙ୍କର ଦାଶଙ୍କ ସମେତ ଶ୍ରୀମନ୍ଦିର ନୀତି ପ୍ରଶାସକ ଉପସ୍ଥିତ ଥିଲେ । ମାରା ଭୋଗକୁ ପ୍ରଭୁଙ୍କୁ ଲାଗି କରାଯିବା ଘଟଣା ସମ୍ପର୍କରେ ସେବାୟତ ପ୍ରତିନିଧିମାନେ ଉଦ୍ବେଗ ପ୍ରକାଶ କରି ଆଲୋଚନା ଦାବି କରିଥିଲେ । ତେବେ ସେବାୟତ ପ୍ରତିନିଧିଙ୍କୁ ବୈଠକରେ ସୁଯୋଗ ଦିଆଯାଇ ନଥିଲା ।
ରୋଷପାକ ମାରା ହେବା ଭଳି ଘଟଣାକୁ ସଭାରେ ତର୍ଜମା କରିବା ପରିବର୍ତ୍ତେ ଚପାଇ ଦିଆଯାଇଥିଲା । ଏହି କାରଣରୁ ବୈଠକରେ ସେବାୟତମାାନେ ପାଟିତୁଣ୍ଡ କରିଥିଲେ । ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ପ୍ରଶାସନିକ ଅଧିକାରୀମାନେ ରୋଷଘରେ ଏଭଳି ଗୁରୁତର ବିଭ୍ରାଟ ନେଇ ନିରବ ରହିଥିଲେ ।
ମହାପ୍ରଭୁଙ୍କ ରୋଷପାକ ବସିଥିବା ବେଳେ ରୋଷଘର ପାଇକ କିମ୍ବା ସୁଆର ମହାସୁଆର ନିଯୋଗ ଠାରୁ ପ୍ରାକ୍ ଅନୁମତି ନେଇ ପ୍ରବେଶ ନିୟମ ରହିଛି । ଅଣସେବାୟତ ବା ଆଗନ୍ତୁକ କେହି ରୋଷଘର ପାକ ବସିଥିବା ବେଳେ ପ୍ରବେଶ କରିବାକୁ ଚାହିଁଲେ ସହଜରେ ଅନୁମତି ଦିଆଯାଏ ନାହିଁ । ଯଦି ସେମିତି କିଛି ଜରୁରିସ୍ଥିତି ଥାଏ, ତେବେ ରୋଷପାକ ବନ୍ଦ ରଖାଯିବ । ରୋଷଘର ପାଇକ ଏବଂ ସୁଆରମହାସୁଆର ନିଯୋଗ ପ୍ରତିନିଧିଙ୍କ ତତ୍ତ୍ୱାବଧାନ ତଥା ଉପସ୍ଥିତିରେ ଅଣସେବାୟତ ରୋଷଘର ପ୍ରବେଶ କରିପାରିବେ । ଏହି ବିଧି ବ୍ୟବସ୍ଥାକୁ ଏଏସଆଇ କର୍ମଚାରୀ ଅଣଦେଖା କରି ରୋଷଘର ଭିତରେ ପ୍ରବେଶ କରିଥିଲେ । ରୋଷପାଇକ କିମ୍ବା ନିଯୋଗ ଠାରୁ ରୋଷଘର ପ୍ରବେଶ ପାଇଁ ଅନୁମତି ନେଇ ନଥିଲେ ।
ରୋଷଘର ଏବଂ ଏହାର ଅଗଣାକୁ ମାପିବାକୁ ଏଏସଆଇର କର୍ମଚାରୀମାନେ ରୋଷଘରେ ପ୍ରବେଶ କରିଥିବାର ଖବର ମିଳିଛି । ରୋଷଘର ଏବଂ ରୋଷଘର ଅଗଣାର ଫଟୋ ଚିତ୍ର ଉତ୍ତୋଳନ କରିଥିଲେ । ଛତିଶା ନିଯୋଗ ବୈଠକରେ ଯୋଗ ଦେଇଥିବା ସେବାୟତ ପ୍ରତିନିଧିମାନେ ଏହି ଅଘଟଣ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏହା ବ୍ୟତିତ ଛତିଶା ନିଯୋଗ ବୈଠକରେ ସୂର୍ଯ୍ୟପରାଗ ନୀତି ନିର୍ଘଣ୍ଟ, ନବବର୍ଷର ନୀତି ଓ ଦର୍ଶନ ବ୍ୟବସ୍ଥା, ପହିଲି ଭୋଗ, ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟଉପରେ ଆଲୋଚନା ହୋଇଥିଲା । ଡିସେମ୍ବର ୨୫ ତାରିଖରୁ ଶ୍ରୀମନ୍ଦିରରେ ଲାଗୁ ହେଉଛି ସ୍ୱତନ୍ତ୍ର ସୂର୍ଯ୍ୟପରାଗ ନୀତି ନିର୍ଘଣ୍ଟ । ଡିସେମ୍ବର ୨୫ ପୂର୍ବାହ୍ନ ଆଠଟା ୨୦ ମିନିଟରେ ପାକ ତ୍ୟାଗ ଓ ଦେବନୀତି ନିଷେଧ ହେବ । ଡିସେମ୍ବର ୨୬ ତାରିଖ ସକାଳ ଆଠଟା ୨୦ ମିନିଟ ଆଠ ସେକେଣ୍ଡରେ ପରାଗ ସ୍ପର୍ଶ କରିବା ପରେ ମହାପ୍ରଭୁଙ୍କ ଗହଣ ମହାସ୍ନାନ ପରେ ଅନ୍ୟାନ୍ୟ ନୀତି ବଢ଼ିବ । ସେହିଭଳି ନୂଆବର୍ଷ ଦର୍ଶନାର୍ଥୀଙ୍କ ଗହଳିକୁ ବିଚାର କରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁପାଳନ ହେବ ।
ବିଶେଷ କରି ଡିସେମ୍ବର ୩୧ ରାତି ପହୁଡ଼ ଓ ଜାନୁଆରି ୧ ମଧ୍ୟ ରାତିରେ ଦ୍ୱାରଫିଟା ନୀତି ସଂପାଦନ ହେବ । ୩୧ ତାରିଖ ରାତି ଏଗାର ସୁଦ୍ଧା ପହୁଡ଼ ନହେଲେ ଦ୍ୱାରଫିଟା ନୀତି ବିଳମ୍ବ । ଛତିଶା ନିଯୋଗ ସଭାରେ ଏହା ଆଲୋଚନା ହେବା ସହ ସେବାୟତମାନେ ନୀତି ଅନୁପାଳନରେ ସହଯୋଗ କରିବାକୁ ପ୍ରଶାସନ ପରାମର୍ଶ ଦେଇଥିଲା ।
Comments are closed, but trackbacks and pingbacks are open.