ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଗୁମୁଟ ଚାଳି ତଳେ ପଥର ଝୁଲିରହିଛି । ଏହି ପଥର ଗଳି ପଡ଼ିବା ସ୍ଥିତିରେ ରହିଛି । ଚାଳି ତଳ କୋଣରୁ ଝୁଲନ୍ତା ଅବସ୍ଥାରେ ରହିଥିବା ପଥରକୁ ଲାଗି ଆଖପାଖ ୪ଟି ପଥର ମଧ୍ୟ ଦୁର୍ବଳ ଥିବାର ଆଶଙ୍କା କରାଯାଉଛି । ଏକ ଫୁଟ ବିଶିଷ୍ଟ ଏହି ପଥର ପୁଞ୍ଜ ଖସି ପଡିଲେ ଗୁମୁଟ ଚାଳିକୁ ବିପଦ ସୃଷ୍ଟି କରିବ । ଏହାର ଆଶୁ ମରାମତି ଜରୁରି ହୋଇ ପଡିଛି । ଚାଳି ପଥର ମଧ୍ୟ ଖସିବାର ଆଶଙ୍କା ବଢ଼ୁଛି ।
ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ କୁହାଯାଇଛି ଏହି ଝୁଲନ୍ତା ପଥର ନେଇ ଆମେ ତିନି ଦିନ ପୂର୍ବେ ଜାଣିଛୁ । ଏହାର ଆଶୁ ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ଷାଦିନ ପୂର୍ବରୁ ଶ୍ରୀମନ୍ଦିର ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର ସହ ଦକ୍ଷିଣ ଦ୍ୱାର ଗୁମୁଟର ସ୍ଥିତି ଅନୁଧ୍ୟାନ କରିବା ଏବଂ ଯାବତୀୟ ମରାମତି କରିବାକୁ ସେବାୟତମାନେ ଦାବି କରିଛନ୍ତି ।
ଉଲ୍ଲେଖନୀୟ ଛଅ ବର୍ଷ ପୂର୍ବେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଦୁର୍ବଳ ହେବା ନେଇ କୋର୍ କମିଟି ରିପୋର୍ଟ ଦେଇଥିଲା । ସିଂହଦ୍ୱାର ତଳେ ଷ୍ଟେନଲେସ୍ ଷ୍ଟିଲ ବିମ ଦେଇ ସୁରକ୍ଷା ଦିଆଯାଇଥିଲା । ଏହି ଘଟଣା ପଦାକୁ ଆସିବା ପରେ ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ୱାରର ସ୍ଥିତି ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଥିଲା । ଏହିକ୍ରମରେ ଉତ୍ତରଦ୍ୱାର, ପଶ୍ଚିମ ଦ୍ୱାର ଏବଂ ଦକ୍ଷିଣ ଦ୍ୱାର ଗୁମୁଟର ଭିତର ଏବଂ ବାହାର ପାଖରୁ ଅନେକ ଦୁର୍ବଳତା ପଦାକୁ ଆସିଥିଲା । ପଶ୍ଚିମ ଦ୍ୱାର ଭିତର ପାଖରୁ ଏକାଧିକ ଦୁର୍ବଳ ପଥର ହଟାଯାଇଥିଲା । ସେହିଭଳି ଉତ୍ତର ଦ୍ୱାରର ଯାବତୀୟ ମରାମତି ହୋଇଥିଲା । ଦକ୍ଷିଣ ଦ୍ୱାର ବାହାର ପାଖ ବାମ କଡରୁ ମଧ୍ୟ ଦୁର୍ବଳ ପଥର ହଟାଯାଇ ପଥର ଯୋଡେ଼ଇ ହୋଇଥିଲା । ଗୁମୁଟ ଡାହାଣ ପାଖରେ କିଛି ମରାମତି ହୋଇନଥିଲା । ଦକ୍ଷିଣ ଦ୍ୱାର ନିରନ୍ତର ସମୂଦ୍ର ଲୁଣା ପବନ ପ୍ରଭାବରେ ରହି ଆସିଥିଲା । ଏହି କାରଣରୁ ଦକ୍ଷିଣ ଦ୍ୱାର ଡାହାଣ ପାଶ୍ୱର୍ ଗୁମୁଟ ଚାଳି ତଳର ପଥର ହୁଗୁଳା ହୋଇଯାଇଥିବାର ଆଶଙ୍କା କରାଯାଉଛି ।
Comments are closed, but trackbacks and pingbacks are open.