ଶ୍ୱଶୁର ଟାଙ୍ଗିଆ ଚୋଟରେ ଜ୍ୱାଇଁର ଗୋଡ଼ ଛିଣ୍ଡିଲା

Get real time updates directly on you device, subscribe now.

ପ୍ରେମ ବିବାହକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ
କଣ୍ଟାମାଳ,(ବି.ବି.ନ୍ୟୁଜ୍): ପ୍ରେମ ବିବାହକୁ କେନ୍ଦ୍ର କରି ମଙ୍ଗଳବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରୁଣ୍ଡିମହୁଲ ପଞ୍ଚାୟତ ଡୁମୁରିଗୋରା ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।
ଶ୍ୱଶୁର ଟାଙ୍ଗିଆରେ ଜ୍ୱାଇଁ ଗୋଡ଼କୁ ଦୁଇଗଡ କରି ହାଣିବା ସହ ନିଜ ଝିଅକୁ ଠେଙ୍ଗାରେ ପିଟି ମୁଣ୍ଡ ଫଟାଇଦେଇଛି । ଏନେଇ କଣ୍ଟାମାଳ ଥାନାରେ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଗୁରୁତର ସୌରଭ ଦଣ୍ଡିଆ(୨୮)ଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନା ପଠାଯାଇଛି ।
ସୂଚନାମତେ କଣ୍ଟାମାଳ ଥାନା ରୁଣ୍ଡିମହୁଲ ପଞ୍ଚାୟତ ବରପଦର ଗାଁର ଚିତ୍ରସେନ୍ ଦଣ୍ଡିଆଙ୍କ ପୁଅ ସୌରଭ ପାଖ ଡୁମୁରିଗୋରା ଗାଁର ଶଶି ମହାଲିକଙ୍କ ଝିଅ ଜ୍ୟୋତ୍ସ୍ନା ମହାଲିକ(୨୦)ଙ୍କୁ ଦୁଇମାସ ପୂର୍ବରୁ ପ୍ରେମ ବିବାହ କରିଥିଲେ । ଏହି ପ୍ରେମ ବିବାହକୁ ଝିଅ ପରିବାର ଲୋକେ ବିରୋଧ କରୁଥିବା ବେଳେ ସୌରଭଙ୍କ ପରିବାର ଲୋକେ ଏହି ବିବାହକୁ ସମ୍ମତି ପ୍ରଦାନ କରିବା ସହ ଜ୍ୟୋତ୍ସ୍ନାକୁ ବୋହୂ ଭାବେ ଗ୍ରହଣ କରିଥିଲେ । ଜ୍ୟୋତ୍ସ୍ନା ନିଜ ଗାଁ ଡୁମୁରିଗୋରାରେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଥିଲେ । ମଙ୍ଗଳବାର ଜ୍ୟୋତ୍ସ୍ନା ନିଜ ସ୍ୱାମୀ ସୌରଭଙ୍କ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଥିଲେ । ଜ୍ୟୋତ୍ସ୍ନା ଅଙ୍ଗନବାଡ଼ିରେ ପାଠ ପଢାଇସାରିବା ପରେ ଅପରାହ୍ନ ୨ଟାରେ ନିଜ ସ୍ୱାମୀଙ୍କ ସହ ବରପଦରକୁ ଫେରୁଥିଲେ । ଫେରିବା ବାଟରେ ଅଙ୍ଗନବାଡି କେନ୍ଦ୍ରଠାରୁ କିଛି ଦୂରରେ ପୂର୍ବ ପ୍ରସ୍ତୁତି ଅନୁସାରେ ଜ୍ୟୋତ୍ସ୍ନାଙ୍କ ପିତା ଶଶି, ମାଆ ବାସନ୍ତୀ, ଭାଇ ଗଣେଶ୍ୱର ଓ ବଡବାପା ସୁରୁ ଦମ୍ପତିଙ୍କୁ ଜଗି ରହିଥିଲେ । ସୌରଭଙ୍କୁ ଅଟକାଇ ଝିଅ ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବା ସହ ଗାଳିଗୁଲଜ କରିଥିଲେ । ଏପରିକି ଜୀବନରୁ ମାରିବାକୁ ଧମକ ଦେଇ ଠେଙ୍ଗାରେ ପିଟିଥିଲେ । ଜ୍ୟୋତ୍ସ୍ନା ବିରୋଧ କରିବାରୁ ତାକୁ ମଧ୍ୟ ଏକ ଠେଙ୍ଗା ସାହାଯ୍ୟରେ ପିଟି ମୁଣ୍ଡ ଫଟାଇ ଦେଇଥିଲେ । ପରେ ଶ୍ୱଶୁର ଶଶି ଏକ ଟାଙ୍ଗିଆରେ ନିଜ ଜ୍ୱାଇଁର ବାମ ଗୋଡକୁ ହାଣି କଟା ଗୋଡକୁ ହାତରେ ଧରି ଶୁଳିଆ ରାସ୍ତାରେ ଯାଉଥିଲା । ଘଟଣା ସମ୍ପର୍କରେ ଜ୍ୟୋତ୍ସ୍ନା ଶ୍ୱଶୁର ଚିତ୍ରସେନଙ୍କୁ ଫୋନ କରି ଜଣାଇଥିଲା । ଫୋନ ପାଇ ଚିତ୍ରସେନ୍ ଡୁମୁରିଗୋରା ଆସୁଥିବା ବାଟରେ ଶଶିକୁ ଦେଖିବାରୁ ଶଶି କଟାଗୋଡ ଫିଙ୍ଗି ଫେରାର୍ ହୋଇଯାଇଥିଲା । ଚିତ୍ରସେନ୍ ନିଜ ଗାଁ ଲୋକଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ପୁଅକୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ପଠାଇ କଣ୍ଟାମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବରପାଇ କଣ୍ଟାମାଳ ଥାନା ଅଧିକାରୀ ଆଇଆଇସି ସୁଶାନ୍ତ ସେଠି ଚିତ୍ରସେନଙ୍କ ଅଭିଯୋଗକୁ ଭିତ୍ତିକରି କଣ୍ଟାମାଳ ଥାନା ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons