ଷ୍ଟେ୍ରଚରରେ ବୁହାହେଲେ ପକ୍ଷାଘାତ ଆକ୍ରାନ୍ତ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): କାଦୁଅ ରାସ୍ତା ଯୋଗୁ ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ୨ କିମି ଦୂରରେ ଅଟକିଗଲା । ବାଧ୍ୟହୋଇ ଗାଁ ଲୋକେ ଶେଷରେ ପକ୍ଷାଘାତ ଆକ୍ରାନ୍ତ ବୃଦ୍ଧାଙ୍କୁ ଷ୍ଟେ୍ରଚରରେ ବୋହିଲେ । ଆଣ୍ଠୁଏ ଆଣ୍ଠୁଏ ପାଣି କାଦୁଅ ଭିତରେ ପଶି ଅମ୍ବୁଲାନ୍ସ ଅଟକିଥିବା ସ୍ଥାନରେ ପହଞ୍ଚାଇଲେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତର ମୁଣ୍ଡାଗୁଡା ଗାଁରେ ।
ଗାଁର ୬୦ ବର୍ଷୀୟା ବୃଦ୍ଧା ରଇବାରି ଜାନୀ ଆଜି ସକାଳେ ହଠାତ୍ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ବାମପଟ ହାତଗୋଡ଼ ଅଚଳ ହୋଇଯାଇଥିଲା । ସଂଗେ ସଂଗେ ଗାଁ ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚିଲା । ହେଲେ ରାସ୍ତା କାଦୁଅରେ ଭରି ରହିଥିବାରୁ ୨ କିମି ଆଗରୁ ଅଟକିଗଲା । ଗାଁ ଲୋକେ ଏକାଠି ହୋଇ ବୃଦ୍ଧାଙ୍କୁ ଏକ ଷ୍ଟେ୍ରଚରରେ ବୋହିଥିଲେ । ବୃଦ୍ଧା ଜଣଙ୍କ ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ୱାର୍ଡମେମ୍ବର ମଧୁ ଜାନୀଙ୍କ ସମେତ ଗାଁର ଡମ୍ବରୁୁଧର ହରିଜନ, ଜଗତରାୟ ହରିଜନ, ବେଣୁ ପାତ୍ର, ପ୍ରସନ୍ନ ହରିଜନ, କପିଳ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, କିଛି ମାସ ତଳେ ଗାଁର ଏହି ରାସ୍ତା ମରାମତି କରାଯାଇଥିଲା । ରାସ୍ତାରେ ମୁରୁମ ବଦଳରେ ମାଟି ପକାଇ ଦିଆଯାଇଥିଲା । ସାମାନ୍ୟ ବର୍ଷା ହେଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି । ଗାଡ଼େମୋଟର ତ ଦୂରର କଥା, ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହେଉନି । ତଥାପି ଜିଲ୍ଲା ପ୍ରଶାସନ ଏ ଦିଗରେ ଆଦୌ ପଦକ୍ଷେପ ନେଉନି । ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉନଥିବାରୁ ସେମାନେ ସର୍ବଦା ଏଭଳି ଯନ୍ତ୍ରଣା ଭୋଗୁଛନ୍ତି । ଏବେ ବି ଗାଁରେ ୩ ଜଣ ଗର୍ଭବତୀ ରହିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କୁ ବି ବୋହିକରି ଡାକ୍ତରଖାନା ନେବାକୁ ପଡ଼ିବ ବୋଲି କ୍ଷୋଭର ସହ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons