ସଂଗରୋଧ କେନ୍ଦ୍ରରେ ରହିବାକୁ ନାରାଜ ଡଙ୍ଗରିଆ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡ଼ରେ କାୟା ମେଲାଇଛି ମହାମାରୀ କରୋନା । କରୋନାରେ ଶତାଧିକ ଆଦିମ ଜନଜାତି ଡଙ୍ଗରିଆକନ୍ଧ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମରୁ କରୋନା କିଛି ନୁହଁ ବୋଲି କହୁଥିବା ଡଙ୍ଗରିଆ ଏବେ ସଂଗରୋଧ କେନ୍ଦ୍ରରେ ରହିବାକୁ ନାରାଜ । ଯାହାକି ଉଭୟ ପ୍ରଶାସନ ଓ ଡଙ୍ଗରିଆକନ୍ଧ ସମ୍ପ୍ରଦାୟ ପାଇଁ ଏକପ୍ରକାର ସତର୍କ ଘଣ୍ଟି ସାଜିଛି ।
ଉଭୟ କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକରୁ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଡଙ୍ଗରିଆ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସଂଗରୋଧ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । କଲ୍ୟାଣସିଂହପୁର ବ୍ଲକର କାନସୁର ଏବଂ ବିଷମକଟକ ବ୍ଲକର ଚାଟିକଣାଠାରେ ସଂଗରୋଧ କେନ୍ଦ୍ର କରାଯାଇଛି । ଏହି ଦୁଇ ସଂଗରୋଧ କେନ୍ଦ୍ରରେ ଅଧିକାଂଶ ଆକ୍ରାନ୍ତ ରହୁନଥିବା ଜଣାପଡ଼ିଛି । ପ୍ରକୃତି କୋଳରେ ବଢ଼ି ଆସିଥିବା ଡଙ୍ଗରିଆମାନେ ସଂଗରୋଧ କେନ୍ଦ୍ରର ଚାରିକାନ୍ଥ ଭିତରେ ରହିବା ପାଇଁ ଅମଙ୍ଗ ହେଉଥିବା ସୂଚନା ମିଳିଛି । ଏମିତିକି ସଂଗରୋଧ କେନ୍ଦ୍ରକୁ ଆସି କେତେଜଣ ନିଜ ଗାଁକୁ ଚାଲିଯାଇଥିବା ଜଣାପଡ଼ିଛି । ଫଳରେ ଅଧିକାଂଶ ଗାଁରେ ଗୋÂୀ ସଂକ୍ରମଣ ହେବାର ଆଶଙ୍କା ବଢିଯାଇଛି । ସର୍ବଦା ନିଜ ସଂସ୍କୃତି ଏବଂ ପରଂପରାକୁ ଜାବୁଡ଼ି ଧରିଥିବା ଡଙ୍ଗରିଆକନ୍ଧ ସମ୍ପ୍ରଦାୟକୁ ବୁଝାଇବା ମଧ୍ୟ କଷ୍ଟକର ବ୍ୟାପାର ପାଲଟିଛି ।
ନିୟମଗିରି ପାହାଡ଼ରେ କରୋନା ବ୍ୟାପିବା ପରେ ବିଭିନ୍ନ ଗାଁରେ ଡଙ୍ଗରିଆ ସଂପ୍ରଦାୟ ପକ୍ଷରୁ ପୂଜାର୍ଚ୍ଚନା କରାଯାଉଛି । ଏଥିରେ ସାମିଲ ହେବାପାଇଁ ସଂଗରୋଧ କେନ୍ଦ୍ରକୁ ଯାଇଥିବା ଆକ୍ରାନ୍ତମାନେ ଚାଲିଯାଉଛନ୍ତି । ଆଉ କେତେଜଣ ଗାଁକୁ ଯାଇ ପୁଣି ସଂଗରୋଧ କେନ୍ଦ୍ରକୁ ଫେରିଥିବା ସୂଚନା ମିଳିଛି । ନିୟମଗିରି ପାହାଡ଼ରେ ଟିକାକରଣର ବଡ଼ ଆବଶ୍ୟକତା ରହିଛି । ଗୋଟିଏ ପଟେ ଏହି ପାହାଡ଼ ଉପରେ ଥିବା ୧୧୨ଟି ଗାଁ ମଧ୍ୟରୁ ହାତଗଣତି ଗାଁରେ ମୋବାଇଲ ନେଟୱର୍କ ରହିଛି । ୮୦ ପ୍ରତିଶତ ଗାଁକୁ ଗମନାଗମନ ସୁବିଧା ନାହିଁ । ଅନଲାଇନ ପଞ୍ଜୀକରଣ କରି ଟିକାକରଣରେ ନେଟୱର୍କ ବାଧକ ସାଜିଥିବା ବେଳେ ଅଫଲାଇନ ପାଇଁ ଅନ୍ତରାୟ ସୃଷ୍ଟି କରୁଛି ଦୁର୍ଗମ ରାସ୍ତା । ଫଳରେ ନିୟମଗିରି ପାହାଡ଼ରେ ରହୁଥିବା ଡଙ୍ଗରିଆକନ୍ଧଙ୍କ ଟିକାକରଣ କେମିତି କରାଯିବ, ତାହା ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons