ସଂଘର୍ଷର ସାଥି ପୂଜା ମାହାର

Get real time updates directly on you device, subscribe now.

ମ.ରାମପୁର: ସର୍ବଭାରତୀୟ ଟ୍ରେଡ ଷ୍ଟେଟ(ଏଆଇଟିଟି)ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆଇଆଇଟିର(ଏମ୍ଏମ୍ଭି) ପୂଜା ମାହାର ସର୍ବଭାରତୀୟ ସ୍ତରରେ ମହିଳା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହା କଳାହାଣ୍ଡିବାସୀଙ୍କ ପାଇଁ ଯେତିକି ଉତ୍ସାହପ୍ରଦ ସମସ୍ତଙ୍କ ପାଇଁ ତା’ଠାରୁ ଅଧିକ ପ୍ରେରଣାଦାୟକ । ଆଜିର ଏହି ସଫଳତା ପାଇବା ପୂର୍ବରୁ ପୂଜାଙ୍କ ଜୀବନ କିଭଳି ସଂଘର୍ଷମୟ ଥିଲା ତାହା ସମ୍ଭବତଃ ଅନେକଙ୍କୁ ଜଣାନାହିଁ । ପଙ୍କରୁ ପଦ୍ମ ଫୁଟିଲା ଭଳି ପୂଜାଙ୍କ ସଂର୍ଘଷର କାହାଣୀ ଆଜି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।
ପିଲାଟି ବେଳରୁ ସତେଯେମିତି ସଂଘର୍ଷ ସହ ବଢ଼ି ଆସିଛନ୍ତି ପୂଜା । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମ.ରାମପୁର କୁସୁମ ନଗରରେ ପୀତାମ୍ବର ମାହାର ଏବଂ ମାତା ସୀତା ମାହାର ଏବଂ ସାନ ଭାଇ ସହ ହସଖୁସିରେ ଚାଲିଥିଲା ପୂଜାଙ୍କ ପରିବାର । ହେଲେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ବେଳେ ଥିଲେ ବାପା ପୀତାମ୍ବରଙ୍କ ପରଲୋକ ହୋଇଥିଲା । ଏହାପରେ ଆରମ୍ଭ ହୁଏ ପୂଜାଙ୍କ ସଂଘର୍ଷର କାହାଣୀ । ଘରର ମୁରବୀଙ୍କ ଅକାଳ ବିୟୋଗ ପରେ ଭାଙ୍ଗି ପଡ଼ିଲା ସମ୍ପୂର୍ଣ୍ଣ ପରିବାର । ବିଶେଷକରି ପ୍ରେମ ବିବାହ କରି ସୋନପୁରରୁ ଆସି ଏଠାରେ ସଂସାର ଆରମ୍ଭ କରିଥିବା ସୀତା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଏହାର ସିଧାସଳଖ ପ୍ରଭାବ ପଡ଼ିଳା ପୂଜାଙ୍କ ପାଠପଢ଼ା ଉପରେ । ଏହି ସମୟରେ ପୂଜାଙ୍କ ପାଠପଢ଼ାରେ ଏକବର୍ଷ ପାଇଁ ଡୋରୀ ବନ୍ଧା ହେଲା । ମାଁ ପରଘରେ ମୁଲ ଲାଗି ପୂଜା ଓ ତାଙ୍କ ସାନଭାଇଙ୍କୁ ପ୍ରତିପୋଷଣ କରୁଥିଲେ । ତେବେ ପୂଜାଙ୍କ ପାଠ ପଢ଼ିବାର ଇଚ୍ଛା କାରଣରୁ ସେ ପଢୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସହିତ ଯୋଗାଯୋଗ କରି ପୂଜାଙ୍କ ନାମ ଷÂ ଶ୍ରେଣୀରେ ଲେଖାଇଦେଲେ । କସ୍ତୁରବାରେ ପଢିବା ସମୟରେ ସେ ପାଠ ସହିତ ଖେଳ, କୁଦ, ନାଚ ଆଦିରେ ଆଗଧାଡ଼ିରେ ରହୁଥିଲେ । ଜିଲ୍ଲାସ୍ତର ସହ ରାଜ୍ୟ ସସ୍ତରରେ ମଧ୍ୟ ସଫଳତା ପରେ ସଫଳତା ସାଉଁଟିବାରେ ଲାଗିଲେ ପୂଜା । ଏହି ପ୍ରତିଭା ତାଙ୍କୁ ପରବର୍ତ୍ତୀ ସମୟରେ ଖୁବ ସହାୟକ ହୋଇଥିଲା । ତେବେ ଷÂରୁ ଅଷ୍ଟମ ଶ୍ରେଣୀଯାଏଁ କସ୍ତୁରବା ଗାନ୍ଧୀରେ ପାଠ ପଢ଼ିଥିଲେ । ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଂସ୍ପର୍ଶରେ ଆସିଥିଲେ । ସେହି ସମୟରେ ୟୁନିଟ ତରଫରୁ ସହଯୋଗ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଅଷ୍ଟମ ପରେ ପାଠପଢ଼ାରେ ଆଗ୍ରହୀ ଥିବା ପୂଜା ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ତରଫରୁ ନେହରୁ ସେବା ସଂଘରେ ପାଠ ପଢିବାର ବ୍ୟବସ୍ଥା କରାଯାଇଥିଲା । ସେଠାରେ ମଧ୍ୟ ସେ ଭଲ ପାଠ ପଢିବା ସହିତ ହୌସ୍ଲା କାର୍ଯ୍ୟକ୍ରମରେ ଜିଲ୍ଲାରେ ପ୍ରଥମ ହେବାପରେ ରାଜ୍ୟରେ ବି ପ୍ରଥମ ହୋଇଥିଲେ । ୨୦୧୮ ମସିହା ବେଳକୁ ହୌସଲା କାର୍ଯ୍ୟକ୍ରମରେ ଭାଗନେଇ ଓଡ଼ିଶା ପାଇଁ ଗର୍ବ ଆଣିଥିଲେ ପୂଜା । ସେଠାରୁ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେଇ ସଫଳତା ପାଇଥିଲେ । ସେତିକିବେଳେ ଓଡ଼ିଶାରେ ବିଶ୍ୱ ହକି କପ୍ ଚାଲିଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ହକି ଖେଳ ଦେଖିବାର ସୁଯୋଗ ପାଇଥିଲେ ପୂଜା ଏବଂ ତାଙ୍କ ଦଳ । ପରେ ଆଇଟିଆଇ ତରଫରୁ ମଧ୍ୟ ରାଜ୍ୟସ୍ତରୀୟ ଆଇଟିଆଇ ଫେଷ୍ଟରେ ଯୋଗଦେଇ ସଫଳତା ସାଉଁଟିଥିଲେ ପୂଜା । କେବଳ ସେତିକିନୁହେଁ, ଗତବର୍ଷରୁ ଲକ୍ଡାଉନରେ ତାଙ୍କ ପାଠପଢ଼ା ବ୍ୟାହତ ହେଇଥିଲେ ବି ନିଜର ଏକନିÂ ଉଦ୍ୟମ ଓ ଆନ୍ତରିକ ପ୍ରଚେଷ୍ଟା ଫଳରେ ସେ ସର୍ବଭାରତୀୟ ସ୍ତରରେ ପ୍ରଥମ ହେବା କମ୍ କଥା ନୁହେଁ । ସଂପ୍ରତି ପୂଜାଙ୍କ ମା ସୀତା ତୁଜୁଙ୍ଗସ୍ଥିତ ଶ୍ରୀଏଜୁକେସନ ଶିକ୍ଷାନୁÂାନରେ ସେବିକା ଭାବରେ କାମକରି ପରିବାର ପ୍ରତିପୋଷଣ କରୁଥିବାବେଳେ ସାନଭାଇ ଦୁର୍ଗମାଧବ ଉଚ୍ଚ ବିଦ୍ୟାପୀଠରେ ଦଶମ ଶ୍ରେଣୀରେ ଅଧ୍ୟୟନ କରି ଏବେ ବୋଡର଼୍ର ଫଳାଫଳ ଅପେକ୍ଷାରେ ରହିଛି । ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ଏବଂ ପାଠରେ ଗୋଟିଏ ବର୍ଷ ଡୋରୀ ବାନ୍ଧିଥିବା ପୂଜା ଆଜି ଅନେକ ଯୁବକଯୁବତୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପରଘରେ ମୂଲ ଲାଗି ଝିଅ ଓ ପୁଅକୁ ପାଠ ପଢାଉଥିବା ମାଁଙ୍କ ସାହାସ ଏବଂ ପୂଜାଙ୍କ ପ୍ରତିଭା ଆଜି ସମସ୍ତଙ୍କ ପାଇଁ ଉଦାହରଣ ନିଶ୍ଚୟ । ତେବେ ଏହି ସଫଳତା ପଛରେ ପୂଜା ନିଜ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ହଷ୍ଟେଲ ତତ୍ତ୍ୱାବଧାରିକା ସରସ୍ୱତୀ ମିଶ୍ର, ନେହରୁ ସେବାସଂଘର ସମସ୍ତ ଗୁରୁଜନ, ଆଇଟିଆଇର ସମସ୍ତଙ୍କୁ ନିଜର ଶ୍ରେୟ ଦେଇ ଜୀବନରେ କିଛି କରିବାର ଲକ୍ଷ୍ୟରେ ଆଗେଇ ଚାଲିବି ବୋଲି କହିଛନ୍ତି ପୂଜା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons