ନୂଆଦିଲ୍ଲୀ : ଦେଶର ଗ୍ରାମୀଣ କ୍ଷେତ୍ରରେ ବେକାରୀ ଓ ଗରିବୀ ବୃଦ୍ଧି ଅଭିଯୋଗକୁ ଗୁରୁବାର ଲୋକସଭାରେ ସ୍ୱୀକାର କରିଛନ୍ତି କେନ୍ଦ୍ର ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗମନ୍ତ୍ରୀ ନୀତିନ ଗଡକରୀ। ଏଣୁ ଗ୍ରାମଦ୍ୟୋଗର ପରିସର ବୃଦ୍ଧି ଲାଗି ସରକାର ଉଦ୍ୟମ ଚଳାଇଥିବା ବେଳେ ଖଦି ଓ ଗ୍ରମଦ୍ୟୋଗ ବୋର୍ଡ ଖୁବ୍ ଶୀଘ୍ର ବଜାରରେ ହନି କ୍ୟୁବ୍( ଗୋଟା ମହୁ) ଉପଲବ୍ଧ କରିବେ ବୋଲି କହିଛନ୍ତି। ଏହା ଚିନିର ପ୍ରତିବଦଳ ଭାବେ ବ୍ୟବହାର ହେବାକୁ ଥିବା ବେଳେ ଗ୍ରାମ୍ୟ ରୋଜଗାରର ସ୍ରୋତ ହେବ ବୋଲି ଗୃହରେ ଆଶାବ୍ୟକ୍ତ କରିଛନ୍ତି।
ସରକାର ମହୁ କ୍ଲଷ୍ଟର କରୁଛନ୍ତି। ଏଥିରୁ ଉଚ୍ଚ ଗୁଣମାନର ମହୁରୁ ଚିନି ଭଳି କ୍ୟୁବ୍ ଉତ୍ପାଦନ ଦିଗରେ ଏବେ କାର୍ୟ୍ୟ କରାଯାଉଛି। ସୁନୀଲ କୁମାର ପିଣ୍ଟୁଙ୍କ ସପ୍ଲିମେଣ୍ଟ ପ୍ରଶ୍ନର ଜବାବ ଦେଇ ଗଡକରୀ କହିଛନ୍ତି ଯେ ଆସନ୍ତା କିଛିମାସ ମଧ୍ୟରେ ବଜାରରେ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡର ହନି କ୍ୟୁବ୍ ମିଳିବା ଆରମ୍ଭ ହେବ। ଯାହାକୁ ଲୋକେ ଚାରେ ଚିନି ବଦଳେ ବ୍ୟବହାର କରିପାରିବେ।
ସେହିପରି ଏମଏସଏମଇ ମନ୍ତ୍ରାଳୟ ‘ଭାରତ କ୍ରାଫ୍ଟ’ ନାମରେ ଏକ ଇ-କମର୍ସ ପୋର୍ଟାଲ ଆରମ୍ଭ କରିବାକୁ ଯାଉଥିବାର ମନ୍ତ୍ରୀ ଗୃହକୁ କହିଛନ୍ତି। ଏହାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହାୟତାରେ ଚଳାଇବାକୁ ଯୋଜନା ଥିବା ଗଡକରୀ କହିଛନ୍ତି। ଚଳିତବର୍ଷ ଏମଏସଏମଇ ଉଦ୍ୟୋଗରୁ ୮୫ ହଜାର କୋଟି ଟଙ୍କାର କାରବାର ହେବ ବୋଲି ଆଶା କରାଯାଉଛି।
ଆଗାମୀ ୫ ବର୍ଷରେ ଦେଶ ବିକାଶରେ ଏମଏସଏମଇ ଉଦ୍ୟୋଗ ୫୦ ପ୍ରତିଶତ ଯୋଗଦାନ କରିବାର ଲକ୍ଷ ଧାର୍ୟ୍ୟ କରିଥିବା ମନ୍ତ୍ରୀ କହିଛନ୍ତି। ସରକାର କେବଳ ସହରାଞ୍ଚଳ ନୁହେଁ ଗ୍ରାମୀଣ ଓ ଆଦିବାସୀ କ୍ଷେତ୍ର ଉପରେ ମଧ୍ୟ ନଜର ରଖିଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ଗ୍ରାମ୍ୟ ଅର୍ଥବ୍ୟବସ୍ଥା ସୁଧାର ପାଇଁ ସରକାର ରଖିଥିବା ଲକ୍ଷ ଯଦି ସଫଳ ହୁଏ ତେବେ ଲୋକେ ସହରରୁ ଗ୍ରାମାଞ୍ଚଳକୁ ମୁହାଁଇବେ ବୋଲି ନୀତିନ ଗଡକାରୀ ଗୃହକୁ କହିଛନ୍ତି।
Comments are closed, but trackbacks and pingbacks are open.