ସକାଳୁ ରାତି ଯାଏଁ ଜାମ୍ ରହିଲା ବ୍ରାହ୍ମଣୀ ପୋଲ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ବ୍ରାହ୍ମଣୀ ପୋଲ ଜାମ୍ ଆଜି ରେକର୍ଡ ଭାଙ୍ଗିଛି । ସକାଳୁ ରାତି ପର୍ଯ୍ୟନ୍ତ ଶହ ଶହ ଗାଡ଼ି ପୋଲ ଉପରେ ଅଟକି ରହିଲା । ଖାଲି ସେତିକି ନୁହେଁ ପୋଲର ଚତୁଃଦିଗରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଉପରେ ଅଟକି ରହିଥିଲା ଭାରୀଯାନ । ପୋଲ ଅତିକ୍ରମଣ କରିବାକୁ ଲୋକଙ୍କୁ ଲାଗିଥିଲା ଦୀର୍ଘ ସମୟ । ରାଉରକେଲାରୁ ବେଦବ୍ୟାସ ଅଞ୍ଚଳକୁ କୌଣସି କାର୍ଯ୍ୟରେ ଯାଉଥିବା ବ୍ୟକ୍ତି ଆଜି ସଠିକ୍ ସମୟରେ ପହଞ୍ଚିପାରି ନ ଥିଲେ । ଏପରିକି ସ୍କୁଲ ଏବଂ କଲେଜକୁ ମଧ୍ୟ ଛାତ୍ରଛାତ୍ରୀ ପହଞ୍ଚି ପାରିଲେ ନାହିଁ । ଆମ୍ବୁଲାନ୍ସକୁ ମଧ୍ୟ ଜାମ୍ରେ ରାସ୍ତା ଛଡା ଯାଇ ନ ଥିଲା ।
ବ୍ରାହ୍ମଣୀ ପୋଲ ଉପରେ ଏକ ସ୍ପାମ୍ର ଉପର ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ତାକୁ ମରାମତି କରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ଏନ୍ଏଚ୍ଏଆଇ ପକ୍ଷରୁ ଖୋଳାଯାଇ ଲୁହା ପ୍ଲେଟ୍ ବିଛା ଯାଇଥିଲା । ଆଜି ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ମାଣ ସାମଗ୍ରୀ ମଧ୍ୟ ସେଠାରେ ରଖାଯାଇଥିଲା । ଫଳରେ ଉକ୍ତ ରାସ୍ତା ଦେଇ ପୋଲର ଉଭୟ ଦିଗରୁ ଭାରୀଯାନ ଚଳାଚଳ ସମ୍ଭବ ହୋଇ ନ ଥିଲା । ଧୀରେ ଧୀରେ କରି ପୋଲ ଅତିକ୍ରମ କରିବା ଯୋଗୁଁ ସକାଳ ୯ଟାରୁ ଲାଗି ରହିଥିଲା ଲମ୍ବା ଧାଡି । ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଭାଗ ପକ୍ଷରୁ ପୁଲିସ୍ ଫୋର୍ସ ମୁତୟନ କରାଯାଇ ଭାରୀଯାନ ଚଳାଚଳକୁ ବନ୍ଦ କରାଯାଇଥିଲା । କିନ୍ତୁ ପୁଲିସ୍ର ଏହି ପଦକ୍ଷେପ ମଧ୍ୟ ରାତି ପର୍ଯ୍ୟନ୍ତ ସୁଫଳ ଦେବାରେ ସମ୍ଭବ ହୋଇ ନ ଥିଲା । ବ୍ରାହ୍ମଣୀ ପୋଲରେ ବାରମ୍ବାର ଏପରି ସ୍ଥିତି ଉପୁଜୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।
ଲୋକଙ୍କ କହିବା ଅନୁଯାୟୀ ଗତ ୨୦୧୪ ନିର୍ବାଚନରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ସମ୍ପନ୍ନ ହୋଇ ପାରିଲା ନାହିଁ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ବେଳେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons