ସତ୍ତା ହରାଇବ ୧୭୦ ସ୍କୁଲ୍

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳ ଜିଲ୍ଲାରେ ଇତିହାସ ପାଲଟିବ ଆଉ ୧୭୦ ବିଦ୍ୟାଳୟ । ଏହି ବିଦ୍ୟାଳୟଗୁଡିକରେ ପିଲା ସଂଖ୍ୟା ୨୦ କିମ୍ବା ଏହାଠାରୁ କମ୍ ହୋଇଥିବାରୁ ଏଗୁଡ଼ିକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ମାନଦଣ୍ଡ ପୂରଣ କରିପାରୁ ନଥିବା ୧୭୪ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାକୁ ଜିଲ୍ଲା ଶିକ୍ଷା ବିଭାଗ ପ୍ରସ୍ତାବ ଦେଇଥିବା ବେଳେ ସରକାର ଏଥିରୁ ୧୭୦ ସ୍କୁଲକୁ ବନ୍ଦ କରିବାକୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବନ୍ଦ ହେବାକୁ ଥିବା ଏହି ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବ । ଏଠାରେ ଥିବା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବ । ସେହିପରି ଛାତ୍ରଛାତ୍ରୀଙ୍କୁ ପାଖ ସ୍କୁଲରେ ପଢ଼ାଇବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ସୂତ୍ରରୁ ସୂଚନା ମିଳିଛି ।
ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବା ପାଇଁ ସରକାର ୨୦୧୫ରୁ କମ୍ ଉପସ୍ଥାନ ଥିବା ସ୍କୁଲଗୁଡିକ ନିକଟସ୍ଥ ସ୍କୁଲ ସହ ମିଶ୍ରଣ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମେ ୫ରୁ କମ୍ ଉପସ୍ଥାନ ଥିବା ସ୍କୁଲ, ପରେ ୧୦ରୁ କମ୍ ଓ ଏବେ ୨୦ରୁ କମ୍ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି । ଜିଲ୍ଲାରେ ଏବେ ୮୪୯ଟି ପ୍ରାଥମିକ ଓ ୫୩୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଏଥିମଧ୍ୟରୁ ମୋଟ୍ ୧୭୪ଟି ସ୍କୁଲରେ ୨୦ରୁ କମ୍ ଉପସ୍ଥାନ ରହିଛି । ସେହିପରି ୪୦ରୁ କମ୍ ଉପସ୍ଥାନ ଓ ଏକ କିମି ପରିଧିରେ ଅନ୍ୟ ସ୍କୁଲ ରହିଥିବା ମୋଟ୍ ୩୨ଟି ସ୍କୁଲ ଚିହ୍ନଟ କରାଯାଇ ମିଶ୍ରଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ସରକାର ସର୍ଭେ ରିପୋର୍ଟକୁ ଯାଞ୍ଚ କରି ୪ଟି ସ୍କୁଲ୍କୁ ବାଦ୍ ଦେଇ ମୋଟ୍ ୧୭୦ଟି ସ୍କୁଲ୍କୁ ବନ୍ଦ କରିଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ଜିଲ୍ଲାର ମୋଟ୍ ୨୮୦ଟି ସ୍କୁଲ୍ ଇତିହାସ ପାଲଟିବାକୁ ଯାଉଛି ।
ସୂଚନା ମୁତାବକ, ୨୦୧୫ରେ ସରକାର ଜିଲ୍ଲାର ୬ଟି ସ୍କୁଲ ବନ୍ଦ କରିଥିଲେ । ପରେ ୨୦୧୬ରେ ୮ଟି ଓ ୨୦୧୯ରେ ୧୮ଟି ସ୍କୁଲକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଇଥିଲା । ୨୦୧୯-୨୦ ଶିକ୍ଷା ବର୍ଷରେ କିନ୍ତୁ ସ୍କୁଲ ମିଶ୍ରଣ ପ୍ରକ୍ରିୟାକୁ ଜୋରଦାର୍ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୭ଟି ସ୍କୁଲ ବନ୍ଦ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୧ଟି ସ୍କୁଲ ଅନ୍ୟ ସ୍କୁଲ ସହ ମିଶ୍ରଣ ହୋଇଥିଲା । ତେବେ ତୃତୀୟ ପର୍ଯ୍ୟାୟରେ ସରକାର ୧୭୦ଟି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବନ୍ଦ ହେବାକୁ ଥିବା ବିଦ୍ୟାଳୟ ମଧ୍ୟରେ ଛେଣ୍ଡିପଦାର ସର୍ବାଧିକ ୨୯ଟି, ଅନୁଗୁଳ ବ୍ଲକରୁ ୧୪ଟି, ଅନୁଗୁଳ ପୌରାଞ୍ଚଳରୁ ୫ଟି, ଆଠମଲ୍ଲିକ ବ୍ଲକରେ ୨୨ଟି, ଆଠମଲ୍ଲିକ ଏନ୍ଏସିରେ ଗୋଟିଏ, ବଅଁରପାଳ ବ୍ଲକରେ ୧୧ଟି, କଣିହାଁ ବ୍ଲକରେ ୨୪ଟି, କିଶୋରନଗର ବ୍ଲକ୍ରେ ୨୬ଟି, ପାଳଲହଡ଼ାରେ ୨୭ଟି, ତାଳଚେର ବ୍ଲକରେ ୧୦ଟି ଓ ତାଳଚେର ପୌରପାଳିକା ଅଞ୍ଚଳରୁ ଗୋଟିଏ ସ୍କୁଲ୍ ବନ୍ଦ କରାଯିବ ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସରକାର ଅଧିକାଂଶ ସ୍କୁଲକୁ ଶିକ୍ଷକ ଯୋଗାଇ ପାରୁନାହାନ୍ତି । ଅଧିକାଂଶ ସ୍କୁଲରେ ଅଧାରୁ ଅଧିକ ଶିକ୍ଷକ ପଦବି ଖାଲି ପଡ଼ିଛି । ୧୭୦ ସ୍କୁଲ ବନ୍ଦ ହେଲେ ଉକ୍ତ ସ୍କୁଲର ଶିକ୍ଷକ ଖାଲି ଥିବା ପଦବିରେ ଥଇଥାନ ହେବେ । ଏହା ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧିରେ ସହାୟକ ହେବ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons