ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଜି ଆଉ ଦୁଇଟି ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୁର୍ଲା ଭିମ୍ସାର ଓ ବ୍ରହ୍ମପୁର ଏମ୍କେସିଜିରେ ଦୁଇଟି ଯାକ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଥିଲେ । ରାଜ୍ୟ ସରକାର କରୋନା ଲଢେ଼ଇକୁ ଗମ୍ଭୀରତାର ସହ ନେଇ ଦୁଇ ସପ୍ତାହ ମଧ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଛି । ଏହାଦ୍ୱାରା ରାଜ୍ୟର ସବୁ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧାରେ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ଯୁଦ୍ଧର ମୁଖ୍ୟ ମିଶନ ହେଉଛି ଲୋକଙ୍କ ଜୀବନ ସୁରକ୍ଷା । ଏ କ୍ଷେତ୍ରରେ ପ୍ଲାଜମା ଥେରାପି ବହୁ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ପ୍ଲାଜ୍ମା ଥେରାପି ସଂଜିବନୀ ଭଳି କାମ କରୁଛି । ରାଜ୍ୟରେ ଏ ଥେରାପିରେ ଚିକିତ୍ସାର ଯଥେଷ୍ଟ ସୁଫଳ ମିଳୁଛି । ପୂର୍ବରୁ କଟକ ଏସ୍ସିବି, ରାଉରକେଲା ଆଇଜିଏଚ୍ ସହ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜ୍ମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଆଜି ଦୁଇଟି ନୂଆ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ ଅବସରରେ ପ୍ଲାଜମା କେନ୍ଦ୍ର ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି । ରାଜ୍ୟରେ ଏଯାଏ ୬୦ ଜଣଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ମିଳିଥିଲା ବେଳେ ୪୮ ଜଣ ରୋଗୀଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ କୋଭିଡ୍ମୁକ୍ତ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ନିବେଦନ କରିଥିଲେ ।
ପ୍ଲାଜମା ବ୍ୟାଙ୍କ ଶୁଭାରମ୍ଭ ଅବସରରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ । ସେ କହିଲେ, ଏ ବ୍ୟାଙ୍କ ଦ୍ୱାରା ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ଆହୁରି ସୁବିଧାଜନକ ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ କୋଭିଡ୍ ଯୁଦ୍ଧକୁ ଅଧିକ ପ୍ରଭାବଶାଳୀ କରାଯାଇପାରିଛି । କରୋନା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସବୁପ୍ରକାର ଉପଲବଧ୍ ପଦ୍ଧତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ ସେ ଧନ୍ୟବାଦ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରେ ୪୦୦ ଜଣ ପ୍ଲାଜମା ଦାନ ପାଇଁ ଆଗେଇ ଆସିଛନ୍ତି ବୋଲି ସୂଚନା ଦେଇଥିଲେ ।
ବୁର୍ଲାର ଭିମ୍ସାରରେ ଉପସ୍ଥିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଲେ, ପ୍ଲାଜମା ବ୍ୟାଙ୍କ ପାଇଁ ପଶ୍ଚିମ ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି । କୋଭିଡ ରୋଗରେ ଲୋକଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ବ୍ୟକ୍ତିମାନଙ୍କୁ ଭଗବାନ ଆଶୀବାଦ କରିବେ । କରୋନା ଯୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ନିଶ୍ଚୟ ସଫଳ ହେବ ।
ଏହି ଅବସରରେ ବ୍ରହ୍ମପୁର ଏମକେସିଜିରେ ପ୍ରଥମ ପ୍ଲାଜମା ଦାତା ଡ.ଶୁଭ୍ରାଂଶୁମୋହନ ସାହୁ ଏବଂ ବୁର୍ଲା ଭିମ୍ସାରର ପ୍ରଥମ ପ୍ଲାଜମା ଦାତା ରବୀନ୍ଦ୍ର ସାହୁ ସେମାନଙ୍କ ଅନୁଭୂତି ବର୍ଣ୍ଣନ କରିବା ସହ ଅନ୍ୟ କୋଭିଡମୁକ୍ତ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ନିବେଦନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ୫ ଟି ସଚିବ ଓ ଆଇଟି ସଚିବ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.