‘ଆଖି ତୋର ପାନମଧୁରୀ ପିପରମିଣ୍ଟିଆ ଲୁକ୍ରେ… ଓଠ ତୋର ଲବଙ୍ଗମାର୍କା ହସରେ ପକାଉ ହୁକ୍ରେ । ଯିଏ କହିବ ସିଏ କହିବ ତୁ ତ ନମ୍ବର ୱାନ୍… ପାନ ପାନ… ମୋର ଡିଲକ୍ସମିକ୍ସ ମିଠା ପାନ… । ଦୀପ୍ତି ରେଖା ଓ ତାରିକ୍ ଅଜିଜଙ୍କ ଏ ଗୀତ ଏବେ ୟୁଟ୍ୟୁବ୍ରେ ଚହଳ ପକାଇଛି । ମୁକ୍ତିଲାଭ କରିବାକୁ ଥିବା ସବ୍ୟ-ଏଲିନା ଯୋଡ଼ିର ତୃତୀୟ ଫିଲ୍ମ ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’ ଚଳଚ୍ଚିତ୍ରର ଏହି ରୋମାଣ୍ଟିକ ଗୀତକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ସଙ୍ଗୀତର ଧୂନରେ ଟାଟୁବାଲିକୁ ନଚାଇ ଲୋକପ୍ରିୟତା ସାଉଁଟିଥିବା ମେଲୋଡି ମାଷ୍ଟର୍ ଅଭିଜିତ ମଜୁମଦାର ପୁଣି ଏ ଗୀତକୁ ନେଇ କିଛି ନୂଆ ଖେଳ ଖେଳିଛନ୍ତି । ଏହାର ଗୀତ ରଚନା କରିଛନ୍ତି ନିର୍ମଳ ନାୟକ । ତା’ ସହିତ ଚିତ୍ରନାଟ୍ୟ ଓ ସଂଳାପ ଭଳି ଗୁରୁତ୍ୱପୂଣ୍ଣ ର୍ ଦାୟିତ୍ୱ ବି ସେ ନିର୍ବାହ କରିଛନ୍ତି । ଅମରା ମ୍ୟୁଜିକ୍ ଏବଂ ଲେଡିବାର୍ଡ ଏଣ୍ଟରଟେନ୍ମେଣ୍ଟ ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ଫିଲ୍ମର ପ୍ରଯୋଜନାରେ ନବୀନ ଭଫାରୀ ଥିବାବେଳେ ରମେଶ ରାଉତ ନିର୍ଦ୍ଦେଶନା ଦେଇଛନ୍ତି । କ୍ୟାମେରା ପରିଚାଳନା ସୋମିଓ କରିଥିବାବେଳେ ସମ୍ପାଦନା କରିଛନ୍ତି ମାନସ କୁମାର ସାହୁ । ‘୪ଇଡିଅଟସ୍’, ‘ଟୋକାଟା ଫସିଗଲା’ ପରେ ସବ୍ୟ-ଏଲିନା ଯୋଡ଼ି ଏଥିରେ ବି କିଛି ଭିନ୍ନ କାହାଣୀ ଭେଟି ଦେବେ ବୋଲି ସମସ୍ତଙ୍କ ଆଶା । ପ୍ରଥମେ ଶୀର୍ଷକ ଖୋଜାରୁ ହିଁ ସେମାନେ ସିନେମାକୁ ନେଇ ବହୁ ସସ୍ପେନ୍ସ ସୃଷ୍ଟି କରି ସିନେପ୍ରେମୀଙ୍କୁ ଭ୍ରମରେ ପକାଇ ଆସିଛନ୍ତି । ଏବେ ଖାଲି ରିଲିଜ୍କୁ ଅପେକ୍ଷା ।
Comments are closed, but trackbacks and pingbacks are open.