ସମାଜରୁ ବାସନ୍ଦ ବୋଲି ୮ ଘଣ୍ଟା ପଡ଼ି ରହିଲା ମୃତଦେହ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୋବାଡିହା ନିକଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ସମାଜରୁ ବାସନ୍ଦ ହୋଇଥିବାରୁ ଗ୍ରାମର ଯଦୁମଣୀ ମୁର୍ମୁଙ୍କ ମୃତଦେହକୁ ଅନ୍ତିମସଂସ୍କାର କରିବାକୁ ଦିଆଗଲାନି । ଦୀର୍ଘ ୮ ଘଣ୍ଟା ଧରି ମୃତଦେହ ପଡି ରହିଥିଲା । ଶେଷରେ ପୁଲିସ ଓ ମାଜିଷ୍ଟେ୍ରଟ୍ଙ୍କ ହସ୍ତକ୍ଷେପ ପରେ ପରିବାର ଲୋକେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେଇଥିବା ଜଣାପଡିଛି ।
ଧୋବାଡିହା ଅଞ୍ଚଳରେ ଯଦୁମଣିଙ୍କ ପରିବାର ସହିତ ସାନ୍ତାଳ ସମାଜର ଅନ୍ୟ ପଡୋଶୀଙ୍କ ସହିତ ବିବାଦ ୨୦୧୩ ମସିହାରୁ ରହିଥିଲା । ଉକ୍ତ ସାହିରେ ସରକାରୀ ଜମି ନଥିବା ବେଳେ ଯଦୁମଣୀଙ୍କ ଘର ସାମ୍ନାରେ କିଛି ସରକାରୀ ଜମି ରହିଛି । ଉକ୍ତ ଜମିକୁ ସର୍ବସାଧାରଣ ଭାବେ ବ୍ୟବହାର କରିବାକୁ ଗ୍ରାମରେ ମତପ୍ରକାଶ ପାଇଥିଲା । ସାନ୍ତାଳ ସମାଜର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସେହି ସ୍ଥାନରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଯଦୁମଣୀ ନିଜ ଅକ୍ତିଆରେ ରଖିଥିବା ସରକାରୀ ଜମିକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅରାଜି ହୋଇଥିଲେ । ଏଥିନେଇ ଗ୍ରାମରେ ବୈଠକ ବସି ସର୍ବସମ୍ମତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଗ୍ରାମବାସୀ ଅଡି ବସିଥିଲେ । ଏହାକୁ ବିରୋଧ କରି ଯଦୁମଣୀ ସେ ସମୟରେ ପୁଲିସରେ ଆଶ୍ରୟ ନେଇ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କରିଥିଲେ । ଗ୍ରାମବାସୀଙ୍କ ନାମରେ ମୋକଦ୍ଧମା କରିବାରୁ ଗ୍ରାମରେ ସେ ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଗ୍ରାମବାସୀ ଯଦୁମଣୀ ପରିବାରକୁ ବାସନ୍ଦ କରାଯାଇଥିଲା । ସେହିଦିନଠାରୁ ଗ୍ରାମରେ କୌଣସି କାର୍ଯ୍ୟକ୍ରମରେ ସେ ଯୋଗ ଦେଉନଥିଲେ କିମ୍ବା ଗ୍ରାମବାସୀ ମଧ୍ୟ ତାଙ୍କର ସହଯୋଗ ନେଉନଥିଲେ ।
ସୋମବାର ଯଦୁମଣୀଙ୍କ ମୃତୁ୍ୟ ଘଟିବାରୁ ଗ୍ରାମ ଦାଣ୍ଡ ଦେଇ ଛାଡିବାକୁ ଗ୍ରାମବାସୀ ବିରୋଧ କରିଥିଲେ । ଏହି ବିବାଦୀୟ ଘଟଣା ପରେ ଯଦୁମଣୀଙ୍କ ମୃତଦେହ ସନ୍ଧ୍ୟା ପର୍ଯ୍ୟନ୍ତ ଉଠି ପାରିନଥିଲା । ରାତି ପ୍ରୟ ୮ଟା ସମୟରେ ଟାଉନ ଥାନାଧିକାରୀ ପ୍ରମୋଦିନୀ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ବାସନ୍ଦ ପରିବାର ସହିତ ଆଲୋଚନା କରିଥିଲେ । ଉଭୟ ନିଜ ଜିଦିରେ ଅଟଳ ରହିବାରୁ ସମାଧାନର ବାଟ ବାହାରିନଥିଲା । ଫଳରେ ମାଜିଷ୍ଟେ୍ରଟ୍ ଭାବେ ସଦର ତହସିଲଦାର ଆଶିଷ ମହାପାତ୍ରଙ୍କ ଉପସ୍ଥିତରେ ପୁଲିସ ସୁରକ୍ଷା ମଧ୍ୟରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons