ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଅଧୀନ ଓସଙ୍ଗ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଶନିବାର ରାତିରେ ଫୋନ୍ କଲ ପାଇ ଉକ୍ତ ଯୁବକ ଘରୁ ବାହାରି ଯାଇଥିଲେ । ସୋମବାର ସମୁଦ୍ରରେ ପୋତାଯାଇଥିବା ତାଙ୍କର ହାତଗୋଡ଼ ବନ୍ଧା କ୍ଷତାକ୍ତ ମୃତଦେହ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ସୂଚନା ଦେଇଛି ।
ଘଟଣାରୁ ପ୍ରକାଶ, ଖନ୍ତାପଡ଼ା ଥାନା ଅନ୍ତର୍ଗତ ଓସଙ୍ଗ ଗ୍ରାମର ସୁରେନ୍ଦ୍ର ମଳିକଙ୍କ ପୁଅ ଜୟନ୍ତ (୩୨) ଗତ ଶନିବାର ରାତିରେ ଘରେ ଖାଉଥିଲେ । ଏହି ସମୟରେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ କଲ ଆସିଥିଲା । ଏହାପରେ ଜୟନ୍ତ ଘରୁ ବାହାରକୁ ଆସିଥିଲେ । ତା’ପରଠୁ ଜୟନ୍ତଙ୍କ ପତ୍ତା ମିଳିନଥିଲା । ସ୍ତ୍ରୀ ପାର୍ବତୀ ଏବଂ ପରିବାର ଲୋକେ ବହୁ ଖୋଜାଖାଜି କରି ଜୟନ୍ତଙ୍କୁ ପାଇନଥିଲେ । ଏଣୁ ଗୋପାଳପୁର ଫାଣ୍ଡିରେ ରବିବାର ସନ୍ଧ୍ୟାରେ ସ୍ୱାମୀ ନିଖୋଜ ନେଇ ସ୍ତ୍ରୀ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସୋମବାର ଗ୍ରାମର ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ । ସମୁଦ୍ର ମଧ୍ୟରେ ୨ କିମି ଦୂର ବହ୍ନି ବଣ ବାଲିରେ ୪ଟି ମଣିଷ ଆଙ୍ଗୁଠି ବାହାରକୁ ଦେଖାଯାଉଥିବା ଦେଖିଥିଲେ । ଏ ସମ୍ପର୍କରେ ମତ୍ସ୍ୟଜୀବୀମାନେ ଗୋପାଳପୁର ଫାଣ୍ଡି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଖୋଳିବାରୁ ନିଖୋଜ ଯୁବକ ଜୟନ୍ତଙ୍କ ମୃତଦେହ ମିଳିଥିଲା । ଜୟନ୍ତଙ୍କ ହାତଗୋଡ଼ ବନ୍ଧା ହୋଇଥିବାବେଳେ ମୁଣ୍ଡ କ୍ଷତାକ୍ତ ଥିଲା । ସନେ୍ଦହରେ ପୁଲିସ ଜଣକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି । ଗୋପାଳପୁର ଫାଣ୍ଡି ଏବଂ ଖନ୍ତାପଡ଼ା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।


Comments are closed, but trackbacks and pingbacks are open.