କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ସମ୍ପତ୍ତି ଲୋଭରେ ତାଙ୍କ ମା’ ସସ୍ମିତା ବିଶ୍ୱାଳଙ୍କୁ ସାବତ ଭାଇ ଓ ଭାଉଜଙ୍କ ସହ ଅଞ୍ଚଳର ଆଉ କେତେଜଣ ବ୍ୟକ୍ତି ମିଶି ହତ୍ୟା କରିଛନ୍ତି । ପ୍ରମାଣ ଲୁଚାଇବାକୁ ଏବଂ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହକୁ ଲୁଣା ନଦୀରେ ଫିଙ୍ଗି ଦେଇଛନ୍ତି । – ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଇନ୍ଦାଳୋ-ଛକନାର ଅମିତା ବିଶ୍ୱାଳ ।
ପ୍ରାୟ ସପ୍ତାହେ ହେବ ନିଖୋଜ ଥିବା ସସ୍ମିତାଙ୍କ ମୃତଦେହ ଆଜି ପାଟକୁରା ଥାନା ମାର୍ଶାଘାଇ ବ୍ଲକର ବିଲ ବଳରାମପୁର ଗ୍ରାମର ଜଣେ ଚାଷୀଙ୍କ ଭେଣ୍ଡି କିଆରିରୁ ଉଦ୍ଧାର ହେବା ପରେ ଏହି ଅଭିଯୋଗ ଆଣିଛନ୍ତି ସସ୍ମିତାଙ୍କ ଝିଅ ଅମିତା । ଏ ସଂକ୍ରାନ୍ତରେ ଥାନାରେ ଏତଲା ରୁଜୁ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ସସ୍ମିତାଙ୍କ ସାବତ ପୁଅ ସନ୍ତୋଷ ବିଶ୍ୱାଳ ଫେରାର ଥିବାବେଳେ ପୁଲିସ ତାଙ୍କ ପତ୍ନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ପ୍ରାୟ ସପ୍ତାହେ ହେବ ନିଖୋଜ ଥିଲେ ସସ୍ମିତା । ଗତ ୧୧ ତାରିଖଠାରୁ ତାଙ୍କର କୌଣସି ପତ୍ତା ମିଳୁନଥିବାବେଳେ ବାପ ଘର ଲୋକେ କିଛି ଅଘଟଣ ଆଶଙ୍କା କରିଥିଲେ । ଜୀବନ ବୀମା ଅର୍ଥ, ସମ୍ପତ୍ତି ଲୋଭରେ ସାବତ ପୁଅ ନିଜ ସହଯୋଗୀମାନଙ୍କ ମିଶି କିଛି ଅଘଟଣ କରିଥିବା ଆଶଙ୍କା କରିଥିଲେ ନିଖୋଜ ମହିଳାଙ୍କ ବାପା ଭ୍ରମରବର ବରାଳ । ଏ ନେଇ ସଦର ଥାନାରେ ସେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଆଜି ସକାଳେ ବିଲବଳରାମପୁର ଗ୍ରାମରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ମିଳିଥିଲା । ଉକ୍ତ ମୃତଦେହଟି ତାଙ୍କ ମା’ଙ୍କର ବୋଲି ଚିହ୍ନଟ କରିଛନ୍ତି ସସ୍ମିତାଙ୍କ ଝିଅ ଅମିତା । ମୃତ ଦେହଟି ଲୁଣା ନଦୀ ବନ୍ୟାରେ ଭାସିଆସି ମଥୁରି ରାଉତ ନାମକ ବ୍ୟକ୍ତିଙ୍କ ଭେଣ୍ଡି କିଆରିରେ ଲାଗିଥିଲା । ମୃତ ଦେହ ଏକ ବେଡ୍ସିଟ୍ରେ ଗୁଡା ଯାଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରି ସଦର ପୁଲିସ ଜିମା ଦେଇଛି । ତେବେ ପାରିପାଶ୍ୱିର୍କ ପରିସ୍ଥିତି, ମୃତ ଦେହରେ ଥିବା ଆଘାତ ଚିହ୍ନ ହତ୍ୟାକାଣ୍ଡ ଆଡ଼କୁ ଇସାରା କରୁଛି ।
ସଦର ଥାନା ଅଧୀନ ଇନ୍ଦାଳୋ-ଛକନାରେ ରହିଆସୁଛନ୍ତି ସସ୍ମିତା ବିଶ୍ୱାଳ । ଗତ ପ୍ରାୟ ବର୍ଷେ ହେବ ସ୍ୱାମୀ ଅଲେଖ ଚନ୍ଦ୍ର ବିଶ୍ୱାଳ(ବାବୁଲି)ଙ୍କ ବିୟୋଗ ପରେ ସେ ଏକଲା ହୋଇପଡ଼ିଥିଲେ । ତାଙ୍କ ସାବତ ପୁଅ ସନ୍ତୋଷ ବି ତାଙ୍କୁ ପର କରିଦେଇଥିଲେ । ପ୍ରଥମ ପତ୍ନୀଙ୍କ ବିୟୋଗ ପରେ ବାବୁଲି ସସ୍ମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସସ୍ମିତାଙ୍କଠାରୁ ତାଙ୍କର ଅମିତା ବିଶ୍ୱାଳ ନାମ୍ନୀ ଏକ କନ୍ୟା ସନ୍ତାନ ରହିଛି । ପରିବାର ପ୍ରତିପୋଷଣ ଲାଗି ଗୃହପାଳିତ ପ୍ରାଣୀ ପାଳି ଗୁଜରାଣ ମେଣ୍ଟାଉଥିଲେ ସସ୍ମିତା । ଗତ ୧୧ ତାରିଖରେ ସେ ନିଖୋଜ ହୋଇଥିବା ଖବର ପାଇବା ପରେ ତାଙ୍କ ବାପା ଭ୍ରମରବର ଘଟଣା ସଂକ୍ରାନ୍ତରେ ଚାନ୍ଦୋଳ ଫାଣ୍ଡିରେ ଏତଲା ଦାଏର କରିଥିଲେ । ଅଭିଯୋଗ ପାଇ ପୁଲିସ ଗ୍ରାମରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲା । ଏପରିକି ସସ୍ମିତାଙ୍କୁ ଘରେ ବନ୍ଦ କରି ରଖା ଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିବା ପରେ ସେ ରହୁଥିବା ଘରର ତାଲା ଭାଙ୍ଗି ଦେଖିଥିଲା ପୁଲିସ । ଘରେ ଖଟ ଉପରେ ଏକ ଆଇରନ ପେଟି, ବ୍ୟବହୃତ ୪ଟି ପ୍ଲାଷ୍ଟିକ୍ ଗ୍ଲାସ୍ ଏବଂ ବାଦାମ ଚୋପା ପଡ଼ିଥିବାବେଳେ ଏକ ବାଇକ୍ ବି ରଖାଯାଇଥିବା ଦେଖିଥିଲା ପୁଲିସ । ମାତ୍ର ପୁଲିସ ଘର ତାଲା ଭାଙ୍ଗି ଏସବୁ ଜିନିଷ ପାଇଥିଲେ ବି ତଦନ୍ତକୁ କ୍ରିୟାଶୀଳ କରିବା ବଦଳରେ ହାତ ବାନ୍ଧି ବସିଯାଇଥିଲା । ସସ୍ମିତାଙ୍କ ସାବତ ପୁଅ ସନ୍ତୋଷଙ୍କୁ ସନ୍ଦେହରେ ଥାନାକୁ ଆଣିଥିଲେ ବି ପରେ କିନ୍ତୁ ଛାଡ଼ି ଦେଇଥିଲା । ଘରୁ ମିଳିଥିବା ୪ଟି ବ୍ୟବହୃତ ପ୍ଲାଷ୍ଟିକ୍ ଗ୍ଲାସ, ବାଇକ୍ ନଂ. ଆଧାରରେ ପୁଲିସ ତଦନ୍ତକୁ ଆଗେଇନେବା ବଦଳରେ ସନ୍ତୋଷକୁ ଛାଡ଼ି ଦେଇଥିବା ଅଭିଯୋଗ ଆଣିଛନ୍ତି ସସ୍ମିତାଙ୍କ ପରିବାରର ସଦସ୍ୟ । ଘଟଣା ଘଟିବା ଦିନ ଝିଅ ଅମିତା କଟକସ୍ଥିତ ତାଙ୍କ ମାଉସୀ ଘରେ ଥିଲେ । ପରେ ମା’ଙ୍କ ନିଖୋଜ ଖବର ପାଇ ଏସ୍ପିି ନୀତି ଶେଖରଙ୍କୁ ଅଜା ଭ୍ରମରବରଙ୍କ ସହ ଭେଟି ଜଣାଇଥିଲେ । ତଦନ୍ତ କିନ୍ତୁ ଆଗେଇନଥିଲା । ସମ୍ପତ୍ତି ଓ ଜୀବନ ବୀମା ବାବଦ ଅର୍ଥ ଉଠାଣକୁ ନେଇ ପରିବାରରେ ବିବାଦ ଲାଗି ରହିଥିଲା । ସେଥିଲାଗି ସସ୍ମିତାଙ୍କୁ ହତ୍ୟା କରିଦିଆଯାଇଥିବା ଅଭିଯୋଗ ଉଠିଛି । ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇ ଦିଆଯାଇଛି । ପୁଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ସଦର ଆଇଆଇସି ମହେଶ୍ୱର ସେଠୀ ।
Comments are closed, but trackbacks and pingbacks are open.