ବଲାଙ୍ଗିର,(ଗୁପ୍ତେଶ୍ୱର ପୃଷ୍ଟି): ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ଆଇସୋଲେସନ ୱାଡର଼୍ରେ ଭର୍ତ୍ତି ହୋଇଥିବା ବଲାଙ୍ଗୀର ବିଷ୍ଣୁମୁଣ୍ଡାର ଜିତେନ୍ଦ୍ର ସୁନା(୩୨)ଙ୍କ ମୃତୁ୍ୟ ହୋଇଛି । ଠିକ ସମୟରେ ଡାକ୍ତର ପହଞ୍ଚି ଚିକିତ୍ସା ସେବା ପ୍ରଦାନ ନକରିବାରୁ ଯୁବକଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ କରି ଆଇସୋଲେସନ ସେଣ୍ଟରରେ ତୁମୁଳକାଣ୍ଡ ଘଟିଥିଲା । ମୃତକଙ୍କ ପରିବାରବର୍ଗ ଏବଂ ଅଞ୍ଚଳବାସୀ ଆଇସୋଲେସନ ସେଣ୍ଟରରେ ଜବରଦସ୍ତି ପଶି କାର୍ଯ୍ୟରତ ଡାକ୍ତର ସୀମାଞ୍ଚଳ ଡାକୁଆଙ୍କୁ ନିସ୍ତକ ମାଡ଼ ମାରିଥିଲେ । ଏଥିରେ ତାଙ୍କର ଦୁଇଟି ଆଙ୍ଗୁଠି ଭାଙ୍ଗିଯିବା ସହ ମୁଣ୍ଡ ଏବଂ କାନରେ ଗଭୀର ଆଘାତ ଲାଗିଛି । ଉତ୍ତ୍ୟକ୍ତ ଲୋକେ ଆଇସୋଲେସନ ସେଣ୍ଟରର ଚୌକି ଟେବୁଲ, କବାଟ, ଝରକା କାଚ ଆଦି ଭାଙ୍ଗିଦେଇଥିଲେ । ସଂପୃକ୍ତ ଡାକ୍ତରଙ୍କ ଗିରଫ ଦାବି କରି ପରିବାରବର୍ଗ ସଂଧ୍ୟା ପର୍ଯ୍ୟନ୍ତ ହୋହଲ୍ଲା କରୁଛନ୍ତି । ଅପରପକ୍ଷେ, ଘଟଣା ସମ୍ପର୍କରେ ଜାଣିବା ପରେ ଅନ୍ୟ ଡାକ୍ତରମାନେ ହସ୍ପିଟାଲ ପରିସରକୁ ଆସି ଧାରଣା ଦେବା ସହ ଆକ୍ରମଣକାରୀଙ୍କୁ ଗିରଫ, ତାଙ୍କ ବିରୋଧରେ ଏନଏସଏ ଧାରା ଲାଗୁ ଏବଂ ହସ୍ପିଟାଲ ପରିସରରେ ପୁଲିସ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ତେବେ ସଂଧ୍ୟା ପର୍ଯ୍ୟନ୍ତ ମୃତକଙ୍କ ପରିବାରବର୍ଗ କ୍ଷତିପୂରଣ ଏବଂ ଥଇଥାନ ଦାବି କରି ମୃତଦେହକୁ ନେଇନାହାନ୍ତି । ଏଣୁ ହସ୍ପିଟାଲ ପରିସରରେ ଭିଡ଼ ଜମି ସ୍ଥିତି ଅଣାୟତ୍ତ ହେବା ଆଶଙ୍କା ଥିବାରୁ ଆଡିସିନାଲ ଏସପି ମନୋରଞ୍ଜନ ପଧାନ ଘଟଣାସ୍ଥଳରେ ଉପସ୍ଥିତ ରହିବା ସହ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଅଭିଯୋଗ ଅନୁସାରେ, ଆଜି ସକାଳ ୯ଟା ବେଳେ ସ୍ଥାନୀୟ ବିଷ୍ଣୁମୁଣ୍ଡାର ଜିତେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ପ୍ରଥମେ ଆଣ୍ଟିଜେନ ଟେଷ୍ଟ କରାଯାଇ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର କରୋନା ଆଇସୋଲେସନ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । କେନ୍ଦ୍ରରେ ଭର୍ତ୍ତି ହେବାର କିଛି ସମୟ ପରେ ଜିତେନ୍ଦ୍ରଙ୍କ ତଣ୍ଟିରେ ପୀଡ଼ା ହେବା ସହ ସେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଏସମ୍ପର୍କରେ ସେ ପରିବାରବର୍ଗଙ୍କୁ ଜଣାଇବା ପରେ ସେମାନେ ଆଉଟଡୋର, ଏମସିଏଚ ଏବଂ ସୁପରିଟେଣ୍ଡେଣ୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ । କିନ୍ତୁ କୌଣସିଠାରୁ ଡାକ୍ତର ନଆସିବାରୁ ଶେଷରେ ଅପରାହ୍ନ ଦୁଇଟା ବେଳେ ଜିତେନ୍ଦ୍ରଙ୍କ ମୃତୁ୍ୟ ହୋଇଥିଲା । ବାରମ୍ବାର ଓପିଡିକୁ ଯାଇ ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ କେହି ନଆସିବାରୁ ସେମାନେ ହସ୍ପିଟାଲସ୍ଥିତ ବିଟ୍ ହାଉସକୁ ଯାଇ ଅଭିଯୋଗ କରିଥିଲେ । ହେଲେ ସେତିକି ବେଳକୁ ଜିତେନ୍ଦ୍ରଙ୍କ ମୃତୁ୍ୟ ହୋଇସାରିଥିଲା । ମୃତକ ଜଣକ ପଜିଟିଭ ନା ନେଗେଟିଭ ସେସମ୍ପର୍କରେ କିଛି ନକହି କରୋନା ଆଳରେ ଚିକିତ୍ସା କରାନଯିବାରୁ ତାଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାରବର୍ଗ ଉତ୍ତେଜିତ ହୋଇଥିଲେ । ପ୍ରଥମେ କାର୍ଯ୍ୟରତ ଡା.ଡାକୁଆଙ୍କୁ ଆକ୍ରମଣ କରିବା ସହ କେନ୍ଦ୍ରର ଚୌକି, ଟେବୁଲ, କାଚ ଆଦି ଭାଙ୍ଗି ଦେଇ ନର୍ସମାନଙ୍କୁ ଟଣାଓଟରା କରଥିଲେ । ଆକ୍ରମଣରେ ଡାକ୍ତରଙ୍କ ମୁଣ୍ଡ ଫାଟିଯିବା ସହ ହାତଆଙ୍ଗୁଠି ଭାଙ୍ଗିଯାଇଛି । କେତେକ ଯୁବକଙ୍କ ସହାୟତାରେ ଡାକ୍ତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଉତ୍ତେଜନା ଦେଖି ଆଡିସନାଲ ଏସପି ଶ୍ରୀ ପଧାନ, ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର, ଏସଡ଼ିପିଓ ଶ୍ରୀମନ୍ତ ବାରିକ, ଥାନାଧିକାରୀ ସଂଗ୍ରାମକେଶରୀ ପ;ନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ମୃତକଙ୍କ ପରିବାରବର୍ଗ କ୍ଷତିପୂରଣ ଏବଂ ଥଇଥାନ ଦାବି କରି ସଂଧ୍ୟା ପର୍ଯ୍ୟନ୍ତ ମୃତଦେହକୁ ଗ୍ରହଣ କରିନଥିଲେ । ଓଲଟା ଆଇସୋଲେସନ ସେଣ୍ଟର ସମ୍ମୁଖରେ ଧାରଣା ଦେଇଛନ୍ତି । ସେପଟେ ଏଭଳି କାଣ୍ଡକୁ ବିରୋଧ କରି ଡାକ୍ତରମାନେ ମଧ୍ୟ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଡୁ୍ୟଟିରେ ନଥିବା ଡାକ୍ତରମାନେ ହସ୍ପିଟାଲ ପରିସରରେ ଧାରଣା ଦେଇ ଆକ୍ରମଣକାରୀଙ୍କୁ ଗିରଫ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଦାବି କରିଛନ୍ତି । ମେଡ଼ିକାଲ କଲେଜ ଡିନ ସବିତା ମହାପାତ୍ର, ଡିଏମଓ ତଥା ଅତିରକ୍ତ ସୁପରିଟେଣ୍ଡେଣ୍ଟ ଡା.ପ୍ରଭାତ ରଥ ଘଟଣାକୁ ନିନ୍ଦା କରି ହିସାଂତ୍ମକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତ ।
Comments are closed, but trackbacks and pingbacks are open.